ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୪ରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ହେବାକୁ ଥିବା ଅଲ୍ଟିମେଟ୍ ଖୋ-ଖୋର ଦ୍ବିତୀୟ ସଂସ୍କରଣରେ ଓଡ଼ିଶା ଜଗରନଟ୍ସ ନିଜର ଆଉ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ବିଗତ ସଂସ୍କରଣର ବିଜେତା ଭାବେ ସମସ୍ତଙ୍କ ନଜର ଓଡ଼ିଶା ଜଗରନଟ୍ସ ଉପରେ ରହିବ, ଯେଉଁମାନେ ସିଜନ ଆରମ୍ଭରୁ ନିଜର ଦମଦାର ଖେଳ ପୁନରାବୃତ୍ତି କରିବାକୁ ଉତ୍ସାହିତ ରହିବେ। ନିକଟରେ ଶେଷ ହୋଇଥିବା ପ୍ଲେୟର ଡ୍ରାଫ୍ଟରେ ଓଡ଼ିଶା ଜଗରନଟ୍ସ ୪ ଜଣ ପ୍ରମୁଖ ଖେଳାଳିଙ୍କୁ ରଖିବା ସହ ଅନେକ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରି ନିଜକୁ ସୁଦୃଢ଼ କରିଛି। ଏଥିରେ ଓଡ଼ିଶା ଜଗରନଟ୍ସ ସହିତ, ଚେନ୍ନାଇ କ୍ୱିକ୍ ଗନ୍ସ, ଗୁଜରାଟ ଜାଏଣ୍ଟସ୍, ମୁମ୍ବାଇ ଖିଲାଡି, ରାଜସ୍ଥାନ ୱାରିୟର୍ସ ଓ ତେଲୁଗୁ ଯୋଦ୍ଧା ପ୍ରମୁଖ ଦଳ ଭଲ ଖେଳ ପ୍ରଦର୍ଶନ କରି ବିଜୟ ହାସଲ ପାଇଁ ଚେଷ୍ଟା ଜାରି ରଖିବେ।
୨୦ ବର୍ଷୀୟ ଅଲରାଉଣ୍ଡର ଦିଲ୍ଲୀପ ଖଣ୍ଡଭିଙ୍କ ସହ ଅଲରାଉଣ୍ଡର ଦୀପେଶ ମୋରେ ଦଳକୁ ଫେରିଛନ୍ତି । ସେହିଭଳି ଡିଫେଣ୍ଡର ଗୌତମ ଏମକେ ଏବଂ ବିଶାଲ ମଧ୍ୟ ଚଳିତ ସିଜିନରେ ଜଗରଜଗରନଟ୍ସ ଦଳରେ ରହିବେ । ହୋଇଥିବା ନିଲାମରେ ଓମ୍କାର ସୋନାୱାନେ, ରୋହନ ଶିଙ୍ଗାଡେ, ଅକ୍ଷୟ ମାସାଲ, ମହେଶା ପି, ମନୋଜ ପାଟିଲ, ଅବିନାଶ ଦେଶାଇ, ମନୋଜ କୁମାର, ବିଶାଗ ଏସ, ଦେବେନ୍ଦ୍ର ନାଥ, ନିଖିଲ କୁମାର, ବିଶାଲ ଓରାମ, ସଞ୍ଜୟ କୁମାର ଭି, ଦୀପକ କୁମାର ସାହୁ, ନିଖିଲ ବି, ଏମଡି ମିରାଜୁଲ, ସୁଶାନ୍ତ କଲଧୋନ, ସୋଭାଗ ଭି ଶ୍ରୀଗଣ୍ଡା, ନିରଞ୍ଜନ ସାମଲ, ସାବୀର ଅହମ୍ମଦ, ସୁରେଶ କୁମାର ଓ ସିଦ୍ଧେଶ୍ୱର ଟୁଡୁଙ୍କୁ ଦଳରେ ସାମିଲ କରାଯାଇଛି।
ନିଲାମ ରଣନୀତି ଉପରେ ଆଲୋକପାତ କରି ଓଡ଼ିଶା ଯୁବ ଦଳର ମୁଖ୍ୟ ପ୍ରଶିକ୍ଷକ ବିନୟ କୁମାର ଜୟସ୍ୱାଲ କହିଛନ୍ତି, ଆମେ ଗତ ସିଜନ ପରି ଆମର ମୂଳ ରଣନୀତିକୁ ବଜାୟ ରଖିବାକୁ ଚେଷ୍ଟା କରିଛୁ, ଯେଉଁଥିରେ ଦୃଢ଼ ଡିଫେନ୍ସ ଏବଂ ଯୁବ ଖେଳାଳିଙ୍କ ଉପରେ ଭରସା ରହିଛି। ମୁଁ ଭାବୁଛି ଆମର ଏକ ସଫଳ ନିଲାମ ହୋଇଥିଲା, ଯେଉଁଥିରେ ଆମେ ଓମ୍କାର ସୋନାୱାନେ, ରୋହନ ସିଙ୍ଗାଡେ ଏବଂ ମନୋଜ କୁମାରଙ୍କ ଭଳି ଉଚ୍ଚ ପ୍ରଦର୍ଶନକାରୀଙ୍କ ସମେତ ଆମେ ଚାହୁଁଥିବା ସମସ୍ତ ଖେଳାଳିଙ୍କୁ ପାଇବାରେ ସଫଳ ହୋଇଥିଲୁ।
ଏଠାରେ ଉଲ୍ଲେଖଯୋଗ୍ୟ, ନିକଟରେ ଗୋଆରେ ଶେଷ ହୋଇଥିବା ଜାତୀୟ କ୍ରୀଡ଼ାରେ ଓଡ଼ିଶା ପୁରୁଷ ଓ ମହିଳା ଖୋ-ଖୋରେ ରୌପ୍ୟ ପଦକ ହାସଲ କରିଛି। ଚଳିତ ବର୍ଷ ଜଗରନଟ୍ସ ଦଳରେ ଦେବେନ୍ଦ୍ର ନାଥ, ବିଶାଲ ଓରାମ, ଦୀପକ କୁମାର ସାହୁ, ନିରଞ୍ଜନ ସାମଲ ଓ ସିଦ୍ଧେଶ୍ୱର ଟୁଡୁଙ୍କ ସମେତ ୫ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି I
ଓଡ଼ିଶା ଜଗରନଟ୍ସ ପାଇଁ ଘରୋଇ ଫାଇଦା ସମ୍ପର୍କରେ କୋଚ୍ କହିଛନ୍ତି, ମୁଁ ଭାବୁଛି ଯେ କୌଣସି ଖେଳରେ ଘରୋଇ ପରିବେଶରେ ଖେଳିବା ସବୁବେଳେ ଲାଭଦାୟକ ହୋଇଥାଏ। ଆମେ ପ୍ରଶଂସକଙ୍କ ସମର୍ଥନକୁ ଅପେକ୍ଷା କରିଛୁ ଏବଂ ମୁଁ ନିଶ୍ଚିତ ଯେ ଏହା ଆମକୁ ଆମର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ । ଆମ ପାଖରେ ଅନେକ ଯୁବ ଖେଳାଳି ଅଛନ୍ତି, ଯେଉଁମାନେ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଚାପ ଅନୁଭବ କରିପାରନ୍ତି, କିନ୍ତୁ ମୋର ବିଶ୍ୱାସ ଯେ ଆମେ ବହୁତ ଭଲ ପ୍ରସ୍ତୁତି କରିଛୁ।
ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଜଗରନଟ୍ସ ଚଳିତ ସିଜନର ପ୍ରଥମ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ଭେଟିବ।



