ଗୋ ଚାଲାଣ ଓ ଯୁବକ ଅଟକ ଘଟଣା, ଖତଖୁଲବାହାଲ ବଜାର ପାଲଟିଲା ରଣକ୍ଷେତ୍ର

ସୁନ୍ଦରଗଡ଼(ଅଫିସ)/କୁତ୍ରା : ଗତକାଲି ରାଏବଗା ଥାନା ଅନ୍ତର୍ଗତ ଦଲକି ନିକଟରେ ଗୋରୁ ଚାଲାଣକୁ ନେଇ ହୋଇଥିବା ଉତ୍ତେଜନା ଆଜି ଖତଖୁଲବାହାଲରେ ପହଞ୍ଚିଛି । ଏ ଅଞ୍ଚଳର ଦୁଇ ଯୁବକଙ୍କୁ ଖତଖୁଲବାହାଲରେ ଅଟକ ରଖାଯିବା ଘଟଣା ପ୍ରଘଟ ହୋଇଯିବା ପରେ ରାଏବଗା ଅଞ୍ଚଳରୁ ଶତାଧିକ ଯୁବକ ଖତଖୁଲବାହାଲରେ ପହଞ୍ଚି ଅଟକ ଥିବା ଯୁବକଙ୍କ ସଂପର୍କରେ ଖୋଜଖବର ନେଉଥିବା ବେଳେ ବିରୋଧି ଗୋଷ୍ଠୀଙ୍କ ସହ ମୁହାଁମୁହି ହୋଇଯାଇଥିଲା ଫଳରେ ସମଗ୍ର ବଜାର ଅଞ୍ଚଳ ଏକ ପ୍ରକାର ରଣକ୍ଷେତ୍ର ପାଲଟିଯାଇଥିଲା । ଖବର ପାଇ ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ, ଅତିରିକ୍ତ ଏସ.ପି ରବିନାରାୟଣ ବାରିକ, ଏସ.ଡି.ପି.ଓ ଶଶାଙ୍କ ଶେଖର ବେହୁରିଆ, କୁତ୍ରା ଥାନା ଅଧିକାରୀ ସୁଶାନ୍ତ ପରିଡ଼ା, ରାଜଗାଙ୍ଗପୁର ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପ୍ରଥମ ପର୍ଯ୍ୟାୟରେ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଅଟକ ଥିବା ଦୁଇ ଯୁବକଙ୍କୁ ଅଟକକାରୀଙ୍କ କବଳରୁ ମୁକ୍ତ କରିବା ସହ ସେମାନଙ୍କ ଡାକ୍ତରି ଯାଞ୍ଚ କରାଇ ଗାଁ ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ପରେ ଉଭୟ ପକ୍ଷର ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ନେଇ ଏସ.ପି ନାଥଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ହୋଇ ରାସ୍ତାରେ ଗାଈଙ୍କୁ ଚଳାଇଚଳାଇ ନେବା ଓ ଗୋରୁ ଚାଲାଣକୁ ନେଇ ହେଉଥିବା ଉତ୍ତେଜନା ସଂପର୍କରେ ବିଶଦ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଏସ.ପି ନାଥ ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇ କହିଲେ କୌଣସି ବ୍ୟକ୍ତିବିଶେଷ ବା ଗୋଷ୍ଠୀ ଆଇନ ହାତକୁ ନେଇ ପାରିବେ ନାହିଁ । ଯଦି ଏଭଳି ପରିସ୍ଥିତି ସୃଷ୍ଟି ହୁଏ ତେବେ ଆଇନ ତା ବାଟରେ ଯିବ ସେଥିରୁ କାହାକୁ ନିସ୍ତାର ମିଳିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ । ଶାନ୍ତି କମିଟି ବୈଠକ ପରେ ଲାଗି ରହିଥିବା ଚାପା ଉତ୍ତେଜନା ପ୍ରଶମିତ ହୋଇଥିଲେ ହିଁ ପୁଲିସ ସମଗ୍ର ଘଟଣା ଉପରେ ସତର୍କ ଦୃଷ୍ଟି ରଖିଥିବାର ଜଣାପଡ଼ିଛି। ଗତକାଲିଠାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ କୁତ୍ରା ଓ ରାଏବଗା ଥାନାରେ ଭିନ୍ନ ଭିନ୍ନ ୫ଟି ମାମଲା ରୁଜୁ ହୋଇଥିବା ବେଳେ ୧୫୮ ଗୋରୁଙ୍କୁ ଜବତ କରାଯାଇ ପୁଲିସ ତୃତୀୟ ପକ୍ଷକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

