ନୂଆଦିଲ୍ଲୀ: ଆଗାମୀ ହୋଲି ସମୟରେ ସୁପ୍ରିମକୋର୍ଟ ବନ୍ଦ ହେବନି। ହୋଲି ଛୁଟି ସମୟରେ ସର୍ବୋଚ୍ଚ ନ୍ୟାୟାଳୟରେ ଅବକାଶ ଖଣ୍ଡପୀଠ କାର୍ଯ୍ୟ କରିବେ। ପ୍ରଧାନ ବିଚାରପତି(ସିଜେଆଇ) ଏସ.ଏ. ବୋବଡେ ଗୁରୁବାର ଏହି ନିଷ୍ପତ୍ତି ନେଇଛନ୍ତି। କୋର୍ଟରେ ଦୀର୍ଘ ସମୟ ଧରି ଅନେକ ଗୁରୁତ୍ଵପୂର୍ଣ୍ଣ ମାମଲାର ବିଚାର ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସିଜେଆଇ କହିଛନ୍ତି, ହୋଲିର ୭ ଦିନିଆ ଛୁଟି ସମୟରେ ଅତି ଗୁରୁତ୍ଵପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏକ ଅବକାଶ ଖଣ୍ଡପୀଠ ଗଠନ କରିବେ। ଏହି ଖଣ୍ଡପୀଠ ହୋଲି ଦିନ ଅର୍ଥାତ ମାର୍ଚ୍ଚ ୧୦ ତାରିଖକୁ ଛାଡ଼ି ଅନ୍ୟ ଛୁଟି ଦିନଗୁଡ଼ିକରେ କାର୍ଯ୍ୟ କରିବେ।
ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଅବକାଶ ଖଣ୍ଡପୀଠ କେବଳ ଗ୍ରୀଷ୍ମ ଛୁଟି ସମୟରେ କାର୍ଯ୍ୟ କରିଥାନ୍ତି। ତେବେ ଗୁରୁବାର ଜଣେ ଓକିଲ ଏକ ମାମଲାର ତ୍ଵରିତ ଶୁଣାଣି ପାଇଁ ଅନୁରୋଧ କରିବାରୁ ପ୍ରଧାନ ବିଚାରପତି ଏହି ନିଷ୍ପତ୍ତି ନେଇଥିଲେ।



