www.samajalive.in
Friday, December 5, 2025
27.1 C
Bhubaneswar

ସମ୍ବଲପୁର ଜିଲା ସଦର ଡାକ୍ତରଖାନା ହେବ କୋଭିଡ ଡାକ୍ତରଖାନା

ସମ୍ବଲପୁର: ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ବା ସଦର ଡାକ୍ତରଖାନାକୁ କୋଭିଡ ଡାକ୍ତରଖାନା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।  ଏଥିସକାଶେ ଭିତ୍ତିଭୂମି କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି। ଆସନ୍ତା ସପ୍ତାହେ ମଧ୍ୟରେ କୋଭିଡ ହସପିଟାଲ କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରହିଛି। ପୂର୍ବରୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ପୁଲହ ହଷ୍ଟେଲକୁ କୋଭିଡ ଡାକ୍ତରଖାନା କରିବାକୁ ପ୍ରସ୍ତାବ ଥିଲା। ତେବେ, ଏହି ପ୍ରସ୍ତାବ ସ୍ଥଗିତ ରଖିବା ସହ ସମ୍ବଲପୁର ସଦର ଡାକ୍ତରଖାନାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ୨୦୦ ଶଯ୍ୟା ବିଶିଷ୍ଟ ସନ୍ଦିଗ୍ଧ କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ସମ୍ବଲପୁର ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ସୁକାନ୍ତ କୁମାର ତ୍ରିପାଠୀ, ଡେପୁଟି କଲେକ୍ଟର ତଥା ହସପିଟାଲ ନୋଡ଼ାଲ ଅଧିକାରୀ ବ୍ରଜକିଶୋର ସାହୁ ପ୍ରମୁଖ ସଦର ଡାକ୍ତରଖାନାରେ କ୍ୟାମ୍ପ ଅଫିସ କରି କାର୍ଯ୍ୟ ତଦାରଖ କରୁଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ-୧୯ ଡାକ୍ତରଖାନାରେ ପରିବର୍ତ୍ତିତ କରିବା ପାଇଁ ପରିସରରେ ଥିବା ସମସ୍ତ ୩୦ଟି କ୍ୟାବିନକୁ ବାତାନୁକୁଳିତ କରିବା, ମେଡିସିନ ୱାର୍ଡକୁ ଆଇସିୟୁ କରାଯିବା ସହ ଏମ୍‌ସିଏଚ୍‌ କୋଠାକୁ କ୍ୱାରେନ୍‌ଟାଇନ୍‌ ସେଣ୍ଟର କରାଯିବ। ମେଡିସିନ ୱାଡକୁ ଆଇସିୟୁ କରିବା ପାଇଁ ୩୦ଟି ଭେଣ୍ଟିିଲେଟର ସକାଶେ ଟେଣ୍ଡର ଆହ୍ୱାନ କରାଯାଇଛି । ଡାକ୍ତରଖାନାରେ ଅକି୍ସଜେନ ଓ ଆର୍‌ଓ ଜଳ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ପାଇପ୍‌ ଲାଇନିଂ କାମ, ଘଣ୍ଟା ପ୍ରତି ୩ ଶହ ଲିଟର ବିଶୋଧିତ ପାନୀୟ ଜଳ ସକାଶେ ପ୍ଲାଣ୍ଟ ପ୍ରତିଷ୍ଠା, ଅକ୍ସିଜେନ୍‌ ପ୍ଲାଣ୍ଟ ସ୍ଥାପନ ଏବଂ ଡାକ୍ତରଖାନାର ସମସ୍ତ ୱାର୍ଡକୁ ମଧ୍ୟ ବାତାନୁକୁଳିତ କରାଯିବ ବୋଲି ଜଣାପଡ଼ିଛି। ଏଥିସକାଶେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ପୂର୍ତ୍ତର୍, ଜନସ୍ୱାସ୍ଥ୍ୟ ଓ ଅନ୍ୟ ବିଭାଗ ଗୁଡ଼ିକ ପକ୍ଷରୁ ଜୋରସୋରରେ କାମ ଆରମ୍ଭ ହୋଇଯାଇଛି।
ସଂପ୍ରତି ସଦର ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ରୋଗୀଙ୍କୁ ବୁର୍ଲା ଭିମସାର ଏବଂ ପ୍ରଶାସନ ହାତକୁ ନେଇଥିବା ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତରିତ କରାଯିବାକୁ ଯୋଜନା ଚାଲିଛି। ବିଭିନ୍ନ ରୋଗର ଅପରେସନ ଓ ଉପଶମ ସକାଶେ ଭିନ୍ନ ଭିନ୍ନ ନର୍ସିଂହୋମ କମ୍‌ ମୂଲ୍ୟରେ ଚିକିତ୍ସାର ଦାୟିତ୍ୱ ନେବେ। ସଦର ଡାକ୍ତରଖାନାରୁ ଯେଉଁ ରୋଗୀ ମାନଙ୍କୁ ଘରୋଇ ନର୍ସିଂହୋମକୁ ନିଆଯିବ ସେଠାରେ ସେମାନଙ୍କ ସମସ୍ତ ଚିକିତ୍ସା ଓ ଅନ୍ୟାନ୍ୟ ଖର୍ଚ୍ଚ ସରକାର ବହନ କରିବେ। ସେହିପରି ଭିମସାରକୁ ରୋଗୀ ସ୍ଥାନାନ୍ତରଣ ଓ ସେମାନଙ୍କ ପରିଜନଙ୍କ ପ୍ରାଥମିକ ଖର୍ଚ୍ଚ ମଧ୍ୟ ଜିଲା ପ୍ରଶାସନ ବହନ କରିବ। ସଦର ଡାକ୍ତରଖାନାର ବର୍ହିବିଭାଗ (ଓପିଡି)କୁ ବନ୍ଦ କରି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଥିବା ୭ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ଓ ହୀରାକୁଦରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ରେ ଏହା ଚାଲିବ। ୟୁପିଏଚ୍‌ସି ଗୁଡ଼ିକ ହେଲା – ଅଇଁଠାପାଲି, ଧନକଉଡ଼ା, ଧନୁପାଲି, ମାନେଶ୍ୱର, କ୍ଷେତରାଜପୁର, ଚାଉଁରପୁର ଓ ଜେପି ମାତୃମଙ୍ଗଳ କେନ୍ଦ୍ର। ୟୁପିଏଚ୍‌ସିର ଅବସ୍ଥାପିତ ଡାକ୍ତରଙ୍କ ସହ ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ସେଠାରେ ଓପିଡି ଦାୟିତ୍ୱରେ ରହିବେ। ଅଇଁଠାପାଲି ୟୁପିଏଚ୍‌ସି ଓ ଜେପି ମାତୃମଙ୍ଗଳ କେନ୍ଦ୍ରକୁ ମୁଖ୍ୟତଃ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ଜିଲାର ସମସ୍ତ ଅଞ୍ଚଳରୁ ସଦର ହସପିଟାଲକୁ ଆସୁଥିବା ରୋଗୀମାନଙ୍କୁ ସିଧାସଳଖ ଭିମସାର ନେବାକୁ ୧୦୮ ଆମ୍ବୁଲାନ୍ସ କଣ୍ଟ୍ରୋଲ ରୁମ୍‌କୁ ଜିଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିବା ଜଣାପଡ଼ିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories