ଭୁବନେଶ୍ୱର : ରାଜ୍ୟ ଭିଜିଲାନ୍ସକୁ ବଡ଼ ସଫଳତା ମିଳିଛି। ଗତ ୧୩ ଦିନ ମଧ୍ୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯାଗରେ ୬ ଜଣ କୋଟିପତି ସରକାରୀ କର୍ମଚାରୀଙ୍କୁ ଧରିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯାଗରେ ବୁଧବାର ଭୁବନେଶ୍ବର ରାସ୍ତା ଓ କୋଠାବାଡି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ଶାରଦା ପ୍ରସାଦ ଗୌଡଙ୍କୁ ଶେଷରେ ଗିରଫ କରାଯାଇଛି। ତାଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଆଜି ଏକକାଳୀନ ଚଢାଉ କରାଯାଇଥିଲା। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ବଳରେ ବୁଧବାର ଶ୍ରୀ ଗୌଡଙ୍କ ନିର୍ମାଣଭବନ କାର୍ଯ୍ୟାଳୟ, ଭୁବନେଶ୍ବରରେ ଥିବା ବାସଭବନ, ଗଞ୍ଜାମ ବଡଗଡ ଗ୍ରାମସ୍ଥିତ ପୈତୃକ ବାସଭବନ, ଗଞ୍ଜାମ ସୋରଡା ଓ ବ୍ରହ୍ମପୁର ଗାନ୍ଧୀନଗରରେ ଥିବା ସମ୍ପର୍କୀୟଙ୍କ ବାସଭବନ ଉପରେ ଏକସଙ୍ଗେ ଚଢାଉ କରା ଯାଇଥିଲା। ଚଢାଉ ବେଳେ ଶ୍ରୀ ଗୌଡଙ୍କର ଭୁବନେଶ୍ବରରେ ଏକ ତିନିମହଲା କୋଠା, ବ୍ରହ୍ମପୁର, ସୋରଡା, ଚିକିଟି, କୁକୁଡାଖଣ୍ଡିରେ ୧୯ଟି ପ୍ଲଟ, ଗୋଟିଏ କାର, ଦୁଇଟି ଦୁଇଚକିଆ ଯାନ, ବିଭିନ୍ନ ବ୍ୟାଙ୍କ ଓ ଡାକଘରେ ଜମା, ବୀମା କମ୍ପାନୀରେ ନିବେଶ, ସୁନା ଓ ରୂପା ଗହଣା ଥିବା ଜଣାପଡିଛି। ଶ୍ରୀ ଗୌଡଙ୍କର ମୋଟ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ୧ କୋଟି ୫୫ଲକ୍ଷ ୪୮ହଜାର ୫୧୭ ଟଙ୍କା ବୋଲି ଆକଳନ କରାଯାଇଛି। ତେବେ ଶେଷରେ ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯାଗରେ ଭୁବନେଶ୍ବର ସାଧାରଣ ଜନସ୍ବାସ୍ଥ୍ୟ ଡିଭିଜନ-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ରନାଥ ପ୍ରଧାନଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଥିଲା। ଶ୍ରୀ ପ୍ରଧାନଙ୍କ ଆୟଠାରୁ ସମ୍ପତ୍ତିର ପରିମାଣ ୨୪୧ ପ୍ରତିଶତ ଅଧିକ ବୋଲି ଜଣାପଡିଛି। ଜଣେ ସରକାରୀ କର୍ମଚାରୀଙ୍କର ଏତେ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ବୋଲି କୁହାଯାଉଛି।
ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଶ୍ରୀ ପ୍ରଧାନଙ୍କ ନୟାପଲ୍ଲୀ, ବାଲିଅନ୍ତା ଥାନା କଞ୍ଚିଲୋ ନୂଆଗାଁରେ ଥିବା ଆପାର୍ଟମେଣ୍ଟ, ନହରକଣ୍ଟାରେ ଥିବା କୋଠା, ବାଲିଅନ୍ତା ଥାନା କୁରୁଣ୍ଟିଠାରେ ଥିବା ସହଯୋଗୀଙ୍କ ବାସଭବନ ଓ ବ୍ରହ୍ମପୁର ବୈଦ୍ୟନାଥପୁର ଅଯୋଧ୍ୟା ନଗରରେ ଥିବା ପୈତୃକ ବାସଭବନ ଉପରେ ଏକ ସଙ୍ଗେ ଚଢାଉ କରାଯାଇଥିଲା। ଶ୍ରୀ ପ୍ରଧାନଙ୍କ ୬ କୋଟି ୫୩ଲକ୍ଷ ୮୬ ହଜାର ୭୧୦ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରାଯାଇଥିଲା। ଚଢାଉ ସମୟରେ ଶ୍ରୀ ପ୍ରଧାନଙ୍କ ବାଲିପାଟଣାରେ ୪୮ ରୁମ ବିଶିଷ୍ଟ ଏକ ଫ୍ଲାଟ, ଭୁବନେଶ୍ବରରେ ଦୁଇଟି ଦୁଇମହଲା କୋଠା, ନହରକଣ୍ଚାରେ ଗୋଟିଏ କୋଠା, ଭୁବନେଶ୍ବର, ବୁଗୁଡା ଓ ଗଞ୍ଜାମରେ ୮ଟି ପ୍ଲଟ, ଦୁଇଟି କାର, ଗୋଟିଏ ବାଇକ, ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀରେ ଜମା, ସୁନା ଓ ରୂପା ଅଳଙ୍କାର, ଘରବାଡି ନିର୍ମାଣ ସାମଗ୍ରୀ ଓ ନଗଦ ଟଙ୍କା ଥିବା ଜଣାପଡିଛି। ଏଥିସହ ତାଙ୍କର ତିନୋଟି ପଞ୍ଜିକୃତ କମ୍ପାନୀ ରହିଛି ଯାହାର ନିର୍ଦେଶକ ଶ୍ରୀ ପ୍ରଧାନଙ୍କ ପୁଅ ଅଛନ୍ତି। ଏଥିମଧ୍ୟରୁ ଦୁଇଟି ରିଅଲ ଇଷ୍ଟେଟ ଓ ନିର୍ମାଣ କାମ କରୁଥିବା ବେଳେ ଅନ୍ୟଟି ଖାଦ୍ୟ ପ୍ରକ୍ରିୟାକରଣ ଓ ସଂରକ୍ଷଣ କମ୍ପାନୀ ବୋଲି ଜଣାପଡିଛି। ଏଥିସହ ତାଙ୍କ ପୁଅ ଏକ କୃଷିଭିତ୍ତିକ କମ୍ପାନୀର ମଧ୍ୟ ସହଯୋଗୀ ଅଛନ୍ତି। ଚଢାଉ ପ୍ରକ୍ରିୟା ପରେ ଶ୍ରୀ ପ୍ରଧାନଙ୍କ ମୋଟ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ୫ କୋଟି ୨୧ଲକ୍ଷ ୮ ହଜାର ୪୫୦ଟଙ୍କା ବୋଲି ଜଣାପଡିଛି। ଶ୍ରୀ ପ୍ରଧାନଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ମାମଲା ରୁଜୁ କରାଯିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଅଦାଲତରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।
ତେବେ ଚଳିତ ମାସରେ ମାତ୍ର ଗତ ୧୩ ଦିନ ମଧ୍ୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯାଗରେ ଭିଜିଲାନ୍ସ ୬ ଜଣ କୋଟିପତି ସରକାରୀ କର୍ମଚାରୀଙ୍କୁ ଧରିଛି।
ଧରାପଡିଥିବା କୋଟିପତି ସରକାରୀ କର୍ମଚାରୀ :
୧- ଚଳିତ ମାସ ୯ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିେଯାଗରେ ଭୁବନେଶ୍ବର ଉଦ୍ୟାନ କୃଷି ନିର୍ଦେଶାଳୟର ପୂର୍ବତନ ଅତିରିକ୍ତ ନିର୍ଦେଶକ ରମେଶ ଚନ୍ଦ୍ର ଦାସଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ ଶ୍ରୀ ଦାସଙ୍କର ୧ କୋଟି ୯୨ ଲକ୍ଷ ୭୧ ହଜାର ୬୦୦ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରାଯାଇଥିଲା।
୨- ଚଳିତ ମାସ ୧୪ ତାରିଖରେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଝଣ୍ଡାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ବୁଧବାର ଚଢାଉ କରାଯାଇ ୪ କୋଟି ୯୩ଲକ୍ଷ ୯୭ହଜାର ୨୪୪ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରାଯାଇଥିଲା।

୩- ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି)ର କ୍ୟାସିୟର ଅଶୋକ କୁମାର ନନ୍ଦଙ୍କର ୧ କୋଟି ୨୫ଲକ୍ଷ ୬୩ ହଜାର ୭୧୩ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା।
୪- ୨୦ ତାରିଖରେ ଗଜପତି ମୀନକେତନ ଡିଗ୍ରୀ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଅଧ୍ୟାପକ ଗଣ୍ଟା ନାଗେଶ୍ବର ରାଓଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା। ଯାଞ୍ଚ ପ୍ରକ୍ରିୟା େଶଷ େହବା ପରେ ଆୟ ବହିର୍ଭୂତ ସମ୍ପତ୍ତିର ପରିମାଣ ୧ କୋଟି ୭୯ଲକ୍ଷ ୯୨ ହଜାର ୪୭୩ ଟଙ୍କା ବୋଲି ଜଣାପଡିଛି।
୫- ସେହିପରି ୨୦ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିେଯାଗରେ ଭୁବନେଶ୍ବର ସାଧାରଣ ଜନସ୍ବାସ୍ଥ୍ୟ ଡିଭିଜନ-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ରନାଥ ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଶ୍ରୀ ପ୍ରଧାନଙ୍କ ମୋଟ ସମ୍ପତ୍ତିର ପରିମାଣ ୫ କୋଟି ୨୧ଲକ୍ଷ ୮ ହଜାର ୪୫୦ ଟଙ୍କା ବୋଲି ଜଣାପଡିଛି। ଯାହାକି ଆୟଠାରୁ ସମ୍ପତ୍ତିର ପରିମାଣ ୨୪୧ ପ୍ରତିଶତ ଅଧିକ ବୋଲି ଜଣାପଡିଛି।
୬- ବୁଧବାର ଭୁବନେଶ୍ବର ରାସ୍ତା ଓ କୋଠାବାଡି ଡିଭିଜନ-୫ର ସହକାରୀ ଯନ୍ତ୍ରୀ ଶାରଦା ପ୍ରସାଦ ଗୌଡଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧ କୋଟି ୫୫ଲକ୍ଷ ୪୮ହଜାର ୫୧୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି।



