ଭୁବନେଶ୍ବର: ବରଗଡ ଜିଲାରେ ନିର୍ମାଣ ହେବ ୩ଟି ବୃହତ୍ ସେତୁ। ଏଥିପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ୩ ସେତୁ ଦ୍ବାରା ଜିଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।
୩ଟି ସେତୁ ମଧ୍ୟରେ ବରପାଲିରେ ଗୋଟିଏ ବୃହତ ସେତୁ ରହିଛି। ବରପାଲିର ଜିଲୋଟ ନାଳ ଉପରେ ଏକ ସେତୁ ନିର୍ମାଣ କରାଯିବ। ୧୨୦ ମିଟର ଦୀର୍ଘ ଏହି ସେତୁ ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ବରଗଡ଼ ପୌରାଞ୍ଚଳ ଆଗାଁ ନଳା ଉପରେ ୬୦ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ତୃତୀୟ ସେତୁଟି ସରଳା ନାଳ ଉପରେ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ୧୫୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି।



