-ବାଲେଶ୍ବର ଜିଲାରେ କଟାହେଲା ସର୍ବାଧିକ ଚାଲାଣ
-କିଛି ଜାଗାରେ ବିରୋଧ କଲେ ଗାଡ଼ି ଚାଳକ
-ଟ୍ରକ୍କୁ ୧.୧୦ ଲକ୍ଷ ଓ ଦୁଇ ଚକିଆକୁ ୨୨ ହଜାର
-ବେପରୁଆ ଗାଡ଼ି ଚାଳକଙ୍କୁ ନିସ୍ତାର ନାହିଁ
ଭୁବନେଶ୍ବର : ୬ ମାସ ପରେ ଆଜିଠାରୁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ଟ୍ରାଫିକ୍ ଧରପଗଡ଼। ସଂଶୋଧିତ ମୋଟରଯାନ ଆଇନ୍-୧୯୮୮ ଅନୁସାରେ ଧାର୍ଯ୍ୟ ଜୋରିମାନା ଆଦାୟ କରିଛି ଉଭୟ ପରିବହନ ବିଭାଗ ଓ ପୁଲିସ। ଜାତୀୟ ରାଜପଥ ହେଉ କିମ୍ବା ରାଜଧାନୀର ଜନପଥ, ସବୁଆଡ଼େ ପୁଲିସ ଏବଂ ଆରଟିଓ ବେପୁରଆ ଗାଡ଼ି ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ପ୍ରଥମ ଦିନରେ ଲକ୍ଷାଧିକ ଟଙ୍କାର ଜୋରିମାନା ଆଦାୟ ହୋଇଛି। ସମଗ୍ର ଜିଲାରେ ଆଜି ୧୬୫୦ ଟ୍ରଫିକ୍ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଇ-ଚାଲାଣ କଟାଯାଇଛି। ରାୟଗଡ଼ା ଜିଲାରେ ଏକ ଟ୍ରକ୍କୁ ୧ ଲକ୍ଷ ୧୦ ହଜାର ଟଙ୍କାର ଜୋରିମାନା କରାଯାଇ ଥିବାବେଳେ ଭୁବନେଶ୍ବରରେ ଜଣେ ବାଇକ୍ ଚାଳକଙ୍କୁ ୨୨ ହଜାର ଟଙ୍କା ଜୋରିମାନା କରାଯାଇଛି। ତେବେ କଠୋର ଯାଞ୍ଚ ବ୍ୟବସ୍ଥାକୁ ନେଇ ଭୁବନେଶ୍ବର ସମେତ ଆଉ କିଛି ସ୍ଥାନରେ ଲୋକଙ୍କ ବିରୋଧ ଦେଖିବାକୁ ମିଳିଥିଲା। କେବଳ ଜୋରିମାନା ଆଦାୟ ନୁହେଁ, ଜୀବନ ରକ୍ଷା ଆମର ଉଦ୍ଦେଶ୍ୟ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।
ମୋଟା ଅଙ୍କର ଜୋରିମାନାକୁ ନେଇ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଦୁଇଟି ପର୍ଯ୍ୟାୟରେ ଟ୍ରାଫିକ୍ ଧରପଗଡ଼କୁ ୬ ମାସ କୋହଳ କରାଯାଇଥିଲା। ତେବେ ପୂର୍ବ ଘୋଷଣା ଅନୁଯାୟୀ ଆଜି ଠାରୁ ସମଗ୍ର ରାଜ୍ୟରେ ଟ୍ରାଫିକ୍ ଧରପଗଡ଼ ଆରମ୍ଭ ହୋଇଛି। ଭୁବନେଶ୍ବର, କଟକ, ବାଲେଶ୍ବର, ସମ୍ବଲପୁର, ପୁରୀ, କୋରାପୁଟ ଭଳି ବିଭିନ୍ନ ଜିଲାରେ ପୂର୍ବାପେକ୍ଷା ଆଜି ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିସରକୁ ଅଧିକ ବ୍ୟାପକ କରାଯାଇଥିବା ଦେଖା ଯାଇଥିଲା।
ଯଦିଓ କୋହଳ ସମୟରେ ବି ଯାନବାହନ ଯାଞ୍ଚ ଚାଲୁଥିଲା, ତେବେ ଆଜି ଠାରୁ ଏଥିରେ ପରିବର୍ତ୍ତନ ଦେଖାଯାଇଛି। ଏଥର ଡ୍ରାଇଭିଂ ଲାଇସେନ୍ସ ଅପେକ୍ଷା ବେପରୁଆ ଗାଡ଼ି ଚାଳକଙ୍କ ଉପରେ ନଜର ରଖିଥିଲା ପୁଲିସ। ଗୋଟିଏ ବାଇକ୍ରେ ତିନିଜଣ ବସି ଯାଉଥିବା, ବିପରୀତ ଦିଗରୁ ଗାଡ଼ି ଚଳାଇ ଆସୁଥିବା ଚାଳକଙ୍କୁ ଜଣ ଜଣ କରି ଧରିଥିଲା ପୁଲିସ। ଆଜି ବିଭିନ୍ନ ଜିଲାରେ ପୁଲିସ ଓ ଆରଟିଓ ପକ୍ଷରୁ ୧୬୫୦ ଜଣ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ଇ-ଚାଲାଣ କଟାଯାଇଛି। ରାତି ୮ଟା ସୁଦ୍ଧା ଇ-ଚାଲାଣ ସଂଖ୍ୟା ୧୩୯୭ ଥିଲା। ମୁଖ୍ୟତଃ ମଦ୍ୟପାନ କରି ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା, ବିପରିତ ଦିଗରେ ଗାଡ଼ି ଚଳାଇବା, ତିନିଜଣ ଗୋଟିଏ ବାଇକ୍ରେ ଯିବା, ମୋବାଇଲ୍ ଫୋନ୍ ବ୍ୟବାହର କରି ଗାଡ଼ି ଚଳାଉଥିବା ଲୋକଙ୍କୁ ଇ-ଚାଲାଣ ଧରାଇ ଦେଇଥିଲା ପୁଲିସ। ବାଲେଶ୍ବର ଜିଲାରେ ସର୍ବାଧିକ ୧୫୫ଟି ଇ-ଚାଲାଣ କଟାଯାଇ ଥିବାବେଳେ ସମ୍ବଲପୁରରେ ୧୧୯, ବରଗଡ଼ରେ ୧୦୪, ଗଞ୍ଜାମରେ ୯୨ ଓ କୋରାପୁଟରେ ୮୪ଟି ଇ-ଚାଲାଣ କଟାଯାଇଛି। ଜାତୀୟ ରାଜପଥ ଉପରେ ଦ୍ରୁତ ଗାଡ଼ି ଚାଳନାକୁ ଜଗି ରହିଥିଲା ଇଣ୍ଟରସେପ୍ଟର। ରାତିବେଳା ମଦୁଆ ଗାଡ଼ି ଚାଳକ ଧରପଗଡ଼କୁ ଅଧିକ କଡ଼ାକଡ଼ି କରିବା ପାଇଁ କୁହାଯାଇଛି। ସେହିପରି ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ଗାଡ଼ି, ଦ୍ରୁତଗତିରେ ଗାଡ଼ି ଚାଳନା, ଲାଲ୍ ସଙ୍କେତ ଅତିକ୍ରମ କରିବା, ବିପରୀତ ଦିଗରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର କରିବା, ବିପଜ୍ଜନକ ଭାବେ ଗାଡ଼ି ଚଳାଇବା, ଦୁଇ ଚକିଆ ଯାନରେ ତିନିଜଣ ଯିବା ଆଦି ନିୟମ ଉଲ୍ଲଘଂନକାରୀଙ୍କୁ ନିସ୍ତାର ନଦେବା ପାଇଁ ନିର୍ଦେଶ ହୋଇଛି।


