ଭୁବନେଶ୍ବର: ଯୁବ ଫରୱାର୍ଡ ରୋହିତ ଦାନୁ ଓ ରହିମ୍ ଅଲ୍ଲୀଙ୍କ ଗୋଲ ବଳରେ ଇଣ୍ଡିଆନ ଆରୋଜ ଦ୍ବାଦଶତମ ଆଇ-ଲିଗ୍ ଫୁଟବଲରେ ପଞ୍ଚମ ବିଜୟ ହାସଲ କରିଛିି। ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡ଼ିୟମରେ ମଙ୍ଗଳବାର ଆଇ-ଲିଗ୍ର ୮୨ତମ ମ୍ୟାଚ ମିନର୍ଭା ପଞ୍ଜାବ ଓ ଇଣ୍ଡିଆନ ଆରୋଜ୍ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଇଣ୍ଡିଆନ ଆରୋଜ ୨-୧ ଗୋଲରେ ମିନର୍ଭା ପଞ୍ଜାବକୁ ପରାସ୍ତ କରିଛି।
ଘରୋଇ ପଡ଼ିଆରେ ଖେଳୁଥିବା ଇଣ୍ଡିଆନ ଆରୋଜ ପୂର୍ବ ମ୍ୟାଚ ଅପେକ୍ଷା ପ୍ରାରମ୍ଭରୁ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲା। ୨୨ତମ ମିିନିଟ୍ରେ ଇଣ୍ଡିଆନ ଆରୋଜ ଗୋଲ ଦେବା ନେଇ ଏକ ସୁଯୋଗ ପାଇଥିଲେ ମଧ୍ୟ ମିନର୍ଭା ପଞ୍ଜାବ ଗୋଲକିପର ସୁନ୍ଦର ଭାବେ ଅଟକାଇ ଦଳକୁ ନିଶ୍ଚିତ ଗୋଲରୁ ରକ୍ଷା କରିଥିଲେ। ଖେଳର ୩୮ତମ ମିନିଟ୍ରେ ରହିମ୍ ଅଲ୍ଲୀଙ୍କ ଏକ ସୁନ୍ଦର ସଟ୍ ମିନର୍ଭା ପଞ୍ଜାବ ଗୋଲପୋଷ୍ଟ ବାର୍ରେ ବାଜି ଫେରି ଆସିଥିଲା। ଉକ୍ତ ରିଟର୍ଣ୍ଣ ବଲକୁ ରୋହିତ୍ ଦାନୁ ସୁନ୍ଦର ହେଡ୍ ଜରିଆରେ ଗୋଲ କରି ଦଳକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଇଣ୍ଡିଆନ ଆରୋଜ ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ଦ୍ବିତୀୟାର୍ଦ୍ଧ ଖେଳର ପ୍ରାରମ୍ଭରୁ ମଧ୍ୟ ଇଣ୍ଡିଆନ ଆରୋଜ ବିପକ୍ଷ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଖେଳର ୪୬ତମ ମିନିଟ୍ରେ ରହିମ୍ ଅଲ୍ଲୀ ଇଣ୍ଡିଆନ ଆରୋଜ ପକ୍ଷରୁ ଦ୍ବିତୀୟ ଗୋଲ ସ୍କୋର କରିଥିଲେ। ରହିମ୍ ବିପକ୍ଷ ଦଳର ରକ୍ଷଣାପନ୍ଥୀକୁ ଭେଦ କରି ଚମତ୍କାର ଗୋଲ ଦେଇଥିଲେ। ୨-୦ ଗୋଲ ପଛରେ ରହିବା ପରେ ମିନର୍ଭା ମ୍ୟାଚକୁ ଫେରିବା ନେଇ ଜୋରଦାର ପ୍ରୟାସ କରିଥିଲା। ଖେଳର ୬୯ତମ ମିନିଟ୍ରେ ମୌଇଉଦ୍ଦିନ୍ ବ୍ୟାକ୍ ଅଞ୍ଚଳରୁ ଏକ ସୁନ୍ଦର ସଟ୍ ମାରି ଗୋଲ ଦେବାରେ ସକ୍ଷମ ହୋଇଥିଲେ। ମୌଇଉଦ୍ଦିନଙ୍କ ସଟ୍ ଏତେ ତୀବ୍ର ଥିଲା ଯେ ଇଣ୍ଡିଆନ ଆରୋଜ ଗୋଲକିପର ବୁଝିବା ପୂର୍ବରୁ ଗୋଲପୋଷ୍ଟ ଭେଦ କରିଯାଇଥିଲା। ମ୍ୟାଚ ୨-୧ ଗୋଲ ରହିଥିବା ବେଳେ ଅନ୍ତିମ ସମୟ ପର୍ଯ୍ୟନ୍ତ ମିନର୍ଭା ଗୋଲ ବରାବର କରିବା ନେଇ ତୀବ୍ର ଆକ୍ରମଣ କରିଥିଲେ ମଧ୍ୟ ସଫଳତା ପାଇନଥିଲା। ଇଣ୍ଡିଆନ ଆରୋଜର ରହିମ୍ ଅଲ୍ଲୀ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଇଣ୍ଡିଆନ ଆରୋଜ ୧୬ଟି ମ୍ୟାଚରୁ ୫ଟି ବିଜୟ, ଗୋଟିଏ ଡ୍ର ଓ ୧୦ଟି ପରାଜୟ ସହ ୧୬ ପଏଣ୍ଟ ପାଇ ଗ୍ରୁପର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ପରବର୍ତ୍ତୀ ମ୍ୟାଚ ୮ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମରେ ଚେନ୍ନାଇ ଏଫସି ବିପକ୍ଷରେ ଖେଳିବ। ସେହିପରି ମିନର୍ଭା ପଞ୍ଜାବ ୧୬ଟି ମ୍ୟାଚରୁ ୩ଟି ବିଜୟ, ୫ଟି ଡ୍ର ଓ ୮ଟି ପରାଜୟ ସହ ୧୪ ପଏଣ୍ଟ ପାଇ ଗ୍ରୁପର ନବମ ସ୍ଥାନକୁ ଖସି ଆସିଛି।
ଆଇ-ଲିଗ ଫୁଟବଲ : ମିନର୍ଭାକୁ ହରାଇଲା ଇଣ୍ଡିଆନ ଆରୋଜ୍
Popular Categories



