www.samajalive.in
Monday, December 8, 2025
17.1 C
Bhubaneswar

ଟ୍ରାକ୍‍କୁ ଫେରିବ ଦେଶର ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ : କୋଭିଡ-୧୯ ଭୂତାଣୁ ସଂକ୍ରମଣ ଏବଂ ତଦଜନିତ ଲକଡାଉନ୍ କାରଣରୁ ଭାରତର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିଲେ ହେଁ ୨୦୨୧-୨୨ ଆର୍ଥିକ ବର୍ଷରେ ଏଥିରେ ସୁଧାର ଆସିବ ବୋଲି ଦୁଇଟି ଅନ୍ତର୍ଜାତୀୟ ସ୍ତରର ରେଟିଂ ଏଜେନ୍ସି ଆକଳନ କରିଛନ୍ତି। ବିଶ୍ୱସ୍ତରୀୟ ରେଟିଂ ସଂସ୍ଥା ଫିଚର ଆକଳନ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ସାଢ଼େ ୯ ପ୍ରତିଶତ ରହିବ। ଏହି ଆର୍ଥିକ ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହାର ତ୍ୱରାନ୍ୱିତ ହେବ। ଦେଶରେ ମହାମାରୀ ଜନିତ ଆର୍ଥିକ ଦୁଃସ୍ଥିତିକୁ ଦୂର କରିବା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ଅନେକଗୁଡ଼ିଏ ଯୁଗାନ୍ତକାରୀ ନିର୍ଣ୍ଣୟ ଫଳରେ ଦେଶର ଅଭିବୃଦ୍ଧି ହାର ପୁଣିଥରେ ଟ୍ରାକକୁ ଫେରିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।
ଅନ୍ୟପକ୍ଷରେ ଅନ୍ତର୍ଜାତୀୟସ୍ତରର ରେଟିଂ ଏଜେନ୍ସି ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ସଂକ୍ରାନ୍ତରେ ଏଭଳି ସକାରାତ୍ମକ ଆକଳନ କରିବା ପରେ ବିଭିନ୍ନ ମହଲରେ ଉତ୍ସାହ ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ ଯେ, ସମ୍ପ୍ରତି କରୋନା ମହାମାରୀ କାରଣରୁ ଦେଶରେ ବିଭିନ୍ନ ପର୍ଯ୍ୟାୟରେ ଲକଡାଉନ୍ ଜାରି କରାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରି ମହମାରୀର ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଲକଡାଉନ୍, ସଟଡାଉନ୍ ଭଳି ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଏହା ଦେଶର ଆର୍ଥିକ କାର୍ଯ୍ୟକଳାପକୁ ଏକପ୍ରକାର ଠପ୍ କରିଦେଇଛି। ଏଥିଯୋଗୁ ଅଭିବୃଦ୍ଧି ହାର ପ୍ରଭାବିତ ହୋଇଛି।
ଏହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କ୍ଷେତ୍ର ଉପରେ ପଡ଼ିଥିବା ଆର୍ଥିକ ଚାପ ହ୍ରାସ କରିବା ଲାଗି ଭାରତ ସରକାର ଅନେକଗୁଡ଼ିକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଦେଶର ୮୦ କୋଟି ପରିବାରକୁ ମାଗଣା ଖାଦ୍ୟଶସ୍ୟ, ପ୍ରବାସୀମାନଙ୍କୁ ଖାଦ୍ୟସାମଗ୍ରୀ ଓ ପରିବହନ ସୁବିଧା, ମଧ୍ୟବିତଙ୍କ ପାଇଁ ଆର୍ଥିକ ରିହାତି, ମହିଳା ଜନଧନ ଆକାଉଂଟଧାରୀ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କୁ ଡିବିଟି ଜରିଆରେ ନଗଦ ହସ୍ତାନ୍ତର, ଉଜ୍ଜ୍ୱଳା ଯୋଜନାର ମହିଳା ହିତାଧିକାରୀମାନଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର, କୃଷିଜାତ ସାମଗ୍ରୀ ପାଇଁ ଏକରାଷ୍ଟ୍ର ଏକ ବଜାର ବ୍ୟବସ୍ଥା, ଏମଏସପି ଦର ବୃଦ୍ଧି, ଏମଏସଏମଇଗୁଡ଼ିକ ପାଇଁ ପ୍ରୋତ୍ସାହନ ଭଳି ଗୁରୁତ୍ୱପୂର୍ଣ୍ଣ ନୀତିଗତ ତଥା ଆର୍ଥିକ ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି।
ମହାମାରୀ ଜନିତ ପ୍ରଭାବ କାରଣରୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଶର ଅର୍ଥବ୍ୟବସ୍ଥାର ସୁଧାର ଦିଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏସବୁ ଦୃଢ଼, ସାହସିକ ତଥା ସଂସ୍କାରମୂଳକ ପଦକ୍ଷେପ ଉଭୟ ସ୍ୱଳ୍ପକାଳିନ ଏବଂ ଦୀର୍ଘକାଳିନ ଭିତିରେ ଦେଶକୁ ଲାଭାନ୍ୱିତ କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories