ଭୁବନେଶ୍ୱର: ଭିଏସଏସନଗର ସ୍ଥିତ ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟମ୍ନ ଶତପଥୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଶ୍ରୀ ଶତପଥୀ ଭାରତୀୟ ପରମ୍ପରା, ବେଦପୁରାଣ ତଥା ପୂର୍ବସୁରୀର ବିଜୟର ବାର୍ତ୍ତା ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଯୋଗ ଦେଇ ଭାରତ ବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଏହି ଓଡ଼ିଶା ମାଟିରୁ ଆରମ୍ଭ ହୋଇଥିଲା, ଯାହା ଥିଲା ପାଇକ ବିଦ୍ରୋହ। ରଣରଙ୍କା ପାଇକମାନେ ବ୍ରିଟିସମାନଙ୍କ ସହିତ ସମ୍ମୁଖ ଯୁଦ୍ଧରେ ଅବତରଣ କରିଥିଲେ। ସେମାନଙ୍କ ସଂଗ୍ରାମ , ବଳିଦାନ ଓ ଦେଶାତ୍ମଭାବ ପରବର୍ତ୍ତୀ ସମୟରେ ଭାରତକୁ ଇଂରେଜ କବଳରୁ ମୁକ୍ତ କରିଥିଲା ଏବଂ ଦେଶ ସ୍ୱାଧୀନ ହୋଇଥିଲା। ଗଡ଼େଶ୍ୱର ହାଟ ବଣିକ ସଂଘର ସଭାପତି ଲକ୍ଷ୍ମଣ କୁମାର ସାହୁ ଏଥିରେ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ସକାଶେ ବରିଷ୍ଠ ସାମ୍ବାଦିକ ଡ.ରମାକାନ୍ତ ମହାନନ୍ଦ, ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ବିଏମ୍ସି ଜାଗୃତି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ପୁଲିସ କର୍ମଚାରୀ ବିଶ୍ୱାମିତ୍ର ଗମାଙ୍ଗୋ ଓ ସିମାଦ୍ରୀ ଶବର, ବ୍ୟବସାୟୀ ସଂଘ ସଭାପତି ଲକ୍ଷ୍ମଣ ସାହୁ, ସମ୍ପାଦକ ମନୋରଞ୍ଜନ ସାହୁଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ସାଠୁଆ, ଉତ୍ତମ କୁମାର ମହାନ୍ତି, କୋଲକଚନ୍ଦ୍ର ଦଳେଇ ପ୍ରମୁଖ ଯୋଗଦେଇଥିଲେ। ପରିଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।



