www.samajalive.in
Monday, December 8, 2025
17.1 C
Bhubaneswar

ଆସୁଛି ମୌସୁମୀ : ଚିନ୍ତାରେ ପରିବା ବ୍ୟବସାୟୀ

ସମ୍ବଲପୁର : କରୋନା ସଙ୍କଟ ଯୋଗୁଁ ସମସ୍ତ ବ୍ୟବସ୍ଥା ଓଲଟପାଲଟ ହୋଇଯାଇଥିବା ବେଳେ ଜନତାଙ୍କ ଦୈନନ୍ଦିନ ସମସ୍ୟା ପ୍ରତି ପ୍ରଶାସନ ଏବେ ପ୍ରାୟତଃ ଉଦାସୀନ ରହୁଥିବାର ଦେଖାଯାଉଛି। ଆଗାମୀ କିଛି ଦିନ ମଧ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୌସୁମୀ ଆସୁଥିବାରୁ ସମ୍ବଲପୁରରେ ପରିବା ବ୍ୟବସାୟୀଙ୍କ ଚିନ୍ତା ବଢ଼ି ଯାଇଛି। କରୋନା ସଙ୍କଟ ଯୋଗୁଁ ଦେଶ ଏବେ ଲକ ଡାଉନ ରହିଛି। ଲକ ଡାଉନ ଆରମ୍ଭ ହେବା ଦିନ ଠାରୁ ସମ୍ବଲପୁର ସହରର ଦୈନିକ ପରିବା ବଜାର ଗୋଲ ବଜାରରେ ପ୍ରବଳ ଭିଡ ଯୋଗୁଁ ସାମାଜିକ ଦୁରତା ରକ୍ଷା ପାଇଁ ପରିବା ବ୍ୟବସାୟୀ ମାନଙ୍କୁ ଗୋଲ ବଜାରରୁ ମନ୍ଦଲିଆ ପଡିଆ, ମୋଦିପଡା ଛକରୁ ଲକ୍ଷ୍ମୀ ଟକିଜ ଛକ, ଲକ୍ଷ୍ମୀ ଟକିଜ ଛକରୁ ଡିଆଇଜି କାର୍ଯ୍ୟାଳୟ ଏବଂ ଅଇଁଠାପାଲି ଅଞ୍ଚଳର ବିଭିନ୍ନ ସ୍ଥାନରେ ବସୁଥିବା ପରିବା ବ୍ୟବସାୟୀ ମାନଙ୍କୁ ବୁଢ଼ାରଜା ମଧ୍ୟରେ ଥିବା ବଜାରକୁ ସ୍ଥାନାନ୍ତରିତ କରି ଦିଆଯାଇଛି। ସେହି ଦିନ ଠାରୁ ପରିବା ବ୍ୟବସାୟୀ ମାନେ ଖୋଲା ଆକାଶ ତଳେ ଅସ୍ଥାୟୀ ଭାବରେ ରାସ୍ତା କଡ ଓ ପଡିଆ ମଧ୍ୟରେ ରହି ଦୈନିକ ଜନତାଙ୍କୁ ସଚେତଜ ପରିବା ଯୋଗାଇ ଆସୁଛନ୍ତି। ତେବେ କାଳ ବୈଶାଖୀ ପାଇଁ ମଧ୍ୟ ମଝିରେ ମଝିରେ ହେଉଥିବା ବର୍ଷା ବେଳେ ମୌସୁମୀ ଆରମ୍ଭ ହେବା ଉପରେ ଥିବାରୁ ସେମାନଙ୍କର ଚିନ୍ତା ବଢ଼ି ଯାଇଛି। ଖୋଲା ଆକାଶ ତଳେ ପ୍ରଚଣ୍ଡ ଖରାକୁ ସହି ନାନା ଅସୁବିଧାର ସମ୍ମୁଖୀନ ହୋଇ ଚଳି ଯାଉଥିବା ବେଳେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଥିବାରୁ ସେମାନଙ୍କ ଉପରେ ଚିନ୍ତାର ଚଡକ ପଡିଯାଇଛି।

ସମ୍ବଲପୁର ମହାନଗର ନିଗମ ପ୍ରତି ବର୍ଷ ସହର ମଧ୍ୟରେ ବିଭିନ୍ନ ସ୍ଥାନ ଗୁଡିକରେ ବସୁ ଥିବା ବଜାର ମାନଙ୍କରୁ ରାଜସ୍ୱ ଆଦାୟ କରିବା ପାଇଁ ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତ କରି ମୋଟା ଅଙ୍କରର ଟିକସ ଟଙ୍କା ଅସୁଲି କରିଥାଏ। କିନ୍ତୁ ପ୍ରତ୍ୟହ ଓ ନିୟମିତ ରାଜସ୍ୱ ପଇଠ କରୁଥିବା ପରିବା ବ୍ୟବସାୟୀ ମାନଙ୍କୁ ନିଗମ ପକ୍ଷରୁ ବର୍ଷ ତମାମ କୌଣସି ସୁବିଧା ଦିଆଯାଇ ନ ଥାଏ। ଆଜି ପର୍ଯ୍ୟନ୍ତ ବହୁ ଦାବୀ ସତ୍ୱେ ପରିବା ବ୍ୟବସାୟୀ ମାନଙ୍କ ପାଇଁ କୌଣସି ସୁବିଧା କରାଯାଇ ନାହିଁ। ଏବେ ବସୁଥିବା ସ୍ଥାନ ଗୁଡିକରେ ସେମାନଙ୍କୁ ଥଇଥାନ କରିବାର କୌଣସି ସୁବିଧା ମଧ୍ୟ ନାହିଁ। ଏବେ ଲକ ଡାଉନ ଜୁନ ୩୦ ପର୍ଯ୍ୟନ୍ତ ଜାରି ଥିବା ବେଳେ ତୁରନ୍ତ ମଧ୍ୟ ମୌସୁମୀ ଯୋଗୁଁ ସେମାନଙ୍କୁ ହେବାକୁ ଥିବା ଅସୁବିଧାର ସମାଧାନ ହେବାର ମଧ୍ୟ ଦିଶୁ ନାହିଁ। ଅନ୍ୟ ପଟରେ ପରିବା ବ୍ୟବସାୟୀ ମାନେ ଉପଯୁକ୍ତ ସୁବିଧା ପାଇବାରୁ ବଞ୍ଚିତ ରହୁଥିବାରୁ ଖରା ଓ ବର୍ଷାରେ ବ୍ୟାପକ କ୍ଷତି ମଧ୍ୟ ସହିବାକୁ ବାଧ୍ୟ ହୋଇଥାନ୍ତି। ଏବେ ସେମାନେ ରାସ୍ତା କଡରେ ଅସ୍ଥାୟୀ ଭାବରେ ବ୍ୟବସାୟ କରୁଥିବା ବେଳେ ହଠାତ ବର୍ଷା ହୋଇଗଲେ ତୁରନ୍ତ ନିଜକୁ ଓ ପରିବାକୁ ସୁରକ୍ଷିତ ରଖିବାର କୌଣସି ବ୍ୟବସ୍ଥା ନାହିଁ। ଚଳିତ ବର୍ଷ ମୌସୁମୀ ଭଲ ହେବ ବୋଲି ପୂର୍ବାନୁମାନ ପାଣିପାଗ ବିଭାଗ କରିଥିବା ବେଳେ କରୋନା ସଙ୍କଟ ଯୋଗୁଁ ସାମାଜିକ ଦୁରତା ରକ୍ଷା ମଧ୍ୟ ଜରୁରୀ ଅଟେ। କିନ୍ତୁ ନିଗମ କେବଳ ରାଜସ୍ୱ ଆଦାୟ ଉପରେ ଫୋକସ କରିଥିବାରୁ ପରିବା ବ୍ୟବସାୟୀ ମାନେ ନିଗମ କତ୍ତୃପକ୍ଷ ସେମାନଙ୍କର ସମସ୍ୟା ଉପରେ ଧ୍ୟାନ ଦେବ ବୋଲି ସେମାନଙ୍କର ଭରସା ପାଉ ନାହିଁ। ପରିବା ବ୍ୟବସାୟୀଙ୍କ ସମସ୍ୟା ପାଇଁ ନିଗମର କଣ ଯୋଜନା ରହିଛି ବୋଲି କମିଶନରଙ୍କ ଯୋଗାଯୋଗ କରାଯିବାରୁ ତାହା ସମ୍ଭବପର ହୋଇ ପାରି ନ ଥିଲା। ଏଣୁ ଏ ନେଇ ନିଗମ କତ୍ତୃପକ୍ଷଙ୍କ ପ୍ରତିକ୍ରିୟ ଜଣାପଡି ନାହିଁ। ତେବେ ମୌସୁମୀ ଆସି ମୁଣ୍ଡ ଉପରେ ଛିଡା ହେବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ଦୂରଦୃଷ୍ଟି ଶୂନ୍ୟ ନିଗମ କତ୍ତୃପକ୍ଷ ଶୋଇ ରହିଥିବାରୁ ଏହାକୁ ସାଧାରଣରେ ନାପସନ୍ଦ କରାଯାଉଛି। ଏଣୁ ତୁରନ୍ତ ନିଗମ ତାର କୁମ୍ଭକର୍ଣ୍ଣ ନିଦ୍ରାରୁ ଜାଗ୍ରତ ହୋଇ ଗରିବ ପରିବା ବ୍ୟବସାୟୀଙ୍କର ସୁବିଧା କରୁ ବୋଲି ସାଧାରଣରେ ଦାବି ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories