ସଂସଦରେ ଥମୁନାହିଁ ନିଲମ୍ବନ ଝଡ- ଏତେ ସଂଖ୍ୟାରେ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ସଂସଦରେ ଚାଲିଥିବା ନିଲମ୍ବନ ଝଡ଼ ଥମିବାର ନାଁ ନେଉନାହିଁ। ଶୀତକାଳୀନ ଅଧିବେଶନ ଅନ୍ତିମ ଲଗ୍ନରେ ଉପନୀତ ହୋଇଥିବାବେଳେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ବିରୋଧୀ ଦଳ ସାଂସଦଙ୍କ ନିଲମ୍ବନ ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଗୃହରେ ହଟ୍ଟଗୋଳ ସାଙ୍ଗକୁ ବିକ୍ଷୋଭ ପ୍ରଦର୍ଶନ କାରଣରୁ ଲୋକସଭାର ଆଉ ୪୯ ସାଂସଦ ନିଲମ୍ବିତ ହୋଇଛନ୍ତି। ଫଳରେ ଚଳିତ ଅଧିବେଶନରେ ଉଭୟ ଗୃହରେ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୧ (ଲୋକସଭା ୯୫+ ରାଜ୍ୟସଭା ୪୬) ଛୁଇଁଛି। ସଂସଦର ୭୧ ବର୍ଷ ଇତିହାସରେ ଗୋଟିଏ ଅଧିବେଶନରେ ଏତେ ସଂଖ୍ୟକ ସାଂସଦ

ନିଲମ୍ବିତ ହେବାରେ ଏହା ରେକର୍ଡ ସୃଷ୍ଟି କରିଛି। ମଙ୍ଗଳବାର ନିଲମ୍ବିତ ହୋଇଥିବା ପ୍ରମୁଖ ଲୋକସଭା ସାଂସଦଙ୍କ ମଧ୍ୟରେ କଂଗ୍ରେସର ଶଶି ତରୁର୍‌, କାର୍ତ୍ତି ଚିଦମ୍ବରମ, ମନୀଷ ତିୱାରୀ, ଚେଲ୍ଲାକୁମାର, ନ୍ୟାସନାଲ କନଫ୍‌ରେନ୍ସର ଫାରୁକ ଅବଦୁଲ୍ଲା, ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ, ତୃଣମୂଳ କଂଗ୍ରେସର ସୁଦୀପ ବନ୍ଦୋପାଧ୍ୟାୟ, ଏନ୍‌ସିିପିର ସୁପ୍ରିୟା ସୁଲେ, ମହମ୍ମଦ ଫୈଜଲ ଅନ୍ୟତମ। ବିଶୃଙ୍ଖଳ ସାଂସଦଙ୍କୁ ନିଲମ୍ବନ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୃହରେ ପ୍ରସ୍ତାବ ଆଗତ କରିଥିଲେ। ଅନୁପ୍ରବେଶ ଘଟଣା ଅପେକ୍ଷା ଗତ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନରେ କ୍ଷୁବ୍ଧ ହୋଇ ବିରୋଧୀ ସାଂସଦମାନେ ଏଭଳି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ଯୋଶୀ କହିଛନ୍ତି। ଅପରପକ୍ଷରେ ନିଲମ୍ବନ ଆଦେଶକୁ ନେଇ ବହୁ ସାଂସଦ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କର୍ତ୍ତି କହିଛନ୍ତି ’ମୁଁ ହାତରେ ପ୍ଲାକାର୍ଡ ଧରିନଥିଲି କିମ୍ବା ସ୍ଲୋଗାନ ଦେଇନଥିଲି। ତେଣୁ କେଉଁ କାରଣରୁ ମୋତେ ନିଲମ୍ବନ କରାଗଲା, ତାହା ବୁଝିପାରୁନାହିଁ ବୋଲି କର୍ତ୍ତି କହିଛନ୍ତି। ତରୁର୍‌ କହିଛନ୍ତି ଯେ ବିଜେପି ସରକାର ବିରୋଧୀ ବିହୀନ ଲୋକସଭା ଚାହୁଁଥିବାରୁୁ ଏତେ ସଂଖ୍ୟକ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଅପରପକ୍ଷରେ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ନୂତନ ସଂସଦ ଭବନ ଉଦ୍‌ଘାଟନ ସମୟରେ ଗୃହର ମଧ୍ୟଭାଗକୁ ଆସିବେ ନାହିଁ ବୋଲି ଶାସକ ଓ ବିରୋଧୀ ଦଳର ସବୁ ସାଂସଦ ଶପଥ ନେଇଥିଲେ। ତେବେ ବିରୋଧୀ ସାଂସଦ ଏହି ପ୍ରତିଶ୍ରୁତିକୁ ଭୁଲି ପୁରୁଣା ଅଭ୍ୟାସ ଜାରି ରଖିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିବା ସେ କହିଛନ୍ତି।

ସଂସଦରେ ବିରୋଧୀ ସାଂସଦ ହୋ ହାଲା କରିବା, ପ୍ଲାକାର୍ଡ ପ୍ରଦର୍ଶନ କରିବା କିମ୍ବା ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେବା ସଂସଦ ଇତିହାସରେ କିଛି ନୂଆ ଘଟଣା ନୁହେଁ। ତେବେ ଗୋଟିଏ ଅଧିବେଶନରେ ଏତେ ସଂଖ୍ୟକ ସାଂସଦଙ୍କୁ ନିଲମ୍ବନ କରାଯିବା ଘଟଣା ରାଜନୈତିକ ବିଶେଷଜ୍ଞଙ୍କୁ ବିସ୍ମିତ କରିଛି। ସୂଚନାଯୋଗ୍ୟ ଚଳିତମାସ ୧୩ରେ ସଂସଦରେ ଅନୁପ୍ରବେଶ ଘଟଣା ଘଟିଥିଲା। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ବିବୃତି ରଖନ୍ତୁ ​‌ବୋଲି ଦାବି କରି ବିରୋଧୀ ହଟ୍ଟଗୋଳ କରିବାରୁ ଗତ ୧୪ରେ ପ୍ରଥମ ଦଫାରେ ୧୪ ସାଂସଦ (ଲୋକସଭାର ୧୩ ଓ ରାଜ୍ୟସଭାର ଜଣେ) ନିଲମ୍ବିତ ହୋଇଥିଲେ। ସୋମବାର ଦ୍ବିତୀୟ ଦଫାରେ ଆଉ ୭୮ ସାଂସଦ ନିଲମ୍ବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଲୋକସଭାର ୩୩ ଓ ରାଜ୍ୟସଭାର ୪୫ ସାଂସଦ ସାମିଲ ଅଛନ୍ତି।

 

Comments are closed.