ସମାଜ ଡିଜିଟାଲ ଡେସ୍କ: ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ ୪ ଭାରତୀୟ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ କିଛିଦିନ ଧରି ନିଖୋଜ ରହିଥିଲେ। ଶନିବାର ସେମାନଙ୍କ ମୃତଦେହ ମିଳିଛି। ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ମାର୍ଶାଲ କାଉଣ୍ଟି ଶେରିଫ ମାଇକ୍ ଡଗର୍ଟିଙ୍କ ସୂଚନା ଅନୁସାରେ, ଗତ ଶନିବାର ରାତି ପ୍ରାୟ ୯ଟା ୩୦ରେ (ଆମେରିକୀୟ ସମୟ) ବିଗ୍ ହୁଇଲିଂ କ୍ରିକ୍ ରୋଡର ଏକ ସେତୁବନ୍ଧ ନିକଟରେ ଗଭୀରକୁ ଗୋଟିଏ କାର ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା। ଗାଡ଼ିକୁ ଉଦ୍ଧାର କରାଯିବା ପରେ ସେଥିରେ ୪ ଜଣଙ୍କ ମୃତଦେହ ରହିଥିଲା। ମୃତକମାନେ ହେଲେ ଆଶା ଦିଭନ, କିଶୋର ଦିଭନ, ଶୈଳେଶ ଦିଭନ ଏବଂ ଗୀତା ଦିଭନ। ଏମାନେ ଗତ ସୋମବାର ପିଟ୍ସବର୍ଗ ଦେଇ ମାଉଣ୍ଟ୍ସ ଭିଲେ ଯିବାର ଥିଲା। ସେଠାରେ ପ୍ରଭୁପାଦ ପ୍ୟାଲେସରେ ମଙ୍ଗଳବାର ରାତ୍ରିଯାବନ କରିବାର ଥିଲା। କିନ୍ତୁ ରାସ୍ତାରେ ସେମାନେ ନିଖୋଜ ହୋଇଯାଇଥିଲେ। ସେମାନଙ୍କର କୌଣସି ପତ୍ତା ମିଳି ନ ଥିଲା। ଗତ ମଙ୍ଗଳବାରଠାରୁ ସେମାନଙ୍କ ଫୋନ ଲାଗୁ ନ ଥିବାରୁ ପରିବାର ପକ୍ଷରୁ ପୁଲିସକୁ ଅବଗତ କରାଯାଇଥିଲା।



