www.samajalive.in
Monday, December 8, 2025
27.1 C
Bhubaneswar

ଅଭାବ ବେଳେ ରୋଗ ଦାଉ, ଭୋକରେ ପରିବାର

ଭଞ୍ଜନଗର: ଅଭାବ ଅନାଟନରେ ସନ୍ତୁଳିତ ହୋଇ ଶେଷରେ ଘର ଖଣ୍ଡିକ ହରାଇବାକୁ ପଡିଲା। ଋଣ ଟଙ୍କା ଶୁଝି ନପାରି ଘର ଖଣ୍ଡିକ ବି ବିକ୍ରି କରିଦେଲେ। ଭିଟାମାଟି ଛାଡି ଅନ୍ୟ ଏକ ଗାଁରେ ଚାଳଛପର କରି ପରର ମୂଲ ଲାଗି କୁଟୁମ୍ବ ପୋଷିଲେ। ଦୁଃଖ ଏତିକିରେ ସରି ନଥିଲା। ମୂଲ ଲାଗିବାକୁ ଭଞ୍ଜନଗର ଯିବା ବେଳେ ହଠାତ୍‍ ରାସ୍ତା ଉପରେ ଗୋଡ ଖସିଯିବାରୁ ପଙ୍ଗୁ ହୋଇଗଲେ। ଘରର ମୁରବୀ ଏକପ୍ରକାର ଅକର୍ମଣ୍ୟ ହୋଇପଡିବାରୁ ପରିବାରର ୪ ପ୍ରାଣୀ କୁଟୁମ୍ବ ଭୋକ ଉପବାସରେ ଦିନ କାଟୁଛନ୍ତି। କେବଳ ସେତିକି ନୁହେଁ ୫ ମାସର ଶିଶୁକୁ ମଧ୍ୟ ଜଣେ ସମ୍ପର୍କୀୟ ହାତରେ ଟେକି ଦେଇଛନ୍ତି। ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବାରୁଡା ପଞ୍ଚାୟତ​‌​‌ବାଲିଆପଟା ଗ୍ରାମ​‌ର ଦୁଃଖା ନାଇକଙ୍କ ପରିବାରରେ।

