୫ ବ୍ୟାଙ୍କରୁ ୩୦୦୦ କୋଟି ଠକେଇ

0

କାନପୁର : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରୁ ୧୧, ୩୬୦ କୋଟି ଟଙ୍କା ଠକେଇ ଘଟଣା ପ୍ରଘଟ ହେବାର ମାତ୍ର ଦିନକ ପରେ ଆଉ ୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବହୁ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି । ଉତ୍ତରପ୍ରଦେଶର ବେପାର ପେଣ୍ଠସ୍ଥଳୀ କୁହାଯାଉଥିବା କାନପୁର ସହରରୁ ଏହି ଘଟଣା ପଦାକୁ ଆସିଛି । ରୋଟୋମାକ ପେନସ୍‌ କମ୍ପାନୀ ମାଲିକ ବିକ୍ରମ କୋଠାରୀ ୫ ରାଷ୍ଟ୍ରାୟତ ବ୍ୟାଙ୍କରୁ ପାଖାପାଖି ୩୦୦୦ କୋଟି ଟଙ୍କା ଋଣ ନେଇ ଫେରାଇନଥିବା ଅଭିଯୋଗ ହୋଇଛି । ବିକ୍ରମ କୋଠାରୀ ବ୍ୟାଙ୍କର ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ଭିତରି ସମ୍ପର୍କ ରଖି ନିଜ ସମ୍ପତ୍ତିର ମୂଲ୍ୟ ବହୁ ଅଧିକ ଦେଖାଇ କୋଟି କୋଟି ଟଙ୍କା ଋଣ ନେବା ପରେ ପରିଶୋଧ କରିନଥିଲେ । କାନପୁର ନିକଟସ୍ଥ ତିଲକନଗର ଅଞ୍ଚଳରେ ବିକ୍ରମଙ୍କ ଏକ ବହୁତଳ ପ୍ରାସାଦ ରହିଛି । ବିକ୍ରମ କୋଠାରୀ ପ୍ରଥମେ ୨୦୧୨ରେ ରୋଟାମାକ୍‌ ପେନ୍‌ସ କମ୍ପାନୀ ନାମରେ ଆହ୍ଲାବାଦ ବ୍ୟାଙ୍କରୁ ୩୭୫ କୋଟି ଟଙ୍କା ଋଣ ନେଇଥିଲେ । ଏହାପରେ ୟୁନିୟନ ବ୍ୟାଙ୍କରୁ ୪୩୨ କୋଟି ଟଙ୍କା, ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୧୪୦୦ କୋଟି ଟଙ୍କା, ବ୍ୟାଙ୍କ ଅଫ ଇଣ୍ଡିଆରୁ ପ୍ରାୟ ୧୩୦୦ କୋଟି ଓ ବ୍ୟାଙ୍କ ଅଫ ବରୋଦାରୁ ୬୦୦ କୋଟି ଟଙ୍କା ଋଣ ନେଇଥିଲେ । ହେଲେ କୌଣସି ବ୍ୟାଙ୍କକୁ ଋଣ ଅର୍ଥ ପରିଶୋଧ କରିନଥିଲେ । ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ବିକ୍ରମ କୋଠାରୀ ଏଭଳି ଋଣ ନେଇ ଫେରାଇନଥିଲେ ବୋଲି ଅଭିଯୋଗ ହେଉଛି । ଅର୍ଥାତ ୫ ବ୍ୟାଙ୍କରୁ ସେ ପ୍ରାୟ ୩୦୦୦ କୋଟି ଟଙ୍କା ଋଣ ନେଇ ଚୁପ୍‌ ହୋଇ ବସିପଡିଛନ୍ତି। ଏପଟେ ତାଙ୍କ ରୋଟୋମାକ କମ୍ପାନୀରେ ତାଲା ଝୁଲୁଛି। ବ୍ୟାଙ୍କ ଗୁଡ଼ିକ ବିକ୍ରମ କୋଠାରୀଙ୍କ ସବୁ ଋଣର ସବୁ ଖାତାକୁ ଏନପିଏ ଘୋଷିତ କରିଛନ୍ତି । ଯେଉଁ ସମ୍ପତ୍ତିର କାଗଜପତ୍ର ଦେଇ ବିକ୍ରମ କୋଠାରୀ ଋଣ ନେଇଛନ୍ତି, ସେଗୁଡିକର ମୂଲ୍ୟ ଋଣ ଅର୍ଥଠାରୁ ବହୁ କମ୍‌ ରହିଛି । ସମ୍ପତ୍ତିଗୁଡ଼ିକୁ ଜବତ କରି ନିଲାମ କରାଗଲେ ବି ବ୍ୟାଙ୍କର ସମ୍ପୂର୍ଣ୍ଣ ଋଣ ପରିଶୋଧ ହେବ ନାହିଁ । ଫଳରେ ବ୍ୟାଙ୍କଗୁଡ଼ିକର କୋଟି କୋଟି ଟଙ୍କା ବୁଡିବା ନିଶ୍ଚିନ୍ତ ହୋଇଯାଇଛି ।

Leave A Reply