www.samajalive.in
Tuesday, December 9, 2025
16.1 C
Bhubaneswar

ଚାଷୀଙ୍କୁ ୩ବର୍ଷ ମାଗଣା ଶସ୍ୟବୀମା

ଭୁବନେଶ୍ୱର : ଚାଷୀଙ୍କ ଶସ୍ୟବୀମା ଆସନ୍ତା ତିନି ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା ହେବ। ରାଜ୍ୟ ସରକାର ୨୦୨୩ ଖରିଫ୍‌ରୁ ୨୦୨୫-୨୬ ରବି ପର୍ଯ୍ୟନ୍ତ ଚାଷୀଙ୍କ ପ୍ରିମିୟମ ବାବଦ ସମସ୍ତ ଖର୍ଚ୍ଚ ବହନ କରିବେ। ରାଜ୍ୟ ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟରେ ଜଣେ ହେଲେ ଭୋକିଲା ରହି‌େବ ନାହିଁ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବ୍ୟତୀତ ରାଜ୍ୟ ସରକାର ୧୦ଲକ୍ଷ ହିତାଧିକାରୀଙ୍କୁ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା (ଏସଏଫଏସଏ)ରେ ସାମିଲ କରିଛନ୍ତି ବୋଲି ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।
ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ବିଭାଗର ସମୀକ୍ଷା କରିବା ପରେ ମନ୍ତ୍ରୀ ଶ୍ରୀ ନାୟକ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମବାୟ ବିଭାଗର ବିଭିନ୍ନ ଉପଲବ୍ଧି ମଧ୍ୟରୁ ରାଜ୍ୟର ଚାଷୀଙ୍କୁ କୃଷିଋଣ ଯୋଗାଣ ଅନ୍ୟତମ। ଓଡ଼ିଶାରେ ତ୍ରିସ୍ତରୀୟ ସ୍ୱଳ୍ପମିଆଦୀ ସମବାୟ ଋଣ ବ୍ୟବସ୍ଥା ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ,୧୭ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ୨୭୧୦ଟି ପ୍ରାଥମିକ କୃଷି ଋଣ ସମବାୟ ସମିତି(ପାକ୍ସ)ଚାଷୀଙ୍କୁ ତାଙ୍କ ଆବଶ୍ୟକତା ମୁତାବକ ବିନା ସୁଧରେ ଚାଷ ଋଣ ଯୋଗାଇ ଦେଉଛନ୍ତି। ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଯଦ୍ବାରା ୨୦୨୨-୨୩ ବର୍ଷରେ ରାଜ୍ୟରେ ୭ ଲକ୍ଷରୁ ଊର୍ଦ୍ଧ୍ବ ଅତିରିକ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ୧୬୬୮୩.୫୭ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଛି। ୨୦୦୦-୦୧ ବର୍ଷରେ ୬.୪୦ ଲକ୍ଷ ଚାଷୀଙ୍କୁ ଦିଆଯାଇଥିବା ୪୩୮.୩୬ କୋଟି ଟଙ୍କା ଋଣ ତୁଳନାରେ ଏହି ଅଭିବୃଦ୍ଧି ବିଭାଗର ସଫଳତାକୁ ସୂଚିତ କରୁଛି। ଏତଦ୍‌ବ୍ୟତୀତ ରାଜ୍ୟରେ ପାକ୍ସଗୁଡ଼ିକ ଚାଷୀଙ୍କୁ ପ୍ରାମାଣିକ ବିହନ ଓ ସାର ଯୋଗାଣକୁ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ୨୨୯୫ଟି ପାକ୍ସର କୋର ବ୍ୟାଙ୍କିଙ୍ଗ ସେବା ବ୍ୟବସ୍ଥାରେ କମ୍ପ୍ୟୁଟରୀକରଣ କରାଯାଇଛି। ତୃଣମୂଳସ୍ତରରେ ସ୍ୱଳ୍ପମିଆଦୀ ଋଣ ସେବା ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ ୧୪୫୧ଟି ନୂତନ ପାକ୍ସ ସଂଗଠିତ କରାଯାଇଛି। ଆନ୍ତଃ-ମଣ୍ଡି ବାଣିଜ୍ୟ କାରବାରର ପରିମାଣରେ ପ୍ରଭୂତ ବୃଦ୍ଧି ଘଟି ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି। ଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟଜନିତ ଫସଲ ହାନିରୁ ସୁରକ୍ଷା ଦେବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ୨୦୨୧-୨୨ ବର୍ଷ ପାଇଁ ୩୧.୯୩ ଲକ୍ଷ ଚାଷୀଙ୍କୁ ୧୧୬୬.୦୨ କୋଟି ଟଙ୍କାର ବୀମାଅର୍ଥ ପ୍ରଦାନ କରାଯାଇଛି। ୨୦୨୩-୨୪ ବର୍ଷରୁ ଏହି ଯୋଜନାରେ ଉନ୍ନତିକରଣ ପୂର୍ବକ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଛିି।
ଶ୍ରୀ ନାୟକ କହିଛନ୍ତି ଯେ, ଚାଷୀଙ୍କୁ ଦିଆଯାଉଥିବା ଶୂନ୍ୟ ପ୍ରତିଶତ ସୁଧରେ ଋଣରେ ୩୨ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେଉଛନ୍ତି। ରାଜ୍ୟର ସମସ୍ତ ୩୦ଜିଲାରେ ଭିଟାମିନ୍‌ଯୁକ୍ତ ଚାଉଳ ଦିଆଯାଉଛି। ୭୦ପ୍ରତିଶତ ସାଧାରଣ ବଣ୍ଟନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ତ୍ବରାନ୍ବିତ କରାଯାଉଛି। ୬୫୦ ମହିଳା ଏସ୍‌ଏଚ୍‌ଜିଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଇଛି। ଚାଷୀଙ୍କ ନିକଟରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପହଞ୍ଚାଇବାକୁ ବ୍ୟବସ୍ଥା ହୋଇଛି। ଆଗାମୀ ଦିନରେ ‘ମିନି ଏଟିଏମ୍‌ କାର୍ଡ’ ବ୍ୟବସ୍ଥା ପ୍ରଣୟନ କରାଯିବାକୁ ବିଭାଗ ଲକ୍ଷ୍ୟ ରଖିଛି।
ରାଜ୍ୟରେ ପ୍ରକୃତରେ କେତେ ପାକ୍ସ କମ୍ପ୍ୟୁଟରୀକରଣ ହୋଇଛି ଏବଂ ପୂର୍ବରୁ ‘ଭି-ସାଫ୍ଟ’ ସଫ୍ଟୱେର ଟେକ୍ନୋଲୋଜି ପକ୍ଷରୁ ହାତକୁ ନିଆଯାଇଥିବା କୋର ବ୍ୟାଙ୍କିଂ ସେବା ଓ ବିଭାଗର ଭ୍ରାମ୍ୟମାଣ ବ୍ୟାଙ୍କିଂ ସେବା କାହିଁକି ଫଳପ୍ରଦ ହୋଇନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କୌଣସି ସଠିକ୍ ଉତ୍ତର ଦେଇ ପାରି ନଥିଲେ। ସମ୍ମିଳନୀରେ ଖାଦ୍ୟ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ ଓ ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚଢ଼ା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories