ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରାମ୍ବକୀ ଜିଲାରେ ବିଷାକ୍ତ ମଦମୃତ୍ୟୁ ଘଟଣାରେ ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏହି ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ତାଙ୍କୁ ଧରିବା ଲାଗି ପୁଲିସ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ପପୁ ଜୟସ୍ବାଲ ନାମକ ବ୍ୟକ୍ତି ଉକ୍ତ ଦେଶୀ ମଦ ଦୋକାନରେ ସେଲ୍ସମ୍ୟାନ ଭାବେ କାର୍ଯ୍ୟ କରୁଥିଲା।
ଗତ ମଙ୍ଗଳବାର ବାରାମ୍ବକୀ ଜିଲାର ରାମନଗର ଅନ୍ତର୍ଗତ ରାଣୀଗଞ୍ଜରେ ଥିବା ଏକ ସରକାରୀ ଦେଶୀମଦ ଦୋକାନରୁ କେତେକ ଲୋକ ଦେଶୀମଦ କିଣି ପିଇଥିଲେ। ମଦ ପିଇବା ପରେ ପ୍ରଥମେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ରହିଥିଲା। ଅସୁସ୍ଥଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଜିଲା ଅବକାରୀ ଅଧିକାରୀ, ଅବକାରୀ ନିରୀକ୍ଷକଙ୍କ ସମେତ ୧୫ ଜଣଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ଏକ ଟିମ୍ ଗଠନ ହୋଇଛି। ମୁଖ୍ୟ ଅଭିଯୁକ୍ତ ଦାନବୀର ସିଂହ ଫେରାର ଥିବାରୁ ପୁଲିସ ତାଙ୍କ ନାମରେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି।



