ଚୀନକୁ ସନ୍ଦେହକୁ ଟାଣିଛି ଉହାନ ଭୂତାଣୁ ବ୍ୟାଙ୍କର ଅବସ୍ଥିତି
ବୁହାନ : ଚୀନର ଉହାନ ସହରସ୍ଥିତ ଏକ ଗବେଷଣାଗାରରୁ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିଥିବା ଆମେରିକା ଅଭିଯୋଗକୁ ଚୀନ ତୀବ୍ର ବିରୋଧ କରିଆସୁଛି। ମାତ୍ର ଆମେରିକା ଏବେ ଖୋଲାଖୋଲି ଚୀନ ବିରୋଧରେ ଏହି ଅଭିଯୋଗ ଅନ୍ତର୍ଜାତୀୟ ଫୋରମ୍ରେ ଉଠାଇବା ଆରମ୍ଭ କରିଛି। ଏପରିକି ଏହି ଭୂତାଣୁ କିଭଳି ସମଗ୍ର ବିଶ୍ବକୁ ବ୍ୟାପିଲା ସେ ସମ୍ବନ୍ଧରେ ଆମେରିକା ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିବା ବୈଦେଶିକ ସଚିବ ମାଇକ ପମ୍ପେଓ ସୂଚନା ଦେଇଛନ୍ତି। ଉହାନ ଇନ୍ଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି(ଡବ୍ଲ୍ୟୁଆଇଭି)କୁ ନେଇ କେତେକ ବିଶେଷ ତଦନ୍ତ ଚାଲିଛି।
ସୂଚନା ଅନୁସାରେ ଏହି ଇନଷ୍ଟିଚ୍ୟୁଟରେ ଏସିଆର ସର୍ବବୃହତ ଭୂତାଣୁ ବ୍ୟାଙ୍କ ଚୀନ ସେଣ୍ଟର ଫର ଭାଇରସ କଲଚର କଲେକସନ ରହିଛି।
ଏଠାରେ ଏସିଆର ପ୍ରଥମ ସର୍ବାଧିକ ସୁରକ୍ଷିତ ଗବେଷଣାଗାର ରହିଛି ଯାହାକି ଚତୁର୍ଥ ବର୍ଗ(ପି୪)ଭଳି ଭୟଙ୍କର ଭୂତାଣୁକୁ ନିୟନ୍ତ୍ରଣ କରିବା ଭଳି ଉପକରଣ ରହିଛି। ଏଠାରେ ଇବୋଲା ଭୂତାଣୁ ମଣିଷ ଶରୀରରୁ ମଣିଷଙ୍କୁ ସଂକ୍ରମିତ ହେବାର ସର୍ବାଧିକ ଆଶଙ୍କା ରହିଛି। ୩୦୦ ନିୟୁତ ୟୁଆନ ବା ୪୨ ନିୟୁତ ଡଲାର ମୂଲ୍ୟରେ ଏହି ପରୀକ୍ଷାଗାରକୁ ୨୦୧୫ରେ ପ୍ରତିଷ୍ଠା କରାଯାଇଥିଲା। ୨୦୧୮ରେ ଏହା କାର୍ଯ୍ୟାରମ୍ଭ କରିଥିଲା। ଏହାର ନିର୍ମାଣରେ ଫ୍ରାନ୍ସର ଜୈବଶିଳ୍ପ କମ୍ପାନୀ ଆଲେନ ମେରିଉକ୍ସ ସହଯୋଗ କରିଥିଲା। ଏଠାରେ ୨୦୧୨ରୁ ପି୩ ଲାବୋରେଟୋରୀ ମଧ୍ୟ ରହିଛି। ୩୦୦୦ ବର୍ଗମିଟର ଜମିରେ ଅବସ୍ଥିତ ଏହି ପି୪ ଲାବୋରେଟୋରୀ ଉହାନ ଉପକଣ୍ଠସ୍ଥ ଏକ ପାହାଡିଆ ଜଙ୍ଗଲରେ ଏକ ବର୍ଗାକୃତି ଅଟ୍ଟାଳିକା ଓ ଏକ ସିଲିଣ୍ଡର ଆକୃତିର ଭବନ ରହିଛି। ଏଠାରେ ବାଦୁଡିରୁ ଉତ୍ପନ୍ନ ସାର୍ସ ଭଳି ଭୂତାଣୁକୁ ନିୟନ୍ତ୍ରଣ କରିବାରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବା ନେଇ କିଛି ଅଧିକାରୀ ଚିନ୍ତାବ୍ୟକ୍ତ କରିଛନ୍ତି; ମାତ୍ର ଏହି ପରୀକ୍ଷାଗାର ସମ୍ବନ୍ଧରେ ଯାଞ୍ଚ ଲାଗି ଚୀନ କର୍ତ୍ତୃପକ୍ଷ କେବେବି ବିଶ୍ବସ୍ତରୀୟ ବୈଜ୍ଞାନିକଙ୍କୁ ସେଠାକୁ ଯିବାକୁ ଦେବେନାହିଁ ବୋଲି ମଧ୍ୟ ପମ୍ପେଓ ଆଶଙ୍କା କରିଥିଲେ। ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ ପ୍ରତିଷ୍ଠାନ ସଂପର୍କରେ ପ୍ରକାଶ ପାଉଥିବା ଏଭଳି ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି।
ବାସ୍ତବ ମୃତ୍ୟୁ ସଂଖ୍ୟା ବହୁ ଅଧିକ !
