www.samajalive.in
Tuesday, December 9, 2025
16.1 C
Bhubaneswar

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଜାରି ହେଲା ନିୟମାବଳୀ : ସବୁ କେନ୍ଦ୍ରରେ ସିସି କ୍ୟାମେରା ଲଗାଇବାକୁ ନିର୍ଦେଶ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ଅକ୍ଟୋବର ପହିଲାରୁ ଆରମ୍ଭ ହେବ। ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଭାଗର ପ୍ରାୟ ୧୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ରାଜ୍ୟରେ ମୋଟ ୧୮୫ଟି ପରୀକ୍ଷା କେନ୍ଦ୍ର ‌କରାଯାଇଛି। ତେବେ ପରୀକ୍ଷାକୁ ସ୍ବଚ୍ଛ ଓ ନିରପେକ୍ଷ କରିବାକୁ ପରିଷଦ ପକ୍ଷରୁ ଗୁରୁତ୍ଵ ଦିଆଯାଇଛି। ପରୀକ୍ଷା ପରିଚାଳନା ସମ୍ବନ୍ଧୀୟ ନିୟମାବଳୀ ଜାରି କରାଯାଇଥିବାବେଳେ କିଭଳି ପ୍ରଶ୍ନପତ୍ର ସଂଗ୍ରହ କରିବେ ସେନେଇ ମଧ୍ୟ ଅଧୀକ୍ଷକଙ୍କୁ ଅବଗତ କରାଯାଇଛି। ପରିଷଦ ପକ୍ଷରୁ ସବୁ ପ୍ରଶ୍ନପତ୍ର ପ୍ରେରଣ ଆରମ୍ଭ ହୋଇଛି। ପରୀକ୍ଷା କେନ୍ଦ୍ର ଓ ଗଛିତ କେନ୍ଦ୍ର(ହବ୍‌)କୁ ଆଜିଠାରୁ ପ୍ରଶ୍ନପତ୍ର ପଠାଯାଇଥିବାବେଳେ ଏହା ୨୮ରୁ ୩୦ ତାରିଖ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବ। ଏଥିପାଇଁ ପରୀକ୍ଷା କେନ୍ଦ୍ରର ଅଧକ୍ଷକ ପ୍ରସ୍ତୁତ ରହିବାକୁ କୁହାଯାଇଛି। ପ୍ରଶ୍ନପତ୍ର ନେଇ ଯାଇଥିବା ଗାଡ଼ିକୁ ଅଯଥାରେ ନ ଅଟକାଇ ତା’କୁ ଶୀଘ୍ର ବିଦା କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି। ସେହିପରି ପଶ୍ନପତ୍ର ରହୁଥିବା ସ୍ଥାନରେ ସିସି କ୍ୟାମେରା(ଚିତ୍ର ଉତ୍ତୋଳନକାରୀ ଯନ୍ତ୍ର) ଲଗାଇବା ସହ ଯେଭଳି ୨୪ ଘଣ୍ଟା ଏହା ଚାଲୁରହିବ ସେ ଦିଗରେ ଅଧ୍ୟୀକ୍ଷକ ଧ୍ୟାନ ଦେବେ। ପ୍ରଶ୍ନପତ୍ର ଠିକ୍‌ ଭାବେ ଗଣନା କରିବା ସହ ଯଦି କମ୍‌ଥାଏ ସେ ସମ୍ବନ୍ଧରେ ପରିଷଦକୁ ତତ୍‌କ୍ଷଣାତ ଅବଗତ କରିବାକୁ କୁହାଯାଇଛି।
ସେହିପରି ସବୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ତାରିଖ ଠିକ୍‌ ରଖିବା ସହ ପ୍ରଶ୍ନପତ୍ର ରହିବାଠାରୁ ଉତ୍ତରଖାତା ସଂଗ୍ରହ ପର୍ଯ୍ୟନ୍ତ କ୍ୟାମେରା ଚାଲୁରହିବା ଦିଗରେ ଅଧ୍ୟକ୍ଷ ଧ୍ୟାନ ଦେବେ। ପରୀକ୍ଷା କେନ୍ଦ୍ର, ପ୍ରଶ୍ନପତ୍ର ଗଚ୍ଛିତ କକ୍ଷ, ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ୟ କ୍ୟାମେରା ଲାଗିବ। ଅନ୍ତତଃ ପକ୍ଷରେ ଏକବର୍ଷର ଚିତ୍ର ଉତ୍ତୋଳନ ପାଇଁ ମେମୋରି ରଖିବାକୁ କୁହାଯାଇଛି। ଅନ୍ୟପକ୍ଷରେ ପରୀକ୍ଷା ପରିଚାଳନକୁ ନେଇ ଜାରି ନିୟମାବଳୀରେ କୁହାଯାଇଛି ଯେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିୟମାବଳୀ ଅନୁସାରେ ପରୀକ୍ଷା ହେବ। ଶିକ୍ଷାନୁଷ୍ଠାନ ପରିସର, ଶୌଚାଳୟ, କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବ। ପରୀକ୍ଷାର୍ଥୀ/କର୍ମଚାରୀଙ୍କୁ ବିନା ତୁଣ୍ଡି(ମାସ୍କ)ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିପାରିବେ ନାହିଁ। ପରୀକ୍ଷା କେନ୍ଦ୍ରରେ ବିଦ୍ୟାର୍ଥୀଙ୍କ ଆସନ ଆବଣ୍ଟନରେ ଦୂରତା ବଜାୟ ରଖାଯିବ। ପରୀକ୍ଷାର୍ଥୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରିବା, ପରୀକ୍ଷା ସରିବା ମାତ୍ରେ ଶିକ୍ଷାନୁଷ୍ଠାନ ଛାଡ଼ିବା ଭଳି ବିବିଧ ନିୟମାବଳୀ ଜାରି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories