ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଶନିବାର ଶୁଭାରମ୍ଭ ହୋଇଛି। ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ଇସ୍ପାତ ଓ ଖଣି, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ଡ଼.ରଘୁନାଥ ମାହାପାତ୍ର, ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ଶ୍ରାକାନ୍ତ ମାଧବ ବୈଦ, ଆଇସିଟି ମୁମ୍ବଇ ଶିକ୍ଷାନୁଷ୍ଠାନର କୁଳପତି ପ୍ରଫେସର ଅନିରୁଦ୍ଧ ବାଳଚନ୍ଦ୍ର ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଯୋଡି ହୋଇ ଉଦ୍ବୋଧନ ଦେଇଥିଲେ। ସେ ନିଜ ଅବିଭାଷଣରେ ପ୍ରଥମେ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ। ବିନ୍ଦୁ ସାଗର ପ୍ରକଳ୍ପରେ ସହଯୋଗ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିନ୍ଦୁ ସାଗର ଆମ ଆଶା ଓ ବିଶ୍ବାସର ତୀର୍ଥ, ବିନ୍ଦୁ ସାଗର ଭୁବନେଶ୍ବରବାସୀଙ୍କ ଜୀବନ ସହ ଜଡ଼ିତ, ସାରା ଭାରତର ସବୁ ତୀର୍ଥର ଜଳ ବିନ୍ଦୁ ସାଗରରେ ରହିଛି, ଏହାକୁ ସ୍ବଚ୍ଛ ରଖିବା ଆମ ନୈତିକ ଦାୟିତ୍ବ। ଭୁବନେଶ୍ବରରେ ଅନେକ ତୀର୍ଥ ପୋଖରୀ ରହିଛି ଏହାକୁ ସଫା ରଖିବା ଆମ ସମସ୍ତଙ୍କ ଦାୟିତ୍ବ। ଏହି କାମରେ ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସ୍ଆର ପାଣ୍ଠିରୁ ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନ୍ଦୁସାଗର ସଫେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଇନ୍ଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି (ଆଇସିଟି)ର ନିର୍ଦେଶକ ପ୍ରଫେସର ଭାସ୍କର ଏନ ଥୋରାଟ। ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ଼(ଓବିସିସି)ର ସହଯୋଗିତାରେ ଏହା କାର୍ଯ୍ୟକାରୀ ହେବ।
ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ନାରାବାଜି ଦେଖିବାକୁ ମିଳିଥିଲା। ପରେ କିଛି ସମୟ ପାଇଁ ଉଭୟ ଦଳୀୟ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସର ହସ୍ତକ୍ଷେପ ପରେ ଉଭୟ ଦଳ ଶାନ୍ତ ପଡ଼ିଥିଲେ।
ସୂଚନାଯୋଗ୍ୟ, ଗତ ବର୍ଷ ଜୁନମାସରେ ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ଼ (ଓବିସିସି) ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି ଭିତରେ ବିନ୍ଦୁସାଗର ଜଳର ସ୍ବଚ୍ଛତାକୁ ନେଇ ବୁଝାମଣା ହୋଇଥିଲା। ତିନିମାସ ଭିତରେ ବିନ୍ଦୁସାଗର ଜଳକୁ ସ୍ବଚ୍ଛ କରିବା ଲାଗି ଦିନ ଧାର୍ଯ୍ୟ ହୋଇଥିଲା। ତେବେ କୋଭିଡ-୧୯ ମହାମାରୀ ଯୋଗୁଁ କାର୍ଯ୍ୟରେ ବିଳମ୍ବ ଘଟିଥିଲା।
ରାଜ୍ୟ ସରକାରଙ୍କ ଫୋକସରେ ଏବେ ଏକାମ୍ର ବିକାଶ ରହିଛି। ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ବିକାଶ ସହ ବିନ୍ଦୁସାଗର ଜଳ ସ୍ବଚ୍ଛତା କରାଯିବା ନିହାତି ଜରୁରୀ। ଏଥିପାଇଁ ସରକାର ବିନ୍ଦୁସାଗର ପ୍ରତି ଅଧିକ ଗୁରୁତ୍ବ ଦେଇଛନ୍ତି। ଗତବର୍ଷ ଅକ୍ଟୋବର ୩୧ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଏକାମ୍ରକ୍ଷେତ୍ରର ସ୍ଥିତି ଅନୁଧ୍ୟାନ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେହିପରି ୨୦୨୦ ଡିସେମ୍ବର ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପର ସମୀକ୍ଷା କରିବା ସହ ବିନ୍ଦୁସାଗର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଏବେ କିନ୍ତୁ ବିନ୍ଦୁସାଗର ଜଳକୁ ସ୍ବଚ୍ଛ ଲାଗି କାର୍ଯ୍ୟ ଆରମ୍ଭ ହୋଇସାରିଛି। ୨୧ ଏକର ପରିମିତ ବିନ୍ଦୁସାଗର ପୁଷ୍କରିଣୀ ଚତୁଃପାର୍ଶ୍ବରେ ୪ଟି ଯନ୍ତ୍ରାଂଶ ଖଞ୍ଜା ହୋଇଯାଇଛି। ଏହି ପଦ୍ଧତିରେ ବିନ୍ଦୁସାଗର ପାଣି ସ୍ବଚ୍ଛ ହେଲେ ଏକାମ୍ରର ଆଉ ୪ଟି ତୀର୍ଥପୁଷ୍କରିଣୀ ଜଳକୁ ସ୍ବଚ୍ଛ ଓ ନିର୍ମଳ କରାଯିବ ବୋଲି ଓବିସିସିର ପରିଚାଳନା ନିର୍ଦେଶକ ଇଂ ଜୟକୃଷ୍ଣ ଦାସ କହିଛନ୍ତି।



