ସମାଜ ପୋର୍ଟାଲ ଡେସ୍କ: କୋଭିଡ -୧୯ ପାଇଁ କୌଣସି ଟିକା କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ନ ଥିବାବେଳେ ମୁମ୍ବାଇର ଡାକ୍ତରମାନେ କହିଛନ୍ତି ଯେ ସ୍ୱାଇନ୍ ଫ୍ଲୁ, ମ୍ୟାଲେରିଆ ଏବଂ ଏଚ୍ଆଇଭି ପାଇଁ ବ୍ୟବହୃତ ଔଷଧର ମିଶ୍ରଣରେ ସେମାନେ ରୋଗୀଙ୍କୁ ସୁସ୍ଥ କରିଛନ୍ତି। ତେବେ ଡାକ୍ତରୀ ତଦାରଖ ବିନା ଔଷଧ ସେବନ ନ କରିବା ପାଇଁ ଡାକ୍ତରମାନେ ଚେତାବନୀ ଦେଇଛନ୍ତି।
ଗତ ମାସରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ – ଆଇସିଏମ୍ଆର ସ୍ୱାଇନ୍ ଫ୍ଲୁ ଚିକିତ୍ସାରେ ବ୍ୟବହୃତ ତାମିଫ୍ଲୁ, ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହୃତ ଆଣ୍ଟିଭାଇରାଲ୍ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଏବଂ ଏଚ୍.ଆଇ.ଭି. ପାଇଁ ଦିଆଯାଉଥିବା ଔଷଧ ଲୋପିନାଭିର ବ୍ୟବହାର କରି କରୋନା ସଂକ୍ରମଣର ଚିକିତ୍ସା କରିବାକୁ ଅନୁମୋଦନ କରିଥିଲା। ଡାକ୍ତରମାନେ କହିଛନ୍ତି ଯେ ଏହି ଚିକିତ୍ସା ବ୍ୟବସ୍ଥା ପ୍ରୟୋଗ କରାଯାଇ କିଛି ରୋଗୀ ଆରୋଗ୍ୟ ହୋଇଛନ୍ତି।
ଏହି ଚିକିତ୍ସା ବ୍ୟବସ୍ଥାରେ ଆରୋଗ୍ୟ ଲାଭ କରିଥିବା କରୋନା ସଂକ୍ରମିତ ରୋଗୀ ହେଉଛନ୍ତି ମଦନପୁରାର ଜଣେ ୪୫ ବର୍ଷିୟା ବାସିନ୍ଦା, ସେ ଦିଲ୍ଲୀରୁ ଆସିଥିଲେ ଓ ମାର୍ଚ୍ଚ ୨୧ରେ ଜ୍ୱର, ଥଣ୍ଡା, ଶୁଖିଲା କାଶ ଏବଂ ଦେହରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ କସ୍ତୁରବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ମଧ୍ୟ ଉଚ୍ଚ ରକ୍ତଚାପ ରୋଗୀ ଥିଲେ। ତାଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଔଷଧ ଦ୍ୱାରା ଚିକିତ୍ସା କରାଯାଇଥିଲା। ଏହା ସହିତ ତାଙ୍କୁ ମଲ୍ଟିଭିଟାମିନ୍ ଟାବଲେଟ୍ ଏବଂ ଆଜିଥ୍ରୋମାଇସିନ୍ ଓ ସେଟିରିଜାଇନ୍ ଆଣ୍ଟିବାୟୋଟିକ୍ ଦିଆଯାଇଥିଲା। ପରେ ତାଙ୍କ ନମୁନା ନେଗେଟିଭ ଆସିଥିଲା ଓ ସେ ମାର୍ଚ୍ଚ ୩୧ରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ସେହିଭଳି ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି, ହାଇଡ୍ରୋକ୍ସିକ୍ଲୋରୋକ୍ୱିନ, ତାମିଫ୍ଲୁ ଏବଂ ଲୋପିନାଭିର ଔଷଧ ମିଶ୍ରଣରେ ଚିକିତ୍ସା କରାଯାଇଥିଲେ ମଧ୍ୟ ସେହି ମିଶ୍ରଣର ପ୍ରଭାବ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ତଥାପି ତାହା ରୋଗୀଙ୍କୁ ଠିକ କରିପାରିଥିଲା।



