ଭାରତରେ ଟ୍ରାନ୍ସଜେଣ୍ଡର କ୍ଲିନିକ ଚଳାଇଥିଲା ୟୁଏସ୍ଏଡ୍, ସାଢ଼େ ୭ଲକ୍ଷ ଡଲାର ପାଇଛନ୍ତି ସୋନମ କପୁରଙ୍କ ଦିଅର

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ୟୁଏସ୍ଏଡ୍’ (ୟୁନାଇଟେଡ ଷ୍ଟେଟ୍ସ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭେଲପମେଣ୍ଟ)କୁ ବନ୍ଦ କରିବା ପରେ ଏବେ ଏହି ସଂସ୍ଥା ବିରୋଧରେ ବହୁ ଗୁରୁତର ଅଭିଯୋଗ ଆସିଛି। ଏହି ସଂସ୍ଥା ଆମେରିକୀୟଙ୍କ ଟିକସଲବ୍ଧ ଧନ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ସହାୟତା ଆକାରରେ ଯୋଗାଉଥିଲା ଏବଂ ଭାରତ ସମେତ ଏକାଧିକ ଦେଶରେ ଟ୍ରାନ୍ସଜେଣ୍ଡର କ୍ଲିନିକ୍ (ଲିଙ୍ଗ ପରିବର୍ତ୍ତନ ଚିକିତ୍ସାଳୟ) ପରିଚାଳନା ସହ ଏଲଜିବିଟି (ସମଲିଙ୍ଗୀ)ସଂଗଠନଙ୍କୁ ଅର୍ଥ ଯୋଗାଉଥିଲା ବୋଲି ଜଣାପଡ଼ିଛି। ଆମେରିକାର ରିପବ୍ଲିକାନ୍ ସିନେଟର୍ ଜେନ୍ କେନେଡି ଆମେରିକା କ୍ୟାପିଟଲରେ ଏ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆଣିଛନ୍ତି। ସମ୍ପ୍ରତି ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି।
କେନେଡିଙ୍କ ଅଭିଯୋଗ ଅନୁଯାୟୀ, ୟୁଏସ୍ଏଡ୍ ଭିଏତ୍ନାମରେ ବୈଦ୍ୟୁତିକ ଯାନ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଉଥିଲା। ସର୍ବିଆର ସମଲିଙ୍ଗୀ ସଂଗଠନକୁ ଦେଢ଼ ନିୟୁତ ଡଲାର ପ୍ରଦାନ କରିଛି। ବିଶ୍ବର ବିଭିନ୍ନ ଆତଙ୍କବାଦୀ ସଂଗଠନଙ୍କୁ ଏହା ୧୬୪ ନିୟୁତ ଡଲାର ସହାୟତା ଦେଇଛି। ସେଥିରୁ ୧୨୨ ନିୟୁତ ଡଲାର ବହୁଦେଶୀୟ ଆତଙ୍କବାଦୀ ସଂଗଠନଙ୍କୁ ପ୍ରଦାନ କରାଯାଇଛି। ଗାଜା ଉପତ୍ୟକାର ଆତଙ୍କବାଦୀ ସଂଗଠନଙ୍କୁ ଏହା ବିପୁଳ ଅର୍ଥ ପ୍ରଦାନ କରିଛି। ଟ୍ରମ୍ପ ସରକାର ସମ୍ପ୍ରତି ସମଲିଙ୍ଗୀ ଓ କିନ୍ନରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା କରିଛନ୍ତି।
ଏହି ପରିପ୍ରେକ୍ଷୀରେ ବିପୁଳ ଅର୍ଥ ପାଇଥିବା ଭାରତର ଏକାଧିକ ଟ୍ରାନ୍ସଜେଣ୍ଡର କ୍ଲିନିକ ସଂକଟରେ ପଡ଼ିଥିବା ଜଣାପଡ଼ିଛି। ଆମେରିକା କଂଗ୍ରେସର ରିପବ୍ଲିକାନ୍ ସଦସ୍ୟା ନାନ୍ସୀ ମାସେଙ୍କ ସୂଚନାନୁଯାୟୀ, ୟୁଏସ୍ଏଡ୍ଠାରୁ ଭାରତୀୟ ସମାଜସେବୀ ଅନନ୍ତ ଆହୁଜା ୭ଲକ୍ଷ ୫୦ହଜାର ଡଲାର ସହାୟତା ହାତେଇଛନ୍ତି। ଅନନ୍ତ ଭାରତର ବୟନ ଶିଳ୍ପରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକଙ୍କ ଏକୁଟିଅା ପଣ ଦୂର କରିବା ପାଇଁ ଚଳାଇଥିବା ସ୍ବେଚ୍ଛାସେବୀ ସଂଗଠନ ‘ଗୁଡ୍ ବିଜ୍ନେସ୍ ଲାବ ଫାଉଣ୍ଡେସନ୍’ ନାମରେ ୨୦୨୦ରୁ ଏହା ସହାୟତା ପାଇଆସୁଥିବା ସୂଚନା ମିଳିଛି। ଆମେରିକା କଂଗ୍ରେସର ଓଭରସାଇଟ୍ କମିଟି ମଧ୍ୟ ଗତ ୫ତାରିଖରେ ଏହା ସ୍ବୀକାର କରିବା ସହ ଏହି ସହାୟତା ଆମେରିକୀୟଙ୍କ ସ୍ବାର୍ଥସାଧନ କରୁନଥିବା ମତ ଦେଇଛି। ଅନନ୍ତ ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ୩୩ ବର୍ଷୀୟ ସାନ ଭାଇ। ସେ ୬ଟି କାରଖାନାକୁ ଏଥିପାଇଁ ସହଯୋଗୀ ଭାବେ ବାଛିଛନ୍ତି।
ଭାରତର ସର୍ବବୃହତ୍ ପୋଷାକ ରତ୍ପାନୀ ସଂସ୍ଥା ଶଶୀ ଏକ୍ସପୋର୍ଟସ୍ ଅଧୀନରେ ରହିଛି ଏହି ୬ କାରଖାନା। ଅନନ୍ତ ଏଥିରେ ୧୦୦୦ କନିଷ୍ଠ ମହିଳା କର୍ମଚାରୀ ଓ ସମ ସଂଖ୍ୟକ ବରିଷ୍ଠ ପୁରୁଷ କର୍ମଚାରୀଙ୍କୁ ସଂଯୋଜିତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆମେରିକା ସରକାରଙ୍କ ପକ୍ଷରୁ ମାନବୀୟ ସହାୟତା ଯୋଗାଉଥିବା ସର୍ବବୃହତ୍ ସଂସ୍ଥା। ଆମେରିକାବାସୀଙ୍କ ଟିକସ ଅର୍ଥ ତଥା ଦାନରେ ଏହା ପରିଚାଳିତ ହୁଏ।
ଏହାର ବଜେଟ ଲକ୍ଷଲକ୍ଷ କୋଟି ଡଲାର। ଏହା ଦେଶର ଷ୍ଟେଟ୍ ଡିପାର୍ଟମେଣ୍ଟ ଓ ଫରେନ୍ ପଲିସି ଡିପାର୍ଟମେଣ୍ଟର ମିଳି ମାର୍ଗଦର୍ଶନରେ କାର୍ଯ୍ୟ କରିଥାଏ। କଂଗ୍ରେସ ଏହାର ବ୍ୟୟକୁ ଅନୁମୋଦନ କରିଥାଏ। ଏହି ଅର୍ଥର ଅପବ୍ୟୟ ହେଉଥିବା ଓ ଏଥିରେ ଆମେରିକାବାସୀ କିଛି ଲାଭ ପାଉନଥିବା ଟ୍ରମ୍ପ ପ୍ରଶାସନ ଅନୁଭବ କରୁଛି। ୟୁଏସ୍ଏଡ୍ରେ ବ୍ୟାପକ ଦୁର୍ନୀତି ଓ ଅପବ୍ୟୟ ହେଉଥିବାରୁ ଟ୍ରମ୍ପ ପ୍ରଶାସନ ଏହାକୁ ଏକ ଆପରାଧିକ ସଂଗଠନ ଭାବେ ବିଚାର କରୁଛି।
Comments are closed.