www.samajalive.in
Tuesday, December 9, 2025
16.1 C
Bhubaneswar

ଆମ ସମସ୍ତଙ୍କୁ ମିଳିମିଶି ଧୈର୍ଯ୍ୟ ଓ ସାହାସର ସହ କରୋନା ଆହ୍ୱାନର ମୁକାବିଲା କରିବାକୁ ପଡିବ : ଧର୍ମେନ୍ଦ୍ର ପ୍ରଧାନ

-ଭୟଭୀତ ହେବା ବଦଳରେ ପ୍ରତିଷେଧକ ଓ ସୁରକ୍ଷାଗତ ପଦକ୍ଷେପ ନେବା ଏବେ ସମୟର ଆହ୍ୱାନ
-କରୋନା ଭାଇରସକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ସକରାତ୍ମକ ପଦକ୍ଷେପ ନେଉଛନ୍ତି
-ଯୁବପିଢି, ରାଜନୈତିକ କାର୍ୟ୍ୟକର୍ତା, ଗଣମାଧ୍ୟମ ଓ ସରକାରୀ କର୍ମଚାରୀ ଦାୟିତ୍ୱରୁ ନଓହରି ନିର୍ଭୀକ ଭାବେ ଆହ୍ୱାନକୁ ସାମ୍ନା କରନ୍ତୁ
-ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସଫଳ କରିବାକୁ ଅନୁରୋଧ
-ବିଦେଶୀ ଫେରନ୍ତା ଲୋକଙ୍କୁ ସରକାରୀ ବ୍ୟବସ୍ଥାରେ ପଞ୍ଜିକରଣ କରିବାକୁ ପରାମର୍ଶ
-ଭିଡ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ
-ବିଶେଷ ଭାବରେ ଗରିବ ଲୋକମାନଙ୍କ ବିଶେଷ ଯତ୍ନ ନେବାକୁ ଆହ୍ୱାନ
-ରିପୋର୍ଟ ପଜେଟିଭ୍‍ ବାହାରିଲେ ଭୟଭୀତ ନହୋଇ ଡାକ୍ତର ଓ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ
-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଦେଶବାସୀ ଏହି ବିଶ୍ୱ ମହାମାରୀକୁ ଦୃଢତାର ସହ ସାମ୍ନା କରନ୍ତୁ

ଭୁବନେଶ୍ୱର : କରୋନା ଭୂତାଣୁ ବିଶ୍ୱ ମହମାରୀର ରୂପ ନେଇଥିବା ବେଳେ ଆମ ସମସ୍ତଙ୍କୁ ମିଳିମିଶି ଏଭଳି ପ୍ରାକୃତିକ ସଂକଟକୁ ସାମ୍ନା କରିବାକୁ ପଡିବ। ରାଜ୍ୟ ତଥା ଦେଶବାସୀ କୌଣସି ପ୍ରକାର ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ ମହାମାରୀ କରୋନା ଭାଇରସ ବିରୁଦ୍ଧରେ ମୁକାବିଲା କରନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାଂପ୍ରତିକ ସ୍ଥିତିରେ ଭୟଭୀତ ହେବା ବଦଳରେ ପ୍ରତିଷେଧକ ଓ ସୁରକ୍ଷାଗତ ପଦକ୍ଷେପ ନେବା ଏବେ ସମୟର ଆହ୍ୱାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

- Advertisement -

ଆଜିର ଦିନରେ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତିରେ ପହଁଚିଛି। କରୋନା ଭୂତାଣୁ ସମଗ୍ର ମାନବ ଜାତିକୁ ସଙ୍କଟରେ ପକାଇଛି। ଏହା ବିଶ୍ୱଯୁଦ୍ଧ ଠାରୁ ବି ଭୟଙ୍କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ଅନେକ ସକରାତ୍ମକ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ସରକାରଙ୍କ ସହଯୋଗୀ ଭାବେ ଲୋକଙ୍କୁ ବ୍ୟାପକ ସଚେତନତା ହେବାକୁ ପଡିବ। ଯୁବପିଢି, ରାଜନୈତିକ କାର୍ଯ୍ୟକର୍ତ୍ତା, ଗଣମାଧ୍ୟମ ଓ ସରକାରୀ କର୍ମଚାରୀ ଏହି ଦାୟିତ୍ୱରୁ ମୁହଁ ନଫେରାଇ ସମସ୍ତେ ସାମ୍ନା କରିବା ଦରକାର।

ଓଡିଶା ସମେତ ଦେଶର ଅଧିକାଂଶ ସଂକ୍ରମିତ ବ୍ୟକ୍ତି ବିଦେଶରୁ ଏହି ଭାଇରାସ ଦ୍ୱାରା ଆକ୍ରାନ୍ତ ହୋଇ ସ୍ୱଦେଶକୁ ଆସିଛନ୍ତି ବା ଦେଶ ଭିତରେ ସେମାନଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା କେହି କେହି ସଂକ୍ରମିତ ହୋଇଛନ୍ତି। ଏପରି ପରିସ୍ଥିତିରେ ବିଦେଶରୁ ଆମ ରାଜ୍ୟ ଓଡିଶାକୁ ଫେରୁଥିବା ବନ୍ଧୁମାନେ ସରକାରୀ ବ୍ୟବସ୍ଥା ଅନୁସାରେ ନିଜକୁ ପଞ୍ଜିକୃତ କରିବା ଓ ଡାକ୍ତରୀ ପରାମର୍ଶ ଅନୁସାରେ ଏହି ସଂକ୍ରମଣର ଲକ୍ଷଣ ଥିଲେ ନିଜକୁ କ୍ୱାରାଣ୍ଟାଇନ୍‍ ବା ଅନ୍ୟମାନଙ୍କ ଠାରୁ ଦୂରରେ ରଖିବା ପରି ବ୍ୟବସ୍ଥାକୁ ନିଷ୍ଠାର ସହିତ ପାଳନ କରିବା ଜରୁରୀ। ଏହାସହ ରିପୋର୍ଟ ପଜେଟିଭ୍‍ ବାହାରିଲେ ଭୟଭୀତ ନହୋଇ ଡାକ୍ତର ଓ ବିଶେଷଜ୍ଞ ପରାମର୍ଶ ନେବା ଜରୁରୀ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଡାକ୍ତର ବା ବିଶେଷଜ୍ଞଙ୍କ କହିବାନୁସାରେ ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଦେଖାଗଲେ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ସେହିପରି ଲୋକଙ୍କୁ ଧାର୍ମିକ, ବିବାହ ଉତ୍ସବ ସମେତ ଭିଡ ଅଞ୍ଚଳରେ ଅନେକ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସମେତ ବିଶେଷ ଭାବରେ ଗରିବ ଲୋକମାନଙ୍କ ସ୍ବତନ୍ତ୍ର ଯତ୍ନ ନେବା ସମସ୍ତଙ୍କର ଦାୟିତ୍ୱ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆସନ୍ତା ରବିବାର ଦେଶର ଲୋକମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହି ‘ଜନତା କର୍ଫ୍ୟୁ’କୁ ସଫଳ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ସେହିପରି ଏଭଳି ସମୟରେ ଦେଶର ଡାକ୍ତର, ନର୍ସମାନେ ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ନିର୍ଭୀକ ଭାବେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଏମାନଙ୍କୁ ସହଯୋଗ କରିବାକୁ ସେ କହିଛନ୍ତି। ଡାକ୍ତରଖାନାରେ ଗହଳି ନକରି ଘରେ ରହି ଡାକ୍ତରଙ୍କ ପରାମର୍ଶନୁସାରେ ଚିକିତ୍ସା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏତଦବ୍ୟତିତ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆସନ୍ତା ରବିବାର ଦିନ ସଂଧ୍ୟା ୫ଟାରେ ୫ ମିନିଟ୍‍ ପାଇଁ ଚିକିତ୍ସକ, ପାରା ମେଡିକାଲଙ୍କ ଭଳି ବ୍ୟକ୍ତିବିଶେଷମାନଙ୍କୁ ହରିବୋଲ, କରତାଳି, ହୁଳୁହୁଳି ଓ ଶଙ୍ଖ ଫୁଙ୍କି ଏମାନଙ୍କୁ କୃତଜ୍ଞତା ଜଣାଇବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଶ୍ରୀ ପ୍ରଧାନ।

କରୋନା ଭାଇରସର ମୁକାବିଲା ନିମନ୍ତେ ଓଡିଶା ରାଜ୍ୟରେ ସରକାରଙ୍କ ପ୍ରସ୍ତୁତିକୁ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହ କହିଛନ୍ତି ଯେ କରୋନାର ମୁକାବିଲା କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଭଲ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅପରପକ୍ଷରେ ସାର୍କ ଦେଶ ଗୁଡିକରେ କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନେତୃତ୍ୱ ନେଇଛନ୍ତି। ଏଥିରେ ସମସ୍ତେ ସହଯୋଗୀ ହେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଏଭଳି ସ୍ଥିତିରେ କୌଣସି ପ୍ରକାର ଭୟଭୀତ ନହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଦେଶର ସମସ୍ତ ଜନସାଧାରଣ ମିଶି ରାଜ୍ୟ ଓ ଦେଶକୁ ଏହି ବିଶ୍ୱ ମହାମାରୀକୁ ଦୃଢତାର ସହ ସାମ୍ନା କରନ୍ତୁ ଏବଂ ସମସ୍ତଙ୍କ ମିଳିତ ଉଦ୍ୟମରେ ମାନବ ଜାତି ସୁରକ୍ଷିତ ହୋଇପାରିବ ବୋଲି ସେ କହିଛନ୍ତି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories