ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଦୀର୍ଘ ବର୍ଷ ପରେ ସେମିଫାଇନାଲ୍ରେ ପ୍ରବେଶ କରିଥିବାରୁ କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉଭୟ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ନିଜର ଦକ୍ଷତା ଓ ପରାକାଷ୍ଠା ପ୍ରଦର୍ଶନ କରି ସେମି ଫାଇନାଲ୍ରେ ପ୍ରବେଶ କରିଥିବାରୁ ଦୀର୍ଘବର୍ଷ ପରେ ପୁଣି ଅଲିମ୍ପିକସ୍ ପଦକ ହାସଲ ଆଶା ଉଜ୍ଜୀବିତ ହୋଇଛି । ଗତକାଲି ଭାରତୀୟ ପୁରୁଷ ଦଳ ଗ୍ରେଟ୍ ବି୍ରଟେନ୍କୁ ୩-୧ରେ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଥିବାବେଳେ ଆଜି ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ସେମିରେ ପ୍ରବେଶ କରିବା ଉଭୟ ଭାରତ ଏବଂ ଓଡ଼ିଶା ପାଇଁ ଗର୍ବର ବିଷୟ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ହକି ପ୍ରତି ଭଲପାଇବା ଯୋଗୁଁ ୨୦୧୮ ପରଠାରୁ ରାଜ୍ୟ ସରକାର ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହି ଆସିଛନ୍ତି । କେବଳ ସେତିକି ନୁହେଁ ଆମ ଓଡ଼ିଆ ପୁରୁଷ ଓ ମହିଳା ଖେଳାଳୀ ଭାରତୀୟ ଦଳରେ ସାମିଲ ହୋଇ ଓଡ଼ିଆ ଜାତିକୁ ସମଗ୍ର ବିଶ୍ୱରେ ଗର୍ବିତ କରିଛନ୍ତି । ଦୀର୍ଘ ଦଶନ୍ଧି ଧରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ପ୍ରତିବଦ୍ଧତା, ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଏବଂ ହକି ଭିତ୍ତିଭୂମି ସୁଦୃଢ଼ୀକରଣ ଆଦି ଏହି ସଫଳତା ଆଣିବାରେ ସହାୟକ ହୋଇପାରିଛି। ଓଡ଼ିଶା ୨୦୧୮ରେ ହକି ଦଳ ବିଶ୍ୱକପ ଆୟୋଜନ କରିଥିବାବେଳେ ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି । ତୃଣମୂଳସ୍ତରରୁ ଖେଳାଳୀ ଚୟନ ସହ ଅନ୍ତର୍ଜାତୀୟ ସ୍ତରର କୋଚ୍ମାନଙ୍କୁ ନେଇ ଯେଉଁ ତାଲିମ କାର୍ଯ୍ୟକ୍ରମ ଚାଲୁରହିଛି ସେସବୁର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି । ଭାରତୀୟ ହକି ଦଳ ପ୍ରତି ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ଭଲପାଇବା ଦଳ ପାଇଁ ପଦକ ଆଣିବାରେ ସହାୟକ ହେଉ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ପ୍ରକାଶ କରିଛନ୍ତି।



