Patra electronics

ଓଡ଼ିଶାର ନବ ନିର୍ମାଣ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ଦାୟିତ୍ବ ନେଉ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଉତ୍କଳ ବିଶ୍ୱବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଶବ୍ଦ ହିଁ ଜ୍ଞାନକୁ ପ୍ରେରିତ କରେ। ଯାହା ବିଶ୍ବବିଦ୍ୟାଳୟରେ ପ୍ରତିଫଳିତ। ସ୍ବାଧୀନତା ପୂର୍ବରୁ ଆମ ରାଜ୍ୟ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ତିଆରି ହେଲା, ସେ ସମୟର ନେତୃତ୍ବ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ପଦକ୍ଷେପ ନିଆଯାଇଥିଲା। ଏବେ ଓଡ଼ିଶା ପ୍ରତି ଉତ୍କଳର ଅବଦାନ ଅତୁଳନୀୟ। ଓଡ଼ିଶାର ବୌଦ୍ଧିକ କ୍ଷମତା ଯୋଗୁ ଏହା ଦେଶବିଦେଶରେ ପ୍ରଶଂସନୀୟ। ବିଶ୍ବବିଦ୍ୟାଳୟକୁ ଛାଡ଼ି ନୀତି ନିର୍ଦ୍ଧାରଣ କରାଯାଇପାରିବ ନାହିଁ। ବିଶ୍ବବିଦ୍ୟାଳୟ କେବଳ ଡିଗ୍ରୀ କିମ୍ବା ପ୍ରମାଣପତ୍ର ଦେବା ପାଇଁ ନୁହେଁ, ସମାଜର ବିକାଶ ପାଇଁ ଶିକ୍ଷାଦାନ କରାଯିବ ସେଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ଏହା ଓଡ଼ିଶା ତଥା ଭାରତ ବର୍ଷକୁ ବିଶ୍ବବିଦ୍ୟାଳୟ ଦିଗ୍‌ଦର୍ଶନ ଦେବା ପାଇଁ କାର୍ଯ୍ୟ କରିବା ଉଚିତ। ଭାଷା ଓ ସମାଜ ପରିଷ୍ପର ପରିପୂରକ, ସମାଜ ନିଜ ମାତୃଭାଷାରେ ପରିପ୍ରକାଶ କରିବା ଦରକାର। ମୌଳିକ ଚିନ୍ତା ପାଇଁ ମାତୃଭାଷା, ଆଞ୍ଚଳିକ ଓ ସ୍ଥାନୀୟ ଭାଷା ପଢ଼ିବା ଆବଶ୍ୟକ। କାରଣ ଆଞ୍ଚଳିକ ଭାଷା ବିଶ୍ବର ଅର୍ଥନୀତିକୁ ପ୍ରଭାବିତ କରୁଛି। ଅର୍ଥନୀତି ସମାଜର ଉତ୍କର୍ଷର ଚାବିକାଠି। ଓଡ଼ିଶାର ନବ ନିର୍ମାଣ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ଦାୟିତ୍ବ ନେଉ। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକଙ୍କ ପାଠପଢ଼ା ଶୈଳି ଓ ଗବେଷଣା ଦେଶରେ ଆଦୃତ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନକୁ ଅନ୍ତରାଷ୍ଟ୍ରୀୟ ରାଙ୍କିଂରେ ଆଣିବା ପାଇଁ ସାମୂହିକ ପ୍ରଚେଷ୍ଟା କରିବା ଆବଶ୍ୟକ। ବିଶ୍ୱବିଦ୍ୟାଳୟ ପ୍ରତିଯୋଗୀତାମୂଳକ ହେଲେ ହିଁ ଏହାର ଉନ୍ନତି ହୋଇପାରିବ ବୋଲି ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପ୍ରକାଶ କରିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଆୟୋଜିତ ୭୯ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଆଜି ଓଡ଼ିଶାର ପ୍ରଥମ ବିଶ୍ବବିଦ୍ୟାଳୟର ଜନ୍ମ ତିଥି। ଏହି ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ଭାବେ ନିଜକୁ ଗର୍ବିତ ମନେ କରୁଛି। ମୋ ସଫଳତା ଓ ଆତ୍ମବିଶ୍ବାସ ମୋତେ ବାଣୀବିହାର ପରିସର ଦେଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସେହିଭଳି ମହାନୁଭବଙ୍କ ନେତୃତ୍ୱରେ ପ୍ରତିଷ୍ଠା ହୋଇପାରିଥିଲା, ଯେଉଁମାନେ ଓଡିଶାର ସ୍ୱତନ୍ତ୍ରତାର ସ୍ୱପ୍ନ ଦେଖିଥିଲେ। କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ, ବିଶ୍ୱନାଥ ଦାସଙ୍କ ସାମୂହିକ ପ୍ରଚେଷ୍ଟାରେ ଗଢି ଉଠିଥିବା ଏହି ଶିକ୍ଷାନୁଷ୍ଠାନ ଆଜି ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାକୁ ପୂରଣ କରିବାରେ ସଫଳ ହୋଇଛି। ସେହିପରି ମୋ ଭଳି ମଧ୍ୟ ଜଣେ ସାମାଜିକ କାର୍ଯ୍ୟକର୍ତାର ପ୍ରାରମ୍ଭିକ ଜୀବନର ମୂଳଦୁଆକୁ ସୁଦୃଢ଼ ଓ ଆତ୍ମବିଶ୍ୱାସୀ କରିବାରେ ବିଶ୍ୱବିଦ୍ୟାଳୟର ଅବଦାନ ଅତୁଳନୀୟ। ସମାଜ ପରିବର୍ତ୍ତନର ମାଧ୍ୟମ ଓ ଲୋକଙ୍କ ସହ ନିଜକୁ ବାନ୍ଧି ରଖିବାର ଶିକ୍ଷାର ପ୍ରେରଣା ମୋତେ ଏହି ଠାରୁ ହିଁ ମିଳିଛି। ଓଡ଼ିଶାର ପୁଞ୍ଜି ହେଉଛି ଏହାର ବୋଦ୍ଧିକ କ୍ଷମତା। ଅର୍ଥାତ୍ ପଢ଼ିବା, ପଢ଼ାଇବା ଏବଂ ବୁଝାଇବା ଓଡିଆଙ୍କ ଧମନୀରେ ରହିଛି। ସେଭଳି ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଲେ ଡ଼ା. ରଜତ କୁମାର କର। ପଦ୍ମଶ୍ରୀ ଡ଼ା. କରଙ୍କ ଶିକ୍ଷାଦାନର ପଦ୍ଧତି ଚକ୍ ଏବଂ ଟକ୍ ଥିଓରି ଅନେକ ଛାତ୍ରଛାତ୍ରୀଙ୍କ ସହ ମୋତେ ପ୍ରଭାବିତ କରିଛି। ଡ଼ା.କରଙ୍କ କହିବାନୁସାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବାର ଦୁଇଟି ମୂଳ କାମ ହେଲା ଚକ୍ ଏବଂ ଟକ୍। ତେବେ ବର୍ତ୍ତମାନ ଶିକ୍ଷାର ପରିବର୍ତିତ ଦୃଶ୍ୟପଟ୍ଟ ତଥା ଡ଼ିଜିଟାଲ ୱାର୍ଲଡରେ ପିଲାମାନଙ୍କ ପାଇଁ ସେତେବେଳର ଚକ୍ ଆଜି ଡ଼ିଜିଟାଲ୍ ପେନସିଲ୍ ହୋଇଛି ବୋଲି ଶ୍ରୀ ପ୍ରଧାନ ଅଭିଭାଷଣରେ କହିଛନ୍ତି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣିତ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି -୨୦୨୦ ଆମକୁ ମଲଟି ଡ଼ିସିପ୍ଲିନାରୀ, ନିଯୁକ୍ତି, ଗବେଷଣା, ସ୍ଥାନୀୟ ଭାଷା ସହ ମାତୃଭାଷା ଓ ବିଶ୍ୱବିଦ୍ୟାଳୟକୁ ଅନ୍ତର୍ଜାତୀୟକରଣ କରିବାର ସୁଯୋଗ ଦେଇଛି। ଏଥିପାଇଁ ସ୍ୱତନ୍ତ୍ର ଫ୍ରେମୱାର୍କ ଆଣିବା ପାଇଁ ଚିନ୍ତା କରିବା ଆବଶ୍ୟକ। ୨୦୨୦ରୁ ଭାରତ ବର୍ଷରେ ରାଷ୍ଟ୍ରୀୟ ଶିକ୍ଷାନୀତି ଲାଗୁ ହୋଇଛି। ଅନ୍ତଃବିଷୟକ, ନିଯୁକ୍ତି, ଗବେଷଣା ଏବଂ ଆନ୍ତର୍ଜାତିକ ଗବେଷଣା ଉପରେ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ବିଦ୍ୟାଞ୍ଜଳି’ ଯୋଜନା ପ୍ରସ୍ତୁତ ହେଉଛି ଏବଂ ଏହାର କାର୍ଯ୍ୟାନ୍ବୟନ କରାଯିବା ଦରକାର। ପୁରାତନ ଛାତ୍ରଛାତ୍ରୀଙ୍କ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଦ୍ୟାଞ୍ଜଳି କାର୍ଯ୍ୟକ୍ରମରେ ବର୍ତ୍ତମାନ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ କରିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ବିଶ୍ବସ୍ତରୀୟ ରାଙ୍କରେ ଉତ୍କଳ କିଭଳି ସ୍ଥାନୀତ ହେବ ସେଥିପାଇଁ ପ୍ରୟାସ କରିବା ସହ ଆଗାମୀ ଦିନରେ ଉତ୍କଳ ବିଶ୍ବ ବିଦ୍ୟାଳୟର ନାକ କମିଟି ଦ୍ବାରା ଏ++ ମାନ୍ୟତା କିଭଳି ହାସିଲ କରିବ ସେଥିପାଇଁ ମିଳିତ ଉଦ୍ୟମ କରିବା ଦରକାର। ଅନ୍ତରଷ୍ଟ୍ରୀୟ ରାଙ୍କରେ କିଭଳି ଉତ୍କଳ ସ୍ଥାନ ପାଇବ ସେଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା ଉଚିତ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ଓଡ଼ିଶା ଶିକ୍ଷାନୀତିରେ ପରିବର୍ତ୍ତନ ପାଇଁ ପୁର୍ନବିଚାର କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଥିଲେ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୌରବମୟ ଇତିହାସ, ଶ୍ରୀମନ୍ଦିର ଓ ଏହାର ରୋଷଶାଳାର ବୈଜ୍ଞାନିକ ପୃଷ୍ଠଭୂମି, ଭକ୍ତ ସାଲବେଗଙ୍କ ଜୀବନୀ, ନାରୀ ସଶକ୍ତିକରଣର କଥା କହୁଥିବା ଶ୍ରୀୟା ଚଣ୍ଡାଳୁଣିଙ୍କ ମହତ୍ୱ ସହ ଆଧ୍ୟାତ୍ମିକ ସଂସ୍କୃତି ଓ ପରମ୍ପରା ଉପରେ ଶିକ୍ଷାଦାନ କରିବା ଉପରେ ବିଶ୍ୱବିଦ୍ୟାଳୟ ବିଚାର ବିମର୍ଷ କରିବା ଦରକାର। ମହାମାରୀ ଦ୍ୱାରା ଅନେକ ରାଷ୍ଟ୍ର ପ୍ରଭାବିତ ହୋଇଥିବା ବେଳେ ଏବେ ବି ଅନେକ ଚ୍ୟାଲେଞ୍ଜ ରହିଛି। ଏପରି ସ୍ଥିତିରେ ଆଗାମୀ ଦିନର ଚାଲିଚଳଣୀ, ସାମାଜିକ ଜୀବନ, ପାଠପଢ଼ା କିପରି ହେବ, ତାହାର ନିଷ୍ପତ୍ତି ବିଶ୍ୱବିଦ୍ୟାଳୟମାନେ ନେବା ଦରକାର। ପାଠପଢ଼ା ସମେତ ମାନବ ସମସ୍ୟାର ସମାଧାନର ସୂତ୍ର ବାହାର କରିବାକୁ ବିଶ୍ୱବିଦ୍ୟାଳୟମାନଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ। ଏତଦବ୍ୟତିତ ବିଦ୍ୟାଞ୍ଜଳିରେ ବିଶ୍ୱବିଦ୍ୟାଳୟକୁ ସାମିଲ କରିବା ଏବଂ ଏଥିରେ ଯୋଡିବା ପାଇଁ ଏବେର ଛାତ୍ରଛାତ୍ରୀଙ୍କ ସହ ଆଲୁମିନି ବା ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରୟାସ ରହିବା ମଧ୍ୟ ଜରୁରୀ। ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସହ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କୌଣସି ଗୋଟିଏ ବିଶ୍ୱବିଦ୍ୟାଳୟର ପ୍ରଗତି ପାଇଁ ଶିକ୍ଷାନୁଷ୍ଠାନର ସ୍ୱତନ୍ତ୍ରତା ରହିବା ଦରକାର। ବିଶ୍ୱବିଦ୍ୟାଳୟର ଅଧିକାରକୁ ସଙ୍କୁଚିତ କରିବା କଥା ନୁହେଁ। ଏହାର ବୌଦ୍ଧିକ ପରିପ୍ରକାଶରେ ଅଙ୍କୁଶ ଲଗାଇବା ମଧ୍ୟ ଅନୁଚିତ। ତେବେ ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ଭଲ ଭାବରେ ପୁନର୍ବାର ଅନୁଧ୍ୟାନ ଓ ବିଚାବିମର୍ଷ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।
କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ପଦ୍ମଶ୍ରୀ ଡ.ରଜତ କୁମାର କର କହିଥିଲେ ଯେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଅନେକ ପାଣ୍ଡୁଲିପି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ସେହି ପାଣ୍ଡୁଲିପିଗୁଡ଼ିକର ପ୍ରକାଶ କରାଯିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାର ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ। ଏହି ଅବସରରେ ଶ୍ରୀ କର ଚକ ଓ ଟକ୍‌ ଥିଓରି ସମ୍ପର୍କରେ ଅଭିଭାଷଣ ରଖିଥିଲେ।
କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେବା ସହିତ ବିଶ୍ବବିଦ୍ୟାଳୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ସୂଚନା ଦେିଥିଲେ। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୁଳସଚିବ ଡ.ଅଭୟ କୁମାର ନାୟକ ୨୦୨୦-୨୧ ବାର୍ଷିକ ବିବରଣୀ ପାଠ କରିଥିଲେ। ଛାତ୍ରମଙ୍ଗଳ ଅଧିକାରୀ ଡ. ସୁଶାନ୍ତ କୁମାର ବଡ଼ମାଳି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ୪୯କୃତୀ ପ୍ରତିଯୋଗୀଙ୍କ ମଧ୍ୟରୁ ୨୦୨୦ ପାଇଁ ୭ଜଣଙ୍କୁ ସ୍ବର୍ଣ୍ଣପଦକ ଦିଆଯାଇଥିବାବେଳେ ୨୦୨୧ ଲାଗି ୫ଜଣଙ୍କୁ ସ୍ବର୍ଣ୍ଣପଦକ ମିଳିଥିଲା। ସେହିପରି ୩୨ଜଣ ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ରଚନା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଲୋକ ପ୍ରଶାସନ ବିଭାଗର ଅମିତ କୁମାର ସେଠୀଙ୍କୁ ଚାନ୍‌ସେଲରର୍ସ ଟ୍ରଫି ପ୍ରଦାନ କରାଯାଇଥିଲା।
ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରର ୭୯ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅବସ୍ଥାପିତ ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆଶୀର୍ବାଦ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପଦ୍ମଶ୍ରୀ ଡ଼ା. ରଜତ କୁମାର କର ପ୍ରମୁଖ ଯୋଗଦେଇଥିଲେ।

କେନ୍ଦ୍ର ଶ୍ରୀ ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ସେଣ୍ଟର ଫର୍ ଇନୋଭେସନ ଏଣ୍ଡ ଇନକୁବେସନର ନୂତନ ୱେବସାଇଟକୁ ଲୋକାର୍ପଣ କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଆଣ୍ଟି ଟ୍ରାନ୍ସଫରିନ୍ ଆଂଟିବଡିର ଶୁଭାରମ୍ଭ କରିଥିଲେ। ଏହାବ୍ୟତିତ ଇନକୁବେସନ ସେଂଟରରେ ଷ୍ଟାଟଅପ୍ ଏବଂ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଥିଲେ।ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ଏବଂ ବାଣୀବିହାର ପରିସରରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Comments are closed.