ଭୁବନେଶ୍ବର: ରାଜ୍ୟ ସରକାର ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସେସୁକୁ ଏକପ୍ରକାର ବେସରକାରୀ ସଂସ୍ଥା ଟାଟା ପାୱାର ହାତକୁ ଟେକି ଦେଇଥିବା ପରେ ମଧ୍ୟ ଜନତାଙ୍କ ଉପରେ ଦାଉ ସାଧୁଛି ସେସୁ। ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସେସୁ ବିଦ୍ୟୁତ ବକେୟା ନେଇ ଜାରି କରିଥିବା ବିଜ୍ଞପ୍ତିରେ ସରକାରୀ ସଂସ୍ଥା ଓ ସାଧାରଣ ଉପଭୋକ୍ତାଙ୍କ ପାଇଁ ଅଲଗା ସମୟସୀମାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେସୁ ବକେୟା ବିଲ ପୈଠ ପାଇଁ ସାଧାରଣ ଉପଭୋକ୍ତାଙ୍କୁ ଜାନୁଆରୀ ୧୫ ତାରିଖ ଶେଷ ତାରିଖ ଧାର୍ୟ୍ୟ କରିଥିବା ସମୟରେ ସରକାରୀ ସଂସ୍ଥା ପାଇଁ ମାର୍ଚ୍ଚ ୩୧ ଶେଷ ତାରିଖ ଧାର୍ୟ୍ୟ କରିଛନ୍ତି। ସରକାରୀ ସଂସ୍ଥା ପାଇଁ ଏକ ନିୟମ ଏବଂ ସାଧାରଣ ଜନତାଙ୍କ ପାଇଁ ଅନ୍ୟ ଏକ ନିୟମକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଣ ପାଇଁ ସେସୁର ଏ ସରକାରୀ ପ୍ରୀତି, ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ ଗୁରୁବାର ସେସୁର ସିଇଓ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନି କରି କହିଛନ୍ତି ଯେ ବକେୟା ବିଦ୍ୟୁତ ବିଲ ପୈଠ କରିନଥିବା ବିଦ୍ୟୁତ ଉପଭୋକ୍ତାଙ୍କ ଘରୁ ଜାନୁଆରୀ ୧୬ରୁ ସେସୁ ବିଦ୍ୟୁତ୍ ବିଚ୍ଛିନ୍ନ କାମ ଆରମ୍ଭ କରିବ। ବିଦ୍ୟୁତ୍ କାଟିବାକୁ ସେସୁ ୧୧ ହଜାର ୩୯୭ ଗାଁକୁ ଚିହ୍ନଟ କରିଛି। ବିଦ୍ୟୁତ୍ କାଟିବାକୁ ୪୧୩ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ମଧ୍ୟ ଗଠନ କରାଯାଇଛି। ବକେୟା ପଇଠ ନକଲେ ନିଶ୍ଚିତ ଭାବେ ବିଦ୍ୟୁତ୍ କଟାଯିବ। ବକେୟା ରଖିଥିବା ସରକାରୀ, ଘରୋଇ ଗ୍ରାହକଙ୍କୁ ନୋଟିସ ହୋଇଛି। ୫ ହଜାର ୯୬୫ ସରକାରୀ ଅନୁଷ୍ଠାନ ବକେୟା ରଖିଛନ୍ତି ଓ ସେଗୁଡିକୁ ନୋଟିସ ହୋଇଥିବା କହିଛନ୍ତି ସେସୁର ସିଇଓ ଅରୁଣ ବୋଥ୍ରା। ବକେୟା ରଖିଥିବା ୭ ଲକ୍ଷ ଗ୍ରାହକଙ୍କ ମଧ୍ୟରୁ ୧.୧୦ ଲକ୍ଷ ଦେୟ ପୈଠ କରିଥିବା ବେଳେ ବକେୟା ଥିବା ୧୯୭୧ କୋଟିରୁ ୨୧ କୋଟି ତାଙ୍କ ଆଦାୟ ହୋଇଥିବା ସେ ସୂଚନା ଦେଇଛନ୍ତି।
ପୂର୍ବରୁ ଡିସେମ୍ବର ୧୧ରେ ବିଦ୍ୟୁତ୍ ବିଲ୍ ବକେୟା ପଡିଥିବା ଉପଭୋକ୍ତାଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ସେସୁର ସିଇଓ ଅରୁଣ ବୋଥ୍ରା ବକେୟା ବିଲ୍ ନ ଦେଲେ ସେସୁ ଉପଭୋକ୍ତାଙ୍କ ସଂଯୋଗ ଛିନ୍ନ କରିଦେବ ବୋଲି ସୂଚନା ଦେଇଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୋଥ୍ରା କହିଥିଲେ, ସେସୁର ଲକ୍ଷାଧିକ ଉପଭୋକ୍ତାଙ୍କ ଉପରେ ୧୯୭୧ କୋଟି ଟଙ୍କାର ବକେୟା ଗତ କିଛି ବର୍ଷ ହେବ ଅନାଦେୟ ହୋଇ ପଡିରହିଛି। ସେସୁର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଏବଂ ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିବା ସେ କହିଥିଲେ। ଉପଭୋକ୍ତାମାନେ ତୁରନ୍ତ ସେମାନଙ୍କର ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ସିଇଓ ବୋଥ୍ରା ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ। ଗତ ୨ ବର୍ଷ ହେବ ୧ କୋଟି ୪ ଲକ୍ଷ ୫୯ ଜଣ ଉପଭୋକ୍ତା ବିଦ୍ୟୁତ୍ ବିଲ୍ ଦେଇ ନାହାନ୍ତି। ନିୟମ ଅନୁସାରେ ଖିଲାପି ଉପଭୋକ୍ତାଙ୍କୁ ଏକ ମାସ ସମୟ ଦିଆଯାଇଥିଲା। ଜାନୁଆରୀ ୧୫ ତାରିଖ ପରଠାରୁ ଅଧିକ ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ଉପଭୋକ୍ତାଙ୍କର ସଂଯୋଗ ଛିନ୍ନ କରିଦିଆଯିବ ବୋଲି ଚେତାଇ ଦେଇଛନ୍ତି।



