www.samajalive.in
Monday, December 8, 2025
27.1 C
Bhubaneswar

‘ଉଡାନ’ ଅପେକ୍ଷାରେ ତୁଷୁରା ଏୟାରଷ୍ଟ୍ରିପ, ଦାବି ସତ୍ୱେ କେନ୍ଦ୍ରର ଅଗ୍ରାହ୍ୟ

ବଲାଙ୍ଗିର: ‘ଉଡାନ’ ଅପେକ୍ଷାରେ ବଲାଙ୍ଗିର ଜିଲା ତୁଷୁରା ବଡଙ୍ଗୋମୁଣ୍ଡା ଠାରେ ଥିବା ଏୟାରଷ୍ଟ୍ରିପ। ବର୍ଷ ବର୍ଷ ଧରି ଅବହେଳିତ ହୋଇପଡିଥିବା ଏହି ଏୟାରଷ୍ଟ୍ରିପ କେନ୍ଦ୍ର ସରକାର ଉଡାନ ଯୋଜନା ଲାଗୁ କରିବା ପରେ ଜୀବନ୍ୟାସ ପାଇବା ଅପେକ୍ଷାରେ ରହିଥିଲା। କିନ୍ତୁ ତାହା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ତେବେ ଶୋଷିଲା ପାଟିରେ ପାଣି ବୁନ୍ଦାଏ ଭଳି ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର (ଗତି)ର ଏକ ଶାଖା ଏଠାରେ କରିବା ପାଇଁ ସମସ୍ତ ପ୍ରକାର ନିଷ୍ପତ୍ତି ଚୁଡାନ୍ତ ହୋଇଥିଲେ ମଧ୍ୟ ତାହା ଦୁଇ ବର୍ଷ ହେଲା ହୋଇପାରିନାହିଁ।

ବଲାଙ୍ଗିର ଜିଲା ମୁଖ୍ୟାଳୟରୁ ପ୍ରାୟ ୨୫ କିମି ଦୂରରେ ବଡଙ୍ଗୋମୁଣ୍ଡା ଠାରେ ରହିଛି ତୁଷୁରା ଏୟାରଷ୍ଟ୍ରିପ। ପ୍ରାୟ ୫୦ ଏକର ଜମିରେ ଏହି ଏୟାରଷ୍ଟ୍ରିପ ନିର୍ମାଣ ହୋଇଛି। ୧୨ଶହ ମିଟରର ରନୱେ ବିଶିଷ୍ଟ ଏହି ଏୟାରଷ୍ଟ୍ରିପ ସବୁବେଳେ ଅବହେଳାର ଶୀକାର ହୋଇଆସୁଥିବା ଅଭିଯୋଗ ହୋଇଛି। ବର୍ଷ ବର୍ଷ ଧରି ଏହି ଏୟାରଷ୍ଟ୍ରିପ ପଡିରହିଥିବା ବେଳେ ଅତୀତରେ କାଁ ଭାଁ ବ୍ୟବହାର ହୋଇଛି। ଏହି ଛୋଟ ଛୋଟ ଏୟାରଷ୍ଟ୍ରିପମାନଙ୍କୁ ବ୍ୟବହାର କରି ବିମାଣ ସଂଯୋଗୀକରଣକୁ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ୨୦୧୭ ମସିହାରେ ‘ଉଡାନ’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ବଲାଙ୍ଗିର ଜିଲା ନିକଟସ୍ଥ ସମ୍ବଲପୁର, ଝାରସୁଗୁଡା ଏୟାରପୋର୍ଟ ଗୁଡିକ କାର୍ଯ୍ୟକ୍ଷମ ହୋଇପାରିଛି। କିନ୍ତୁ ବଲାଙ୍ଗିରରେ ଥିବା ଏହି ଏୟାରଷ୍ଟ୍ରିପକୁ ‘ଉଡାନ’ ଯୋଜନାରେ ସାମିଲ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଏୟାରଷ୍ଟ୍ରିପକୁ ଯୋଜନାରେ ସାମିଲ କରି ଉନ୍ନତିକରଣ ଓ ବିମାନ ସଂଯୋଗୀକରଣ କରାଗଲେ ଜିଲା ପାଇଁ ଏକ ବଡ ସୁଯୋଗ ସୃଷ୍ଟି ହେବା ସହିତ ସ୍ଥାନୀୟ ଅଞ୍ଚଳର ବିକାଶ ଦିଗରେ ଏହା ଭାଗୀଦାରି ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। କିନ୍ତୁ ବାରମ୍ବାର ଏଥିପାଇଁ ଦାବି ହେଉଥିବା ମଧ୍ୟ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି।

- Advertisement -

ଯୋଜନା କାର୍ଯ୍ୟକାରୀ ସମୟରୁ ସ୍ଥାନୀୟ ବିଧାୟକ, ସାଂସଦ ଚିଠି ଲେଖି ବିମାନ ଚଳାଚଳ ବିଭାଗକୁ ଜଣାଇଥିଲେ। ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଦାବି କରିଛନ୍ତି। ରାଜ୍ୟ ସରକାର ମଧ୍ୟ ନେଇ ଦାବି କରିଥିଲେ ମଧ୍ୟ ଏହି ଏୟାରଷ୍ଟ୍ରିପର ଭାଗ୍ୟ ବଦଳି ନାହିଁ। ଗତ ୨୦୧୮ ମସିହାରେ ଏୟାରଷ୍ଟ୍ରିପକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାରୀ ବିମାନ ଚଳାଚଳ ପ୍ରଶିକ୍ଷଣ କେନ୍ଦ୍ରର ଏକ ଶାଖା ଏଠାରେ ଚଳାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଥିଲେ। ଭୂବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ଥିବା ଏହି ପ୍ରଶିକ୍ଷଣ କେନ୍ଦ୍ର ମୁଖ୍ୟାଳୟର ପ୍ରଶିକ୍ଷାର୍ଥୀମାନେ ୬ ମାସ ଏହି ଏୟାରଷ୍ଟ୍ରିପରେ ପ୍ରାକ୍ଟିକାଲ କରିବା ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଏୟାରଷ୍ଟ୍ରିପର ଉନ୍ନତିକରଣ ପାଇଁ ପ୍ରାୟ ୧୦ କୋଟି ଟଙ୍କାର ପ୍ରକଳ୍ପ ଚୁଡାନ୍ତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬ କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ପୁର୍ତ୍ତ ବିଭାଗ ପକ୍ଷରୁ ଏହି କାମ ହାତକୁ ନିଆଯାଇଥିଲା। କିଛି କାମ ସରିଛି ଆଉ କିଛି କାମ ବାକି ରହିଛି। କିନ୍ତୁ ଆଉ ସାଢେ ୩ କୋଟି ଟଙ୍କା ଏବେ ବି ମଞ୍ଜୁର ନହୋଇ ପଡିରହିଛି। ସରକାର ୨୦୧୮ ଶେଷ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ମଧ୍ୟ ୨୦୨୦ ଅକ୍ଟୋବର ସୁଦ୍ଧା ଏହା ହୋଇପାରିନାହିଁ। ଦୁଇ ବର୍ଷ ହେଲା ଗତି ପାଇଁ କାମର ଗତି ବଢିପାରିନାହିଁ। ଫଳରେ ଏହି ଏୟାରଷ୍ଟ୍ରିପ ଏବେ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ପଡିରହିଛି। ଗତି ପାଇଁ ଯାହାକିଛି ଟଙ୍କା ଆସିଥିଲା ଖର୍ଚ୍ଚ ହୋଇ କିଛି ନର୍ମାଣ କାମ ହୋଇଛି।

ଏନେଇ ପୂର୍ବ ସାଂସଦ କଲିକେଶ ନାରାୟଣ ସିଂହଦେଓ ଗତ କିଛି ମାସ ତଲେ ପୁଣି ଥରେ ଚିଠି ଲେଖି ଉଡାନ ଯୋଜନାରେ ସାମିଲ କରିବା ପାଇଁ ଚିଠି ଲେଖି ଦାବି କରିଥିଲେ କିନ୍ତୁ ତାହା ମଧ୍ୟ ସଫଳ ହେବାର ସମ୍ଭାବନା ବହୁତ କମ ରହିଛି। ତେବେ ଏହି ଏୟାରଷ୍ଟ୍ରିପରେ ଉନ୍ନତିକରଣ କରାଗଲେ ବଲାଙ୍ଗିରରୁ ରାଜ୍ୟ ବାହାରକୁ ବିମାଣ ଯୋଗାଯୋଗ ସୁଦୃଢ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ଏଦିଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କେତେ ଅନ୍ତରିକତା ରହିଛି ତାହା ଦେଖିବାକୁ ବାକି ରହିଲା।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories