ନୂଆଦିଲ୍ଲୀ: ଉନ୍ନାଓ ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ସୁପ୍ରିମକୋର୍ଟ ସୋମବାର ଅଧିକ ୨ ସପ୍ତାହ ମହଲତ ଦେଇଛନ୍ତି। ଏହି ଅତିରିକ୍ତ ସମୟ ମଧ୍ୟରେ ତଦନ୍ତ ଶେଷ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ସମୟରେ ସିବିଆଇ ତଦନ୍ତ ସାରିବାକୁ ଅଧିକ ୪ ସପ୍ତାହ ସମୟ ଲୋଡ଼ିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଉନ୍ନାଓ ବଳାତ୍କାର ପୀଡ଼ିତା ଏବଂ ତାଙ୍କ ଓକିଲଙ୍କ ବୟାନ ରେକର୍ଡ କରିବାକୁ ସିବିଆଇ ଅଧିକାରୀମାନେ ଅସମର୍ଥ ଥିବାରୁ ସିବିଆଇ ପକ୍ଷରୁ ଅଧିକ ସମୟ ମଗାଯାଇଥିଲା। କିନ୍ତୁ କୋର୍ଟ ୨ ସପ୍ତାହ ସମୟ ଦେଇଛନ୍ତି।
ସୂଚନାଯୋଗ୍ୟ, ବିଜେପି ବିଧାୟକ କୁଲଦୀପ ସେନେଗାର ଜଣେ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସିବିଆଇ ସେନେଗାରଙ୍କୁ ଗିରଫ କରିଥିବାବେଳେ ମାମଲା ବିଚାରାଧୀନ ଥିଲା। ମାତ୍ର ଗତ ଏପ୍ରିଲ ୨୮ରେ ପୀଡ଼ିତା ତାଙ୍କ ଓକିଲ ଏବଂ ପରିବାର ସଦସ୍ୟଙ୍କ ସହିତ କାରରେ ରାଏବରେଲୀ ଯାଉଥିବାବେଳେ ବାଟରେ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ ପୀଡ଼ିତାଙ୍କ ୨ ସମ୍ପର୍କୀୟ ପ୍ରାଣ ହରାଇଥିଲେ। ପୀଡ଼ିତା ଏବଂ ତାଙ୍କ ଓକିଲ ଗୁରୁତର ଅବସ୍ଥାରେ ଏବେ ଚିକିତ୍ସାଧୀନ ଅଛନ୍ତି। ପୀଡ଼ିତାଙ୍କୁ ହତ୍ୟା କରିବା ଲାଗି ଅଭିଯୁକ୍ତ ବିଧାୟକ ଏଭଳି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହେବା ପରେ ସିବିଆଇ ମାମଲାର ତଦନ୍ତ କରୁଛି।