ନୂଆଦିଲ୍ଲୀ : କରୋନାଜନିତ ବାସ୍ତବ ମୃତ୍ୟୁସଂଖ୍ୟା ଲୁଚାଉଥିବା ନେଇ ଚୀନ୍ ବିରୋଧରେ ଅଭିଯୋଗ ଆସିବା ପରେ ଅନ୍ୟ ରାଷ୍ଟ୍ରରେ ମଧ୍ୟ ବାସ୍ତବ ମୃତ୍ୟୁ ସଂଖ୍ୟା ପ୍ରକାଶ ପାଇପାରୁନାହିଁ ବୋଲି ଅଭିଯୋଗ ଉଠିଛି। ସାରା ବିଶ୍ବରେ କାରୋନାରେ ସରକାରୀ ଘୋଷିତ ମୃତ୍ୟୁସଂଖ୍ୟା ଅନ୍ୟୂନ ଦୁଇ ଗୁଣ ହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଆମେରିକା ଓ ଫ୍ରାନ୍ସର ସମାଲୋଚନା ପରେ ନିକଟରେ ଚୀନ୍ ଉହାନ ମୃତ୍ୟୁସଂଖ୍ୟା ସଂଶୋଧନ କରିଥିଲା। ସଂଖ୍ୟାରେ ୫୦ପ୍ରତିଶତ ବୃଦ୍ଧି ଘଟିଥିଲା। ଉହାନରେ ୧୬ ତାରିଖ ସୁଦ୍ଧା ୨୫୭୯ ଥିଲାବବେଳେ ୧୭ରେ ପ୍ରକାଶିତ ସଂଶୋଧିତ ତଥ୍ୟ ଅନୁଯାୟୀ ୧୨୯୦ ବୃଦ୍ଧିପାଇ ୩୮୬୯ ହୋଇଥିଲା। ରୋଗ ମୁକାବିଲା ସମୟରେ ବାସ୍ତବ ମୃତ୍ୟୁସଂଖ୍ୟା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇପାରୁନାହିଁ ବୋଲି କୁହାଯାଉଛି। ଗଣନାରେ ମଧ୍ୟ ତ୍ରୁଟି ରହୁଥିବା ଅନେକ ସ୍ବୀକାର କରୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ପ୍ରଭାବିତ ନ୍ୟୁୟର୍କ ମହାନଗରୀର ମୃତ୍ୟୁସଂଖ୍ୟା ସରକାରୀ ସୂଚନାର ଦୁଇ ଗୁଣ ଏବଂ ଇଟାଲୀ, ସ୍ପେନ୍ ଓ ବ୍ରିଟେନ୍ ଭଳି ରାଷ୍ଟ୍ରରେ ମଧ୍ୟ ସମାନ ଅବସ୍ଥା ହେବ ବୋଲି କୁହାଯାଉଛି। ସେଠାକାର ସରକାର ଏହାକୁ ଅସ୍ବୀକାର କରିପାରୁ ନାହାନ୍ତି।
ନ୍ୟୁୟର୍କ ମହାନଗରୀର ମୃତ୍ୟୁ ସଂଖ୍ୟା ଗତ ସପ୍ତାହରେ ଗୋଟିଏ ଦିନରେ ୫୫ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୬୦ରୁ ଏହା ସିଧାସଳଖ ୩୭୭୮କୁ ବୃଦ୍ଧି ପାଇଥିଲା। ଗଣନା ପ୍ରକ୍ରିୟାରେ ତ୍ରୁଟି ସୁଧାରିବା ପରେ ବାସ୍ତବ ତଥ୍ୟ ସାମ୍ନାକୁ ଆସିଥିଲା ବୋଲି କୁହାଯାଉଛି। ସରକାରୀ ଡାକ୍ତରଖାନାରେ ମରୁଥିବା ଲୋକଙ୍କ ହିସାବ ଠିକ୍ ରଖାଯାଉଥିବାବେଳେ ଘରୋଇ ଡାକ୍ତରଖାନା ଓ ଘରେ ମରୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ ପରେ ହିସାବ ବଦଳିଥିଲା। ସେହିଭଳି ମାଦ୍ରିଦ (ସ୍ପେନ୍)ରେ ସରକାରୀ ମୃତ୍ୟୁସଂଖ୍ୟା ୩୭୫୨ ଥିଲେ ମଧ୍ୟ ବାସ୍ତବ ସଂଖ୍ୟା ଏହାର ଦୁଇ ଗୁଣରୁ ଅଧିକ; ଅର୍ଥାତ୍ ୭୫୦୦ ହେବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ବ୍ରିଟେନ୍ରେ ଘୋଷିତ ସଂଖ୍ୟାଠାରୁ ବାସ୍ତବ ସଂଖ୍ୟା ୧୫ପ୍ରତିଶତ ଅଧିକ ହୋଇପାରେ ବୋଲି ସରକାରୀ ଭାବେ ସ୍ବୀକାର କରାଯାଇଛି। ସବୁ ରାଷ୍ଟ୍ର କେବଳ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ସଂଖ୍ୟାକୁ ହିସାବ କରୁଥିବାରୁ ଭାରତରେ ମଧ୍ୟ ସେଭଳି ହୋଇପାରେ ବୋଲି କୁହାଯାଉଛି। ଗାଁ ଗହଳିରେ ଓ ଘରେ ବିନା ଚିକିତ୍ସାରେ ମୃତ୍ୟୁମୁଖରେ ପଡ଼ୁଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରାଗଲେ ଏହା ବହୁ ଅଧିକ ହେବାର ଆଶଙ୍କା ରହିଛି। ସେହିଭଳି ୮୫ ପ୍ରତିଶତ ସଂକ୍ରମିତଙ୍କର ସୂଚନା ସରକାରୀ ଖାତାକୁ ଆସୁ ନ ଥିବାରୁ ଉପରୋକ୍ତ ଦେଶର ସରକାରମାନେ ଚିନ୍ତାରେ ପଡ଼ିଛନ୍ତି।
Comments are closed.