କାମ୍ପାଲା: ଆଫ୍ରିକୀୟ ରାଷ୍ଟ୍ର ଉଗାଣ୍ଡାର ମୁଜିକା ସହରର ଏକ ଗ୍ରାମରେ ବାସ କରୁଛନ୍ତି ମୁସା ହାସାନ୍ଧ୍ୟା କାସେରା ନାମକ ଜଣେ ବ୍ୟକ୍ତି। ତାଙ୍କର ବିଶେଷତ୍ଵ ହେଲା, ସେ ହେଉଛନ୍ତି ବିଶ୍ବର ବୃହତ୍ତମ ପରିବାରର ମୁଖିଆ । ମୁସାଙ୍କର ୧୨ ଜଣ ସ୍ତ୍ରୀ ଥିବାବେଳେ ୧୦୨ ସନ୍ତାନ ଏବଂ ୫୭୮ ନାତି ନାତୁଣୀ ରହିଛନ୍ତି । ବିରାଟ ପରିବାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ମୁସା ବର୍ତ୍ତମାନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଆର୍ଥିକ ଅନଟନ ଯୋଗୁଁ ପରିବାର ସଦସ୍ୟଙ୍କ ଖାଇବା ଖର୍ଚ୍ଚ ବହନ କରିବାରେ ସେ ଅକ୍ଷମ ହୋଇପଡିଛନ୍ତି। ସେଥିପାଇଁ ଆର୍ଥିକ ସହାୟତା ଯୋଗାଇବାକୁ ମୁସା ସାମାଜିକ ଗଣମାଧ୍ଯମର ଦ୍ବାରସ୍ଥ ହୋଇଛନ୍ତି । ୧୯୭୨ରେ ମାତ୍ର ୧୭ ବର୍ଷ ବୟସରେ ମୁସା ପ୍ରଥମେ ବିବାହ କରିଥିଲେ । ମୁସା ଜଣେ ଗାଈ ଜଗୁଆଳ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ପରିବାର ବୃଦ୍ଧି କରିବାକୁ ନିଷ୍ପଭି ନେଇଥିଲେ। ମୁସାଙ୍କ ପ୍ରଥମ ସନ୍ତାନ ସାଣ୍ଡ୍ରା ୧୯୭୩ରେ ଜନ୍ମଗ୍ରହଣ କରିଥିଲେ ।
ରୋଜଗାର ଭଲ ଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଜ୍ୱଇଁ କରିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁଥିଲେ। ଏହି ପ୍ରକ୍ରିୟାରେ ମୁସା ଜଣକ ପରେ ଜଣେ ମୋଟ ୧୨ ଜଣଙ୍କୁ ବିବାହ କରିଥିଲେ। ସେମାନଙ୍କ ଔରସରୁ ମୋଟ ୧୦୨ ଜଣ ସନ୍ତାନ ଜନ୍ମ ନେଇଥିଲେ। ସନ୍ତାନମାନଙ୍କ ବିବାହ ହେବାପରେ ମୁସାଙ୍କ ବଂଶ ବଢି ଚାଲିଥିଲା। ବର୍ତ୍ତମାନ ତାଙ୍କର ୫୭୮ ନାତି ନାତୁଣୀ ରହିଛନ୍ତି। ୧୯୯୫ରୁ ଉଗାଣ୍ଡାରେ ବାଲ୍ୟ ବିବାହକୁ ନିଷିଦ୍ଧ କରାଯାଇଥିଲେ ସୁଦ୍ଧା ବହୁ ବିବାହ ପ୍ରଥା କାଏମ ରହିଛି। ମୁସାଙ୍କ ସନ୍ତାନଙ୍କ ବୟସ ବର୍ତ୍ତମାନ ୧୦ରୁ ୫୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ତାଙ୍କର ଦ୍ବାଦଶ ପତ୍ନୀଙ୍କ ବୟସ ୩୫ ବର୍ଷ ।
ମୁସାଙ୍କ କହିବା ଅନୁଯାୟୀ ସେ କେବଳ ପ୍ରଥମ ଓ ଶେଷ ସନ୍ତାନଙ୍କ ନାମ ମନେ ରଖୁଛନ୍ତି । ଅନ୍ୟ ସନ୍ତାନଙ୍କ ନାମ କ’ଣ ଦିଆଯାଇଛି, ତାହା ସେ କହିପାରୁନାହାନ୍ତି। ତେବେ ଗୋଟିଏ ଡାଏରୀରରେ ସବୁ ସନ୍ତାନଙ୍କ ଜନ୍ମ ତାରିଖ ସେ ଲେଖା ରଖୁଛନ୍ତି । ଘର ପୁରୁଣା ହୋଇଥିବାରୁ ଛାତରୁ ପାଣି ଗଳୁଛି। ଆଖପାଖରେ ମାଟି କୁଡିଆରେ ପରିବାରର ଅନ୍ୟ ସଦସ୍ୟ ବାସ କରୁଛନ୍ତି। ଦୁଇ ଏକର ଚାଷ ଜମିରୁ ଉତ୍ପନ୍ନ ହେଉଥିବା ଫସଲରେ ଏତେ ବଡ ପରିବାର ଚଳାଇବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡୁଛି। ପିଲାମାନେ ମଧ୍ୟ ସେଭଳି ରୋଜଗାର କରୁନାହାନ୍ତି। ଫଳରେ ପିଲା ଓ ନାତି ନାତୁଣୀଙ୍କୁ କେବଳ ଗୋଟିଏ ବେଳା ଖାଇବାକୁ ଦେଇପାରୁଥିବା ସେ କହିଛନ୍ତି।



