ଚତୁର୍ମାସ୍ୟା ର ପ୍ରଥମ ମାସ ହେଉଛି ଆଷାଢ ମାସ। ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା’ ହୁଏ ରଜସ୍ୱଳା ବା ମାଟି ମା’କୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। ମା’ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ଠିକ୍ ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା’ ମଧ୍ୟ ରଜ ତିନି ଦିନ ଯାକ ବିଶ୍ରାମ ନେଇଥାଏ। ସେଥିପାଇଁ ଏହି ଦିନ ଗୁଡିକରେ ଭୂ-ଖନନ କରିବାକୁ ବାରଣ କରାଯାଏ।
ଏପରି ମଧ୍ୟ କୁହାଯାଏ, ନାରୀ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ। ଆଗାମୀ ଦିନରେ କିଭଳି ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା ଏହି ରଜ ପର୍ବ ପାଳନ ମାଧ୍ୟମରେ କୁମାରୀମାନେ ଶିକ୍ଷା ଲାଭ କରିଥାନ୍ତି। ରଜପର୍ବର ମଉଜ ଭିତରେ କୁମାରୀମାନେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳନ କରିଥାଆନ୍ତି। ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରତ୍ରୀମାତାକୁ କଷ୍ଟ ନ ଦେଇ ବିଶ୍ରାମ ଦେଲା ଭଳି କଟା, ବଟା ଆଦି ଗୃହକର୍ମରୁ ମଧ୍ୟ ନାରୀମାନଙ୍କୁ ବିଶ୍ରାମ ମିଳିଥାଏ। ସେହିପରି ଝିଅ-ବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା। ରଜପର୍ବର ବିଧିବିଧାନକୁ କୁମାରୀମାନେ ପାଳନ କରି ଜଣେ ମାତାର କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇପାରିବେ ଏବଂ ଭବିଷ୍ୟତରେ ନିଜ ଝିଅମାନଙ୍କୁ ସ୍ୱଅନୁଭୂତିରୁ ସଂସାର ନିୟମ ଶିଖାଇବେ ବୋଲି ବିଶ୍ବାସ କରାଯାଏ।