prayash

ସୂଚନା ଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଖତଖୁଲବାହାଲର କିଛି ଗୋରୁ ବ୍ୟବସାୟୀ ପ୍ରାୟ ୧୬୦ଗୋରୁଙ୍କୁ ଖତଖୁଲବାହାଲରୁ ନୂଆଗାଁ ବଜାରକୁ ନେଉଥିବା ବେଳେ ରାଏବଗା ଥାନା ଅନ୍ତର୍ଗତ ଦଲକି ପାଖରେ ବଜରଙ୍ଗ ଦଳର ସମର୍ଥକ କୁହାଯାଉଥିବା କେତେକ ଯୁବକ ଏହି ଗୋରୁ ବ୍ୟବସାୟୀଙ୍କୁ ଅଟକାଇବା ସହ କୁଆଡ଼େ ନେଇ ଯାଉଛ ବୋଲି ପ୍ରଶ୍ନ କରିଥିଲେ ଫଳରେ ସେଠାରେ ଗୋରୁ ବ୍ୟବସାୟୀ ଓ ଏହି ଯୁବକଙ୍କ ମଧ୍ୟରେ ବଚସା ହେଉଥିବା ବେଳେ ଘଟଣାସ୍ଥଳରେ ରାଏବଗା ପୁଲିସ ପହଞ୍ଚି ଉଭୟ ଦଳଙ୍କୁ ଥାନାକୁ ନେଇଯିବା ସହ ପଚରାଉଚୁରା କରିଥିଲେ ମାତ୍ର ଏଠାରେ ଗୋରୁ ବ୍ୟବସାୟୀମାନେ ଗୋରୁ ସଂପର୍କିତ କାଗଜପତ୍ର ଦେଖାଇବାରୁ ପଶୁ କୃରତା ଆଇନ ହିସାବରେ ମାମଲା ରୁଜୁ କରିବା ପାଇଁ ଯୁବକମାନେ ଅଡ଼ି ବସିଥିଲେ ।

ଫଳରେ ପୁଲିସ ରାଏବଗା ମାମଲା ନଂ-୧୦୬/୨୦ରେ ରୁଜୁୁ କରି ୧୫୮ ଗୋରୁଙ୍କୁ ଜବତ କରି ତୃତୀୟ ପକ୍ଷକୁ ହସ୍ତାନ୍ତର କରିବାରୁ ମାମଲା ସେହିଠାରେ ହିଁ ଶାନ୍ତ ପଡ଼ିଥିଲା ହେଲେ ଆଜି ରାଏବଗା ଅଞ୍ଚଳର ଦୁଇ ଯୁବକ ଖତଖୁଲବାହାଲ ବଜାରକୁ ଆସିଥିବା ବେଳେ ଗୋରୁ ବ୍ୟବସାୟୀଙ୍କ କିଛି ସମର୍ଥକ ତାଙ୍କୁ କୁଆଡ଼େ ମାଡ଼ପିଟ କରିବା ସହ ଅଟକ ରଖିଥିଲେ। ଅଟକ ଖବର ରାଏବଗାକୁ ପହଞ୍ଚି ଯିବାରୁ ସେଠାରୁ ପ୍ରାୟ ଶତାଧିକ ଯୁବକ ଖତଖୁଲବାହାଲ ବଜାରକୁ ପହଞ୍ଚି ଖୋଜଖବର ନେଉଥିବା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ପିଟ ଆରମ୍ଭ ହୋଇ ରଣକ୍ଷେତ୍ର ପାଲଟି ଯାଇଥିଲା ।

ଏହି ଘଟଣାରେ ଜଣେ ଆହତ ହୋଇ ଆଇ.ଜି.ଏଚରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି। ପୁଲିସର ସମୟୋଚିତ ପଦକ୍ଷେପ ଯୋଗୁଁ ଘଟଣା ନିୟନ୍ତ୍ରଣାଧିନ ରହିଥିବା ବେଳେ ବେଆଇନ ଗୋରୁ ଚାଲାଣକୁ ନେଇ ସମଗ୍ର ଜିଲାରେ ଭିିନ୍ନ ଭିନ୍ନ ସମୟରେ ଉତ୍ତେଜନା ସୃଷ୍ଟି ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାର ନଜିରି ରହିଥିବା ବେଳେ ପୁଲିସ ପ୍ରଶାସନ ଏ ଘଟଣା ଗୁଡ଼ିକୁ ହାଲକା ଭାବରେ ନେଉଥିବାର ଅଭିଯୋଗ ହେଉଛି। ପ୍ରତିଦିନ ବିଭିନ୍ନ ଯାନ ଓ ରାସ୍ତା ଦେଇ ଶତାଧିକ ଗୋରୁ ଚାଲାଣ ହେଉଥିଲେ ହିଁ ପୁଲିସ ହାବୁଡ଼ରେ ନ ପଡ଼ି କେମିତି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ପଡ଼ୁଛନ୍ତି ସେଥିପାଇଁ ପୁଲିସ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ଦାବି ହେଉଛି।

Comments are closed.