ତିରୁଅନନ୍ତପୁରମ୍: ପ୍ରବଳ ଖ୍ରୀଷ୍ମପ୍ରବାହ ଜନିତ ଅଂଶୁଘାତରେ କେରଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରବି ଓ ସୋମବାର ଦୁଇଦିନ ମଧ୍ୟରେ ତିନି ଜଣଙ୍କର ମୃତ୍ୟୁ ହେବା ପରେ କେରଳରେ ହାଇଆଲର୍ଟ ଜାରି କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ ଅଂଶୁଘାତ ଯୋଗୁଁ ରବିବାର ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୋମବାର ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ କେରଳର ପାରାସାଲା ଓ ପ୍ୟାନାରୁରେ ଏହି ମୃତ୍ୟୁ ହୋଇଛି। ପୁଲିସ ଏ ନେଇ ସିଆରପିସି ଧାରା ୧୭୪ରେ ମାମଲା ରୁଜୁ କରିଛି। ପ୍ରାଥମିକ ଭାବେ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ କୁହାଯାଇଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ବାସ୍ତବ କାରଣ ଜଣାପଡିବ ବୋଲି କୁହାଯାଇଛି। ପାଣିପାଗ ବିଭାଗ କର୍ମଚାରୀଙ୍କ କହିବା ଅନୁଯାୟୀ ଆଗାମୀ ଦୁଇଦିନ ମଧ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ରାଜ୍ୟରେ ଚଳିତବର୍ଷର ଗ୍ରୀଷ୍ମପ୍ରବାହ ରେକର୍ଡ ସୃଷ୍ଟି କରିଛି। ଏହି ଗ୍ରୀଷ୍ମ ପ୍ରବାହ ଏକମାସରୁ ଅଧିକ ସମୟ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ହାଇ ଆଲର୍ଟ ଜାରି କରିଛି। ଶ୍ରମିକମାନଙ୍କୁ ପୂବାହ୍ଣ ୧୧ରୁ ୩ଟା ମଧ୍ୟରେ କାମ କରିବାକୁ ବାରଣ କରାଯାଇଛି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ରାଜ୍ୟବାସୀଙ୍କ ପାଇଁ ସ୍ବାସ୍ଥ୍ୟ ସଚେତନତା ଜାରି କରିଛନ୍ତି। ଗତବର୍ଷ ଅଗଷ୍ଟରେ କେରଳରେ ପ୍ରଳୟଙ୍କରୀ ବନ୍ୟା ଆସି ବ୍ୟାପକ ତାଣ୍ଡବ ରଚିଥିବାବେଳେ ଏବେ ରାଜ୍ୟରେ ମରୁଡି ଦେଖାଯାଇଛି।
Popular Categories



