www.samajalive.in
Monday, December 8, 2025
27.1 C
Bhubaneswar

ଦଣ୍ଡମୁକ୍ତ ଅଞ୍ଚଳରେ କଠୋର ଦଣ୍ଡ: ୭ ଛାତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ପାଟଣାଗଡ଼: ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷିତ ଏକ ବିଦ୍ୟାଳୟରେ ଜନୈକ ଶିକ୍ଷକଙ୍କ କଠୋର ଦଣ୍ଡରେ ଦଣ୍ଡିତ ହୋଇ ୭ଜଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁନାମୁଦିସ୍ଥିତ ବାପୁଜୀ ଉଚ୍ଚ ବିଦ୍ୟାଳୟରେ।

ପ୍ରକାଶ ଯେ, ସବୁଦିନ ଭଳି ଆଜି ମଧ୍ୟ ଶିକ୍ଷାଦାନ ପୂର୍ବରୁ ବିଦ୍ୟାଳୟରେ ସମବେତ ପ୍ରାର୍ଥନା ବୋଲାଯାଇଥିଲା। ନକଟାସର, ରୁଗୁଡିମୁଣ୍ଡା ଭଳି ନିକଟସ୍ଥ କିଛି ଗ୍ରାମରୁ ଆସୁଥିବା କେତେକ ଛାତ୍ରୀ କିନ୍ତୁ ସାମାନ୍ୟ ବିଳମ୍ବରେ ପହଞ୍ଚିଥିଲେ ବିଦ୍ୟାଳୟରେ। ସେଥିରେ ରାଗ ପଞ୍ଚମରେ ପହଞ୍ଚିଥିଲା ପ୍ରାର୍ଥନା ଦାୟିତ୍ୱରେ ଥିବା ଶିକ୍ଷକ ମହୋଦୟଙ୍କର। ଶିକ୍ଷକ ବିକାଶ ଧରୁଆ ବିଳମ୍ବରେ ଆସିଥିବା ଛାତ୍ରୀଙ୍କୁ ୧୦୦ ଥର ଲେଖାଏଁ କାନ ଧରି ବସ୍‍-ଉଠ୍‍ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ବାଧ୍ୟ ହୋଇ ଛାତ୍ରୀମାନେ ଶିକ୍ଷକଙ୍କ ନିର୍ଦ୍ଦେଶ ମାନୁଥିବା ବେଳେ ୨୦/୩୦ ଥର ଲେଖାଏଁ ଉଠ୍‍ ବସ୍‍ ହେବା ପରେ ପ୍ରଥମେ ଜଣେ ଛାତ୍ରୀ ଚେତାଶୂନ୍ୟ ହୋଇପଡିଥିଲେ। ପରେ ପରେ ଜଣକ ପରେ ଜଣେ କରି ୧୧ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଏହାପରେ ବିଦ୍ୟାଳୟ ପକ୍ଷରୁ ଆମ୍ବୁଲାନ୍ସ ଡକାଯାଇ ୭ ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ ପାଟଣାଗଡ଼ ଉପଖଣ୍ଡୀୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଛାତ୍ରୀମାନେ ହେଲେ ନକଟାସର ଗ୍ରାମର ଲିପ୍ସା ପୁଟେଲ(୧୩), ବର୍ଷା ମେହେର(୧୩), ବିଶେଶ୍ୱରୀ ମେହେର(୧୪), ରୁଗୁଡିମୁଣ୍ଡା ଗ୍ରାମର ପ୍ରିୟଙ୍କା ହନୁମାନ(୧୪), ଶ୍ରୀୟା ରଣା(୧୩), ଶୃତି ସାହୁ(୧୪) ଏବଂ ସୁନାମୁଦି ଗାଁର ରାକ୍ଷୀ କୁଅଁର(୧୨)। ପ୍ରାର୍ଥନା ସମୟରେ ସମୁଦାୟ ୬୦ ଜଣ ଛାତ୍ରୀ ଉପସ୍ଥିତ ଥିବା ବେଳେ ସହପାଠିନୀମାନଙ୍କର ଅବସ୍ଥା ଦେଖି ବିଦ୍ୟାଳୟ ପରିସର ମଧ୍ୟରେ ଏକ ଚିନ୍ତାଜନକ ପରିସ୍ଥିତିି ସୃଷ୍ଟି ହୋଇଥିବା କହିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶାନ୍ତି କୁମାର ସାହୁ। ଏହାବ୍ୟତୀତ ପ୍ରଧାନଶିକ୍ଷକ ପ୍ରାୟତଃ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ଅନେକ ଛୋଟ ବଡ଼ ସମସ୍ୟା ଉପୁଜୁଥିବା ନେଇ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀ ସାହୁ ଏବଂ ଅନେକ ଅଭିଭାବକ। ଆଜି ପ୍ରଧାନଶିକ୍ଷକଙ୍କୁ ଯୋଗାଯୋଗ କରାଯିବାରୁ ଏକ ବୈଠକ ଡକାଯାଇଥିବାରୁ ସେ ବଲାଙ୍ଗିରରେ ରହିଯାଇଥିବା କହିଛନ୍ତି।

- Advertisement -

ଅପରପକ୍ଷେ ଛାତ୍ରୀମାନଙ୍କୁ ଡାକ୍ତରଖାନା ଅଣାଯିବା ବେଳକୁ ପ୍ରାୟ ସମସ୍ତଙ୍କର ଅମ୍ଲଜାନ ସ୍ତର ଢେର କମ୍ ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ଜଣେ ଛାତ୍ରୀଙ୍କୁ ତୁରନ୍ତ ଅମ୍ଲଜାନ ସିଲିଣ୍ଡରର ସହାୟତା ଦିଆଯିବା ସହ ଅନ୍ୟମାନଙ୍କୁ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ତେବେ ଚିକିତ୍ସାଧିନ ସମସ୍ତ ଛାତ୍ରୀଙ୍କ ଅବସ୍ଥା ବର୍ତ୍ତମାନ ବିପଦମୁକ୍ତ ଥିବା କହିଛନ୍ତି ଡାକ୍ତରଖାନା ଅଧିକ୍ଷକ ଡାକ୍ତର ପୀତବାସ ସା।

ଖବର ଲେଖା ହେବା ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଶଙ୍କର ପ୍ରସାଦ ମାଝିଙ୍କୁ ଦିଆଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର ପାଟଣାଗଡ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାଯାଇଛି। ତେବେ ଏଭଳି ଘଟଣା ଏ ଅଞ୍ଚଳରେ ପ୍ରଥମ ହୋଇଥିବାରୁ ବୁଦ୍ଧୀଜୀବୀ ଏବଂ ସଚେତନ ନାଗରିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦୃଢ ଦାବୀ ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories