ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସକୁ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା

ଜାତୀୟ ଶିକ୍ଷା ନୀତିରେ ଦିବ୍ୟାଙ୍ଗଙ୍କ ବିକାଶ ଭାରତ ସରକାରଙ୍କ ପ୍ରାଥମିକତାର ବିଷୟ : ଧର୍ମେନ୍ଦ୍ର

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୁବନେଶ୍ୱର ସ୍ଥିତ ସ୍ବାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନ (ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ) ପରିଦର୍ଶନ କରିବା ଅବସରରେ ଏହି ଅନୁଷ୍ଠାନକୁ ସ୍ୱୟଂଶାସିତ ମହାବିଦ୍ୟାଳୟ ଭାବେ ଘୋଷଣା କରିଛନ୍ତି । ଏହି ପ୍ରତିଷ୍ଠାନକୁ ବିଶ୍ବବିଦ୍ୟାଳୟ ମଞ୍ଜରୁ ଆୟୋଗ (ୟୁଜିସି) ସ୍ୱତନ୍ତ୍ର ବର୍ଗରେ ୟଂଶାସିତ କଲେଜ ଭାବରେ ମାନ୍ୟତା ପ୍ରଦାନ କରିଛି ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ କ୍ୟାମ୍ପସ ପରିସରରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଥିବା ମଡେଲ୍ ସେଣ୍ଟର, ସମନ୍ବିତ ଥଇଥାନ କେନ୍ଦ୍ର, କ୍ଲିନିକ୍ ବ୍ଲକ, ଏକାଡେମିକ ବ୍ଲକ, ବାଲମୁକୁନ୍ଦ ରେହାବ ହସ୍ପିଟାଲ ବୁଲି ଦେଖିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକ ମାନଙ୍କୁ ଭେଟିଥିଲେ।  ଶିକ୍ଷାନୁଷ୍ଠାନର ଅନୁକୂଳ ଶୈକ୍ଷିକ ବାତାବରଣରେ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ବିଭିନ୍ନ ଚିକିତ୍ସା, ଥେରାପି ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଖୁବ ପ୍ରଶଂସନୀୟ । ଏହି ଶିକ୍ଷାନୁଷ୍ଠାନକୁ ଆସି ଦିବ୍ୟାଙ୍ଗ ମାନଙ୍କୁ ଭେଟି ଭଗବାନଙ୍କୁ ପୂଜା କରିବା ଠାରୁ ଅଧିକ ସୌଭାଗ୍ୟ ମିଳିଲା ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ ମତ ବ୍ୟକ୍ତ କରିଛନ୍ତି ।ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଣତ ହେଉଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସକୁ ୟୁଜିସି ବିଶେଷ ବର୍ଗରେ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ମାନ୍ୟତା ପ୍ରଦାନ କରାଯିବା ଖୁସିର ବିଷୟ । ଏଣିକି ଏହି ଅନୁଷ୍ଠାନର ନିଜସ୍ୱ ପାଠ୍ୟକ୍ରମ, ପରୀକ୍ଷା ପଦ୍ଧତି ସହ ସାର୍ଟିଫଫିକେଟ୍ ପ୍ରଦାନ କରାଯିବ । ଏହି ଅନୁଷ୍ଠାନ ସହ ମେଧାବୀ ଓଡ଼ିଆ ପିଲାମାନେ ଯୋଡି ହେଉଛନ୍ତି । ଏହାର ଅର୍ଥ ଏହି ପାଠ୍ୟକ୍ରମ ପ୍ରତି ପିଲା ମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ଅଛି । ଦିବ୍ୟାଙ୍ଗଙ୍କ ପାଠପଢାକୁ ସୁଗମ କରିବା ସହ ସମାଜରେ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଦାୟିତ୍ୱ ନେବା ପାଇଁ ପଡିବ । ଦୀର୍ଘ ୨୫ ବର୍ଷ ଧରି ଦିବ୍ୟାଙ୍ଗ ମାନଙ୍କୁ ପାଠ ପଢାଇବା ସହ ମଣିଷ ତିଆରି କାମରେ ଲାଗିଥିବା ଏହି ଅନୁଷ୍ଠାନକୁ ଆଗକୁ ନେବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

prayash


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗଙ୍କ ପରିଭାଷା ବଦଳାଇଛନ୍ତି । ମୋଦୀ ସରକାରରେ ଦିବ୍ୟାଙ୍ଗ ମାନଙ୍କୁ ଉଚିତ୍ ସମ୍ମାନ ମିଳିଛି । ବିଶେଷ ଭାବରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରୀ ହେବା ପରେ ଏହା ଉପରେ ଧ୍ୟାନ ଦେବା ଭାରତ ସରକାରଙ୍କ ପ୍ରାଥମିକତାର ବିଷୟ ହୋଇଛି । ଏହି ଅନୁଷ୍ଠାନରେ ଅଧ୍ୟୟନରତ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ବ୍ୟତିତ ସମ୍ମାନର ସହ କୁଶଳୀ କରି ସେମାନଙ୍କୁ ରୋଜଗାରର ବ୍ୟବସ୍ଥା ସହ ଯୋଡିବା ପାଇଁ ବ୍ୟବସ୍ଥା କରାଯିବ। ଶିକ୍ଷକଙ୍କୁ ପ୍ରଶିକ୍ଷଣ ସହ ଭିତ୍ତିଭୂମିର ବିକାଶ ଦିଗରେ ଗୁରୁତ୍ୱ ଦିଆଯିବ। ଏହି ଅନୁଷ୍ଠାନକୁ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Comments are closed.