ଭଞ୍ଜନଗର ବ୍ଳକ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତର ଯୋଗିମାରି ଗ୍ରାମର ଦୁଃଖା ନାଇକ ନାମରେ ଜଣେ ଦଳିତ ଶ୍ରେଣୀର ବ୍ୟକ୍ତି କୌଣସି ଏକ ଘରୋଇ ସଂସ୍ଥାରୁ ୬୦ ହଜାର ଟଙ୍କାର ଗ୍ରୁପ ଋଣ ଆଣିଥିଲେ। ସେଥିମଧ୍ୟରୁ ପ୍ରାୟ ୪୦ରୁ ୫୦ ହଜାର ଟଙ୍କା ଶୁଝି ସାରିଥିବାବେଳେ ବାକିତକ ସୁଧ ସହ ଶୁଝି ନପାରିବାରୁ ଋଣ ପ୍ରଦାନକାରୀ ସଂସ୍ଥା ଓ ଗ୍ରୁପ ସହ ଜଡିତ ଥିବା ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଗ୍ରୁପ୍‍ ଟଙ୍କା ଶୁଝି ନ ପାରିବାରୁ ଦୁଃଖା ନିଜର ଘରଟିକୁ ବିକ୍ରି କରି ଦେଇଛନ୍ତି । ଘର ବିକ୍ରି ଟଙ୍କାରେ ଋଣ ପରିଶୋଧ କରି ପରିବାର ସହ ଭିଟାମାଟି ଛାଡି ବାଲିଆପଟା ଗ୍ରାମକୁ ଚାଲି ଆସିଥିଲେ ଦୁଃଖା। ସେଠାରେ ଝାଟିମାଟିରେ ଘର ଖଣ୍ଡିଏ କରି ରହୁଛନ୍ତି। ଦିନେ ଭଞ୍ଜନଗରକୁ କାମ କରିବାକୁ ଆସି ଦୁଃଖା ରାସ୍ତା ଉପରେ ଖସିଯିବାରୁ ଆହତ ହୋଇଥିଲେ। ଗୋଡରେ ବେଦନା ବଢି ଏବେ ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ମାଂସ ସବୁ ପଚିଗଲାଣି। ଅକର୍ମଣ୍ୟ ଅବସ୍ଥାରେ ସେ ଘରେ ବସିଛନ୍ତି। ରୋଜଗାର ବୋଲି କିଛି ନାହିଁ। ୩ଟି ଛୁଆକୁ ସମ୍ଭାଳିବା ସହ ଅକର୍ମଣ୍ୟ ସ୍ୱାମୀଙ୍କ ଚିକିତ୍ସାକୁ ନେଇ ଚିନ୍ତିତ ପତ୍ନୀ ଝିଲି। ଇତିମଧ୍ୟରେ ଝିଲି ତାର ୫ ମାସ ଶିଶୁପୁତ୍ରକୁ ବଡଭଉଣୀ ହାତରେ ଟେକି ଦେଇଛନ୍ତି। ଝିଲି ପାଖରେ ଏବେ ୪ ବର୍ଷର ପୁଅ ଓ ୨ ବର୍ଷର ଝିଅ ରହୁଛନ୍ତି। ୫ ମାସର ଶିଶୁପୁତ୍ରର ଲାଳନପାଳନ ପାଇଁ ବଡ ଭଉଣୀ ପାଖରେ ଛାଡିଥିବା ଝିଲି ପ୍ରକାଶ କରିଛନ୍ତି। ସ୍ୱାମୀର ଚିକିତ୍ସା ପାଇଁ ଅର୍ଥ ଘୋର ବାଧକ ସାଜିଛି। ଭଉଣୀ ସହାୟତା କରିଥିବା ୧୦ ହଜାର ଟଙ୍କାରେ ବେଲଗୁଣ୍ଠା ହସପିଟାଲରେ ସ୍ବାମୀଙ୍କ ଚିିକିତ୍ସା କରିବା ସତ୍ତ୍ବେ ଗୋଡ ଆଘାତରୁ ଉପଶମ ମିଳିନଥିଲା। ଭଞ୍ଜନଗର ସରକାରୀ ହସପିଟାଲେୀର ଚିକିତ୍ସିତ ହୋଇଥିଲେ ହେଁ କୌଣସି ଫଳ ମିଳି ନଥିଲା। ଏବେ ବାମଗୋଡର ଆଣ୍ଠୁଠାରୁ ପାଦ ପର୍ଯ୍ୟନ୍ତ ପଚି ଯାଇଛି। ଏପଟେ ଘର ଚଳାଇବାକୁ ପାଇସାଟିଏ ନଥିବାରୁ ପିଲାଙ୍କ ମୁହଁରେ ଅାହାର ମୁଠାଏ ଦେବା କଷ୍ଟସାଧ୍ୟ ହୋଇଛି। ଏହି ନିଃସହାୟ ପରିବାରକୁ ସହାୟତା ଯୋଗାଇବା ପାଇଁ କିଛି ଗଣମାଧ୍ୟମର ପ୍ରତିନିଧି ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉପଜିଲାପାଙ୍କ ନିର୍ଦେଶରେ ଗୁରୁବାର ଭଞ୍ଜନଗର ମେଡିକାଲ ଟିମ୍‍ ଓ ସିଡିପିଓ ବିଷ୍ଣୁପ୍ରିୟା ସେଠୀ ବାଳିଆପଟା ଗ୍ରାମରେ ପହଞ୍ଚି ଦୁଃଖା ନାଇକର ଦୁର୍ଦଶାଗ୍ରସ୍ତ ଅବସ୍ଥା ବୁଝିଥିଲେ। ଦୁଃଖା ସରାକରୀ ଗାଡିରେ ମେଡିକାଲ ଆସିବା ସମ୍ଭବପର ନହେବାରୁ ତାଙ୍କୁ କୌଣସି ମତେ ମେଡିକାଲ ଆଣିବା ନିମନ୍ତେ ସ୍ଥାନୀୟ ସରପଞ୍ଚଙ୍କୁ ଦାୟିତ୍ୱ ଦିଆଯାଇଥିବା ଉପଜିଲାପାଳ କହିଛନ୍ତି। ଦୁଃଖାକୁ ସମସ୍ତ ପ୍ରକାର ସହାୟତା ଯୋଗଇ ଦିଆଯିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories