ଭୁବନେଶ୍ବର: ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି । ଜାତୀୟ ମେଡିକାଲ କମିଶନ୍ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ଟି ସିଟ୍ ଓ ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ ଟି ସିଟ୍ ଅନୁମୋଦିତ ହୋଇଛି। ଏଠାରେ ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହେବ।
ଜାତୀୟ ମେଡିକାଲ କମିଶନ୍ ଦ୍ଵାରା ଏହାକୁ ମଞ୍ଜୁରୀ ମିଳିବା ପରେ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ କହିଛନ୍ତି ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଗୋଟିଏ ବର୍ଷରେ ୨୦୦ ଓଡ଼ିଆ ଛାତ୍ରଛାତ୍ରୀ ଚଳିତ ଶିକ୍ଷା ବର୍ଷ ଠାରୁ ଡାକ୍ତରୀ ଶିକ୍ଷା ଗ୍ରହଣ କରି ପାରିବେ।
ନୂଆ ସରକାର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଓଡ଼ିଶାର ସ୍ବାସ୍ଥ୍ୟ ସେବା ଓ ସ୍ଵାସ୍ଥ୍ୟ ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରି ଚାଲିଛନ୍ତି। ଏହି ମଞ୍ଜୁରୀ ଦ୍ଵାରା ସରକାରଙ୍କ ଉଦ୍ୟମ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।



