www.samajalive.in
Tuesday, December 9, 2025
17.1 C
Bhubaneswar

ବନ୍ଦୋବସ୍ତ ସଂସ୍କାର : ‘ମୋ ସରକାର’ରେ ସବୁ ବର୍ଗ ଉପକୃତ ହେବା ଉଚିତ

ଖଣି-ଖାଦାନ ପରେ ଯଦି ଜମିଜମାକୁ ଦୁର୍ନୀତିର ଗନ୍ତାଘର ରୂପେ ବିବେଚନା କରାଯାଏ ତେବେ ଅତିଶୟୋକ୍ତି ହେବ ନାହିଁ। ଏପରିକି ଶ୍ରୀଜଗନ୍ନାଥଙ୍କ ସମେତ ବିଭିନ୍ନ ଦେବାଦେବୀ, ମଠ, ମନ୍ଦିର ନାମରେ ଥିବା ଜମି ମଧ୍ୟ ଏହି ଦୁର୍ନୀତିରୁ ବର୍ତ୍ତି ପାରିନାହିଁ। ଜମି କାରବାରରେ ଦୁର୍ନୀତି ଯେତିକି, ମାମଲାର ଜଟିଳତା ତା’ଠାରୁ ଅଧିକ। ବିଗତ କିଛି ବର୍ଷ ମଧ୍ୟରେ ଦଲାଲ, ମାଫିଆ ଓ କୋଟିପତି ସୃଷ୍ଟି ହେବାରେ ଜମି କାରବାର ପ୍ରମୁଖ ମାଧ୍ୟମ ହୋଇଛି। ଅପରପକ୍ଷରେ କଷ୍ଟାର୍ଜିତ ଅର୍ଥରୁ ଜମି ଖଣ୍ଡିଏ କିଣିଥିବା ସାଧାରଣ ଲୋକଟିଏ ଜମିର ମାଲିକାନା ସ୍ୱତ୍ବ ବା ପଟ୍ଟା ହାସଲ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛି। ସୁଖର କଥା ଓଡ଼ିଶା ସରକାର ଏହି ସମସ୍ୟାକୁ ହୃଦୟଙ୍ଗମ କରି ଜମି କ୍ରେତାକୁ ଆଇନଗତ ଜଞ୍ଜାଳରୁ ମୁକ୍ତ କରିବା ପାଇଁ ରାଜସ୍ୱ ବିଭାଗରେ ଏକାଧିକ ସଂସ୍କାର ଘୋଷଣା କରିଛନ୍ତି। ତଥାପି ଏ ଦିଗରେ ଆହୁରି ଅନେକ କିଛି ଜଟିଳତା ଦୂର କରିବାକୁ ଅଛି ବୋଲି ମନେ ହୁଏ।
ଜମି କାରବାର ଦୁର୍ନୀତି ଓ ଏ ସଂକ୍ରାନ୍ତ ଆଇନଗତ ଜଟିଳତା କେବଳ ଓଡ଼ିଶାରେ ନୁହେଁ, ବରଂ ସମଗ୍ର ଦେଶରେ ଏକ ଜଣାଶୁଣା କଥା। ଉତ୍ତରପ୍ରଦେଶର ଜମିଜମା ବିବାଦଜନିତ ଏକ ମାମଲା ଶହେ ବର୍ଷ ଅତିକ୍ରିମ କରି ରେକର୍ଡ ସୃଷ୍ଟି କରିଛି। ଏପରିକି ମାମଲାର ମୂଳ ନଥିପତ୍ର ଆଉ ପଢ଼ାହେବା ଅବସ୍ଥାରେ ମଧ୍ୟ ନାହିଁ। ଦେଶର ଅନ୍ୟାନ୍ୟ ଅଦାଲତରେ ଗଡ଼ି ଚାଲିଥିବା ମାମଲାର ଅବସ୍ଥା ମଧ୍ୟ ପ୍ରାୟତଃ ସମାନ। ଜମିଜମା ବିବାଦ ସଂକ୍ରାନ୍ତ ମାମଲାର ଫଇସଲାକୁ ଗତିଶୀଳ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକାଧିକ ଅର୍ଦ୍ଧନ୍ୟାୟିକ ଓ ନ୍ୟାୟିକ ସଂସ୍ଥା ଗଠନ କରିଛନ୍ତି। ତଥାପି ମାମଲା ଫଇସଲାର ଅଗ୍ରଗତି ଆଶାନୁରୂପ ହୋଇପାରୁନାହିଁ, ବରଂ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଏହିସବୁ ଦୃଷ୍ଟିରୁ ବିଚାର କଲେ ଓଡ଼ିଶା ସରକାରଙ୍କ ଉଦ୍ୟମ ଉଲ୍ଲେଖନୀୟ ଓ ସ୍ୱାଗତଯୋଗ୍ୟ ବୋଲି କୁହାଯାଇପାରେ। ରାଜସ୍ୱ ବିଭାଗକୁ ଇତିମଧ୍ୟରେ ‘ମୋ ସରକାର’ରେ ସାମିଲ୍‍ କରିବା ପରେ ଆସନ୍ତା ଏପ୍ରିଲ୍‍ ପହିଲାରୁ ଲୋକଙ୍କୁ ଜମିଜମା କିଣାବିକା ପଞ୍ଜୀକରଣ ହେବାର ୧ ଘଣ୍ଟା ପରେ ସବ୍‍ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ କବଲା ମିଳିପାରିବ। ସେହିପରି ଦାଖଲଖାରଜ ସଂକ୍ରାନ୍ତ ଆବେଦନର ୯୦ ଦିନ ମଧ୍ୟରେ ଏବଂ ବିଶେଷ କ୍ଷେତ୍ରରେ ସର୍ବାଧିକ ୧୨୦ ଦିନ ମଧ୍ୟରେ ପଟ୍ଟା ମିଳିପାରିବ ବୋଲି ସରକାର କହିଛନ୍ତି। ଏବେ ରେକର୍ଡ ଅଫ୍‍ ରାଇଟ୍‍ସ(ଜମି ମାଲିକାନା ସ୍ୱତ୍ବ)ରେ ୭୭୯୬ ପ୍ରକାର କିସମ ବ୍ୟବସ୍ଥା ରହିଥିବାବେଳେ ସେସବୁକୁ ମିଶାଇ ୭୦ ପ୍ରକାର କିସମରେ ସୀମିତ କରିବା ପାଇଁ ସରକାର ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି।
ଏ ସବୁ ସତ୍ତ୍ବେ ଜମିଜମା ସଂକ୍ରାନ୍ତରେ ଲୋକଙ୍କୁ ନ୍ୟାୟ ଦେବାରେ ସରକାରଙ୍କୁ ଆହୁରି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ନିଜ କଷ୍ଟାର୍ଜିତ ଅର୍ଥରୁ ଜମି କିଣିସାରିବା ପରେ ପଟ୍ଟା ପାଇଁ କୋର୍ଟକଚେରି ଦୌଡ଼ୁଥିବା ଲୋକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ। ବିଶେଷକରି ଏ ସଂକ୍ରାନ୍ତ ଆଇନ୍‍ର ପେଞ୍ଚ ଭିତରେ ପଶି ପାରୁନଥିବା ବା ଆଦୌ ଜ୍ଞାନ ନଥାଇ ବିଲ୍ଡର ବା ଜମି ମାଫିଆଙ୍କ ପ୍ରଲୋଭନରେ ଠକାମୀର ଶିକାର ହୋଇଥିବା ଲୋକଟି ଜମି କିଣି ସାରିବା ପରେ ଯେତେବେଳେ ପଟ୍ଟା ପାଇଁ ତହସିଲ୍‍ କାର୍ଯ୍ୟାଳୟକୁ ଯାଉଛି ସେତେବେଳେ ସେ ବାସ୍ତବତା ଉପଲବ୍ଧି କରୁଛି। ଦାଖଲ ଖାରଜ ହୋଇପାରୁନଥିବା ଜମି କିସମ ସମ୍ପର୍କରେ କ୍ରେତାକୁ ସମ୍ପୃକ୍ତ ଅଧିକାରୀ/କର୍ମଚାରୀମାନେ ସୂଚନା ଦିଅନ୍ତି ନାହିଁ। କେବଳ ଜମି କିଣାବିକା ସମ୍ପର୍କିତ ସରକାରୀ ଔପଚାରିକତା ପୂରଣ କରି ସେମାନେ ନିଜ କର୍ତ୍ତବ୍ୟ ସମ୍ପାଦନ କଲେ ବୋଲି ଭାବି ନିଅନ୍ତି। ଦଲାଲ୍‍ ବା ମଧ୍ୟସ୍ଥିମାନଙ୍କଠାରୁ ଏଭଳି ସମ୍ବେଦନଶୀଳତା ବା ମାନବିକତା ଆଶା କରିବା ବୃଥା।
ତହସିଲ୍‍ କାର୍ଯ୍ୟାଳୟରୁ ନିରାଶ ହେବା ପରେ ବିଚରା କ୍ରେତାକୁ ବନ୍ଦୋବସ୍ତ ଶିବିର(ସେଟେଲମେଣ୍ଟ କ୍ୟାମ୍ପ)ର ଦ୍ୱାରସ୍ଥ ହେବାକୁ ପଡ଼େ। ସେଠାରେ ଯଦି ସମ୍ପୃକ୍ତ କର୍ମଚାରୀଙ୍କୁ କ୍ରେତା ଜଣକ ସନ୍ତୁଷ୍ଟ କରି ନ ପାରିଲେ ତେବେ ତାଙ୍କ ପାଇଁ କୋର୍ଟ ହିଁ ଶେଷ ସାହାରା। ସେଠାରୁ ଆରମ୍ଭ ହୁଏ ଅସାଧୁ ଓକିଲଙ୍କ ଖେଳ। ଫଳରେ ନିଜ ଜୀବଦ୍ଦଶା ଭିତରେ କ୍ରେତାଟିଏ ଜମିର ମାଲିକାନା ହାସଲ ନ କରିବାର ଦୃଷ୍ଟାନ୍ତ ଅନେକ।
ଯଦି ‘ମୋ ସରକାର’ ସେମାନଙ୍କ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇପାରନ୍ତା ତେବେ ହଜାରହଜାର ନିରୀହ ଜମି କ୍ରେତା ଉପକୃତ ହୋଇପାରନ୍ତେ। ଚିଟ୍‍ ଫଣ୍ଡ ଠକେଇର ଶିକାର ହୋଇଥିବା ଲୋକଙ୍କୁ ନ୍ୟାୟ ଦେବା ପାଇଁ ସରକାର ତଦନ୍ତ ଆୟୋଗ ଗଠନ କରିବା ସହିତ କର୍ପସ ପାଣ୍ଠି ସୃଷ୍ଟି କରିଥିଲେ। ସେହି ବିଚାର, ହୃଦୟବତ୍ତା ଓ ଦୃଷ୍ଟିକୋଣ ରଖି ସରକାର ବର୍ଷବର୍ଷ ଧରି ପଡ଼ି ରହିଥିବା ଜମିଜମା ସଂକ୍ରାନ୍ତ ମାମଲା/ବିବାଦର ସମାଧାନ କରିବାକୁ ଏବଂ ଜନତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଆୟୋଗ ଗଠନ କରିପାରନ୍ତେ। ଏଥିପାଇଁ ସରକାରଙ୍କୁ କର୍ପସ ପାଣ୍ଠି ଗଠନ ଭଳି ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡ଼ନ୍ତା ନାହିଁ। କେବଳ ପ୍ରଶାସନିକ ଓ ଆଇନ ବ୍ୟବସ୍ଥାଗତ ସଂସ୍କାର ଜରିଆରେ ଏହା ସାକାର ହୋଇପାରନ୍ତା। ଜମିଜମା/ବନ୍ଦୋବସ୍ତ ସଂକ୍ରାନ୍ତ ମୂଳ ଆଇନରେ ଇତିମଧ୍ୟରେ ଏକାଧିକ ସଂଶୋଧନ କରାଯାଇଛି। ତେଣୁ ଆଇନ୍‍ ଜାଲରେ ଛନ୍ଦି ହୋଇ ରହିଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଇନରେ ଆବଶ୍ୟକ ସଂଶୋଧନ ଅଣାଯାଇପାରେ ବୋଲି ଆମର ମତ। ଏହାଦ୍ୱାରା ବିଭିନ୍ନ କୋର୍ଟକଚେରିରେ ଗଡ଼ୁଥିବା ମାମଲା ବୋଝ ମଧ୍ୟ ବହୁ ପରିମାଣରେ ହ୍ରାସ ପାଇପାରନ୍ତା।
ଜମିଜମା ସଂକ୍ରାନ୍ତ ଆଇନ୍‍ ଅନୁଯାୟୀ ସରକାର ହେଉଛନ୍ତି ରାଜା ଏବଂ କ୍ରେତାମାନେ ପ୍ରଜା। ପ୍ରଜାଙ୍କ ମଙ୍ଗଳ ହିଁ ପ୍ରକୃତ ରାଜଧର୍ମ। ତେଣୁ ‘ମୋ ସରକାର’ର ଦୃଷ୍ଟିକୋଣ ଓ କାର୍ଯ୍ୟ ପରିସୀମା କେବଳ ବର୍ତ୍ତମାନ ଏବଂ ଭବିଷ୍ୟତରେ ସୀମିତ ନ ରହି ଅତୀତକୁ ମଧ୍ୟ ପରିବ୍ୟାପ୍ତ ହେବା ଆବଶ୍ୟକ। ଓଡ଼ିଶା ଓ ଓଡ଼ିଶାବାସୀ ପ୍ରଗତି ପାଇଁ ଦୀର୍ଘ ପଥ ଅତିକ୍ରମ କରିବାକୁ ଥିବା ବିଜେଡି ସରକାରଙ୍କ ଭବିଷ୍ୟତ ଆହୁରି ସୁଦୃଢ଼, ଲୋକାଦୃତ ଓ ନିଶ୍ଚିତ କରିବାକୁ ହେଲେ ଅତୀତକୁ ଦୃଷ୍ଟି ଦେବା ଜଣେ ଦୂରଦ୍ରଷ୍ଟା ପ୍ରଜାମଙ୍ଗଳ ରାଷ୍ଟ୍ରନୀତିଜ୍ଞଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ହେଉ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories