ମୁମ୍ବଇ ଆସିଲା ଶ୍ରୀଦେବୀଙ୍କ ମୃତଦେହ

0

ମୁମ୍ବଇ: ଅନେକ ବାଦ ବିବାଦ ଓ କଳ୍ପନାଜଳ୍ପନାର ଅବସାନ ପରେ ବଲିଉଡର ଦିବଂଗତ ମହାନାୟିକା ଶ୍ରୀଦେବୀଙ୍କ ମୃତଦେହ ମଙ୍ଗଳବାର ରାତିରେ ମୁମ୍ବଇରେ ପହଞ୍ଚିଛି। ଶିଳ୍ପପତି ଅନିଲ ଅମ୍ବାନୀଙ୍କ ବ୍ୟକ୍ତିଗତ ଜେଟ୍‌ ଯୋଗେ ଶ୍ରୀଦେବୀଙ୍କ ମୃତଦେହକୁ ଦୁବାଇରୁ ମୁମ୍ବଇ ଅଣାଯାଇଥିଲା। ମୃତଦେହ ମୁମ୍ବଇରେ ପହଞ୍ଚିବା ପରେ ସାଧାରଣ ଲୋକ ଓ ଅନ୍ୟମାନଙ୍କ ଶେଷ ଦର୍ଶନ ନିମନ୍ତେ ରଖାଯାଇଛି। ବୁଧବାର ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କରାଯିବ ବୋଲି ପରିବାର ଲୋକ କହିଛନ୍ତି।
ଶନିବାର ବିଳମ୍ବିତ ରାତ୍ରିରେ ଦୁବାଇସ୍ଥିତ ଜୁମିରା ଏମିରେଟ୍ସ ଟାୱାର ହୋଟେଲର ଶ୍ରୀଦେବୀଙ୍କର ପରଲୋକ ହୋଇଥିବା ବେଳେ ତାଙ୍କ ମୃତଦେହ ସ୍ୱଦେଶ ଆଣିବା ଲାଗି ବିଳମ୍ବିତ ହୋଇଥିଲା। ମୃତ୍ୟୁର ପରଦିନ ରବିବାର ତାଙ୍କ ମୃତଦେହ ଭାରତ ପହଞ୍ଚିବା ନେଇ ପ୍ରଥମରୁ କୁହାଯାଇଥିଲା। ମାତ୍ର ମୃତଦେହ ଭାରତ ପହଞ୍ଚିବାରେ ଅନେକ ବିଳମ୍ବ ହୋଇଥିଲା। ତାଙ୍କର ମୃତ୍ୟୁକୁ
ନେଇ ବିବାଦ ଦେଖାଯାଇଥିବାବେଳେ ମୃତଦେହ ବ୍ୟବଚ୍ଛେଦ ସହିତ ଅନ୍ୟାନ୍ୟ ପ୍ରକ୍ରିୟାଗତ କାର୍ୟ୍ୟକୁ ନେଇ ବିଳମ୍ବିତ ହୋଇଥିଲା। ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଦେଖାଯାଇଥିବା ବିବାଦ ଉପରେ ଦୁବାଇର ପବ୍ଲିକ ପ୍ରସିକ୍ୟୁସନ (ସରକାରୀ ଅଭିଯୋଜନ) ବିଭାଗ ତଦନ୍ତ କରିବା ପରେ ମୃତଦେହକୁ ଛାଡିବା ପାଇଁ ପୁଲିସ ଅନୁମତି ଦେଇଥିଲା। ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟାରେ ଦୁବାଇ ପ୍ରସିକ୍ୟୁସନ ବିଭାଗ ହୋଟେଲ କର୍ମଚାରୀ ଓ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁରଙ୍କୁ ପଚରା ଉଚରା କରିବା ପରେ ମାମଲାକୁ ବନ୍ଦ କରିଦେଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ରୀଦେବୀଙ୍କର ମୃତ୍ୟୁ ଆକସ୍ମିକ ବୁଡିଯିବା ଯୋଗୁଁ ହୋଇଥିବା ଉଲ୍ଲେଖ କରାଯାଇଛି। ତେଣୁ ଏହି ମୃତ୍ୟୁ ଘଟଣାକୁ ପ୍ରସିକ୍ୟୁସନ ବିଭାଗ ସେପରି ଗୁରୁତ୍ୱ ଦେଇ ନଥିଲା। ଅନ୍ୟ ସମସ୍ତ ମାମଲା ପରି ନିୟମିତ ପ୍ରକ୍ରିୟା ଅବଲମ୍ବନ ପରେ ଏହାକୁ ବନ୍ଦ କରିଦେଇଥିଲା। ମାମଲା ବନ୍ଦ ଘୋଷଣା ପରେ ୫ଟାରେ ଶ୍ରୀଦେବୀଙ୍କ ମୃତଦେହକୁ ରାସାୟନିକ ପ୍ରଲେପ ଲାଗି ପଠାଯାଇଥିଲା। ରାସାୟନିକ ପ୍ରଲେପ ପରେ ଦୁବାଇ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମୃତଦେହ ହସ୍ତାନ୍ତର ସମ୍ପର୍କିତ ଚିଠି ଉଭୟ ଶ୍ରୀଦେବୀଙ୍କ ପରିବାର ଓ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ମୃତଦେହ ହସ୍ତାନ୍ତର ପରେ ଏହାକୁ ଦୁବାଇ ବିମାନ ବନ୍ଦରକୁ ଅଣାଯାଇଥିଲା। ଏଠାରେ ପୂର୍ବରୁ ପ୍ରସ୍ତୁତ ରହିଥିବା ବିମାନ ଯୋଗେ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଶ୍ରୀଦେବୀଙ୍କ ମୃତଦେହକୁ ଭାରତ ଅଣାଯାଇଥିଲା। ଶନିବାର ବିଳମ୍ବିତ ରାତିରେ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଦୁବାଇସ୍ଥିତ ଜୁମିରା ଏମିରେଟ୍ସ ଟାୱାର ହୋଟେଲର ଗାଧୁଆ ଘରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ମୃତ ଘୋଷଣା କରାଯାଇଥିଲା। ଭଣଜା ମୋହିତ ମାରୱାଙ୍କ ବିବାହ ଲାଗି ଶ୍ରୀଦେବୀ ତାଙ୍କ ସ୍ୱାମୀ ବୋନି କପୁର ଓ ଝିଅ ଖୁସି ଦୁବାଇ ଯାଇଥିଲେ।

Leave A Reply