ରେଙ୍ଗାଲି କ୍ୟାମ୍ପ : କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ପାଠପଢ଼ା ଅନ୍ ଲାଇନରେ ଚାଲୁଛି। ଦୀର୍ଘ ଦଶ ମାସ ଧରି ସବୁ ସ୍କୁଲ୍ କଲେଜ୍ ବନ୍ଦ ଥିଲା। ଗତ କିଛି ଦିନ ଧରି ନବମରୁ ଦ୍ଵାଦଶ ଶ୍ରେଣୀ ପର୍ୟ୍ୟନ୍ତ ଅଫ୍ ଲାଇନ୍ ପାଠପଢ଼ା ଚାଲିଥିଲା, ହେଲେ ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ପୁଣି ଆଜିଠାରୁ ବନ୍ଦ ହୋଇଛି କରୋନା ସଂକ୍ରମଣ ଯୋଗୁ। ଏପରି ଏକ ସଂକଟ ଜନକ ତଥା ପ୍ରତିକୂଳ ପରିସ୍ଥିତିରେ ଅଫ୍ ଲାଇନରେ ବିଜ୍ଞାନ ମେଳା କରିବା କାହାରି ପାଇଁ ହିତକର ନୁହେଁ। କିନ୍ତୁ ପିଲାଙ୍କଠାରେ ବୈଜ୍ଞାନିକ ମନୋବୃତ୍ତି ଜାଗ୍ରତ କରିବା ଏହି ବିଜ୍ଞାନ ମେଳାର ମୁଖ୍ୟ ଲକ୍ଷ୍ୟ ରହିଛି । ତେଣୁ ଏହାକୁ ବନ୍ଦ ନକରି ଭର୍ଚୁଆଲ୍ ମୋଡ଼ରେ କରିବା ପାଇଁ ଜାତୀୟ ଶୈକ୍ଷିକ ଏବଂ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ନିର୍ଦ୍ଦେଶ ରହିଛି। ତେଣୁ ଏହି ଭର୍ଚୁଆଲ୍ ମୋଡ଼ରେ କିପରି ପ୍ରକଳ୍ପ ଗୁଡ଼ିକର ଭିଡ଼ିଓ ପ୍ରସ୍ତୁତ କରାଯାଇପାରିବ ସେ ନେଇ ଆଜି ଅତାବିରା ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ବ୍ଲକର ସମସ୍ତ ବିଜ୍ଞାନ ଶିକ୍ଷକ ଓ ସିଆରସିସି ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ରାଜାରାମ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ବ୍ଲକର ୨୧ ଟି ହାଇ ସ୍କୁଲ ଓ ୧୭ଟି ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଏଥିରେ ଯୋଗ ଦେଇଥିଲେ । ଏହି ସଭାରେ ଛତ୍ରଛାତ୍ରୀମାନେ କରିଥିବା ପ୍ରକଳ୍ପ ଗୁଡ଼ିକୁ କିପରି ଭାବରେ ଭର୍ଚୁଆଲରେ ଉପସ୍ଥାପନ କରିବେ ସେ ନେଇ ଧର୍ମରାଜ ପ୍ରଧାନ ଓ ଅନ୍ୟ ଶିକ୍ଷକମାନେ ବିଶେଷ ଆଲୋଚନା କରିଥିଲେ । ପିଲାମାନେ କରିଥିବା ପ୍ରକଳ୍ପ ଗୁଡ଼ିକୁ ଗାଇଡ ଶିକ୍ଷକଙ୍କ ତତ୍ତ୍ଵାବଧାନରେ ଭିଡିଓ କରି ତାକୁ ପେନଡ୍ରାଇଭରେ ଲୋଡ୍ କରିବେ ଓ ପ୍ରକଳ୍ପ ତିଆରି କରିବାର ଉଦ୍ଦେଶ୍ୟ ଓ ତାର କାର୍ୟ୍ୟକାରିତା ବିଷୟରେ ଲେଖି ପିଡିଏଫ୍ କରି ଆସନ୍ତା ୧୪ତାରିଖ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ଜମା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶେଷରେ ପତ୍ରାପାଲି ହାଇସ୍କୁଲର ଶିକ୍ଷକ ଟୁନା କର୍ଣ୍ଣ ଧନ୍ୟବାଦ୍ ଅର୍ପଣ କରିଥିଲେ।



