ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏହା ପଛକୁ ରହିଛି ଗୁଜରାଟ। ଅହମଦାବାଦସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ)ରେ ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁଷ୍ଠାନର କର୍ମଚାରୀ ଏବଂ ଛାତ୍ରଛାତ୍ରୀ ରହିଛନ୍ତି ବୋଲି ଅହମଦାବାଦ ନଗର ନିଗମର ଡେପୁଟି ସ୍ବାସ୍ଥ୍ୟ ଅଧିକାରୀ ଡା. ମେହୁଲ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ସେହିପରି ପଟିୟାଲାର ନାଭା ଓପନ ଜେଲରେ ୪୦ ମହିଳା କଏଦୀଙ୍କ ସମେତ ମୋଟ ୪୭ ଜଣ ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରାନ୍ତମାନଙ୍କୁ କୋଭିଡ ପଜିଟିଭ ରହୁଥିବା ଜେଲକୁ ସ୍ଥାନାନ୍ତର କରିଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।



