www.samajalive.in
Tuesday, December 9, 2025
17.1 C
Bhubaneswar

କେବଳ ଈଶ୍ବର ହିଁ ଧର୍ମନିରପେକ୍ଷ

ଲିଓ ଟଲଷ୍ଟୟଙ୍କର (୧୮୨୮-୧୯୧୦) ‘କଫି ହାଉସ ଅଫ୍‌ ସୁରତ’ (୧୮୮୭) ଗଳ୍ପରେ ଅଠରଜଣ ଚରିତ୍ର। ସେମାନଙ୍କ ମଧ୍ୟରେ ଅଛନ୍ତି ପୃଥିବୀର ମୁଖ୍ୟ ଧର୍ମଧାରା, ଉପଧାରାମାନଙ୍କର ପ୍ରବକ୍ତା ଏବଂ ଅଜ୍ଞାନୀଠାରୁ ବିଜ୍ଞାନୀ ପର୍ଯ୍ୟନ୍ତ କିଛି ସାଧାରଣ ମଣିଷ। ଅନ୍ଧମାନଙ୍କର ହସ୍ତୀ ଦର୍ଶନ ନ୍ୟାୟରେ ସେମାନେ ନିଜନିଜର କଳ୍ପନା ପ୍ରସୂତ ବ୍ୟକ୍ତିଗତ ଈଶ୍ବରମାନଙ୍କର ଚିତ୍ର ଓ ଚରିତ୍ର ଉପସ୍ଥାପନ କରିବା ସହ ଅନ୍ୟମାନଙ୍କର ଈଶ୍ବରମାନଙ୍କୁ ପ୍ରାୟତଃ ଅସ୍ବୀକାର କରନ୍ତି ଏବଂ ସେମାନଙ୍କର ଧାରଣାକୁ ନ୍ୟୂନ କରିବାକୁ ଦ୍ବିଧାବୋଧ କରନ୍ତି ନାହିଁ। ଏହା ସହଜରେ ବୁଝିହୁଏ ଯେ ସେମାନଙ୍କର ଈଶ୍ବରମାନେ ବ୍ୟକ୍ତିଗତ ଅହଂକାର ଓ ଅଜ୍ଞାନତାର ମୂର୍ତ୍ତିମାନ ସଂସ୍କରଣ ମାତ୍ର। ଜ୍ଞାନ, ବିଜ୍ଞାନ, ସାହିତ୍ୟ, ଦର୍ଶନର ପ୍ରଭୂତ ବିକାଶ ଓ ପ୍ରକାଶ ସତ୍ତ୍ବେ ଆଜି ଦୁନିଆରେ, ଟଲଷ୍ଟୟଙ୍କ ଗଳ୍ପର ପରିବେଶ ଓ ପରିଣତି ଯେ ପରିବର୍ଦ୍ଧିତ କ୍ଷେତ୍ରରେ ସାରା ବିଶ୍ବରେ ଅନୁଭୂତ ହେଉଛି, ଏହା ହିଁ ଅତ୍ୟନ୍ତ କ୍ଷୋଭର ବିଷୟ। ତାହା ନ ହୋଇଥିଲେ ଆମ ପୃଥିବୀ, ବିରାଗ, ବିଦ୍ବେଷ, ଅସୂୟା, ଅହଂକାର, ଈର୍ଷା ଓ ହିଂସାର ପ୍ରକୋପ​ରେ ବ୍ୟାଧିଗ୍ରସ୍ତ ହୋଇନଥାନ୍ତା ଏବଂ ଜୀବନର ମାନ ଅନେକ ଉନ୍ନତ ହୋଇଥାନ୍ତା। ଈଶ୍ବର ମଣିଷକୁ ସୃଷ୍ଟି କରିଛନ୍ତି କି ନାହିଁ ସେ ସମ୍ବନ୍ଧରେ ଧର୍ମଠାରୁ ଭୌତିକ ବିଜ୍ଞାନ ପର୍ଯ୍ୟନ୍ତ ସବୁଥିରେ ଭିନ୍ନଭିନ୍ନ ତଥ୍ୟର ଅବତାରଣା କରାଯାଇଛି। ଏହି ବାଦ ବିସମ୍ବାଦର ପରିସମାପ୍ତି ବା ସନ୍ତୋଷଜନକ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ; କିନ୍ତୁ ମାର୍ମିକ ଦୃଷ୍ଟିରୁ ଏହା ସନ୍ଦେହଶୂନ୍ୟ ଏବଂ ସତ୍ୟବଚନ ଯେ ମଣିଷ ହିଁ ପ୍ରକୃତରେ ‘ଈଶ୍ବର’ ସୃ​‌ଷ୍ଟି କରିଛି। ଅର୍ଥାତ୍‌ ‘ଈଶ୍ବର’ ଭାବନା/ ଶବ୍ଦ ସହିତ, ଏହାର ବିଶାଳ ପରିଧି ପରିସରରେ ଯେତେସବୁ ତାତ୍ତ୍ବିକ, ଧାର୍ମିକ, ଦାର୍ଶନିକ ଧାରଣାସବୁକୁ ସ୍ଥାନିତ କରାଯାଇଛି ସେ ସମସ୍ତ ମନୁଷ୍ୟକୃତ ଏବଂ ସ୍ବୀୟ ପ୍ରଜାତିର ଉପକାର ଉଦ୍ଦେଶ୍ୟରେ ପ୍ରଣୀତ। ଆଦ୍ୟ କାଳରେ, ସୃଷ୍ଟିରେ ମଣିଷର ଆବିର୍ଭାବ ସମୟରେ, ସେ ଈଶ୍ବରଙ୍କ ସମ୍ବନ୍ଧରେ ସଚେତନ ଥିବା ଚିନ୍ତାକରିବା ଏକ ଅବୈଜ୍ଞାନିକ ଅବଧାରଣା ବ୍ୟତୀତ ଅନ୍ୟ କିଛି ହୋଇନପାରେ। ଜୀବନଧାରଣ ଲାଗି ଖାଦ୍ୟ ସଂଗ୍ରହ, ଆତ୍ମରକ୍ଷା ଲାଗି ଉପାଦାନ ଏକଜୁଟ୍‌ କରିବା ଏବଂ ବଂଶବିସ୍ତାର କରିବା ଆଦି ମାନବର ଜୀବନଶୈଳୀ ନିର୍ଦ୍ଧାରଣ କରିଥିବା ସମ୍ଭବ। ସମୟକ୍ରମେ ମଣିଷର ଦେହ ଓ ମନରେ ପରିବର୍ତ୍ତନ ଓ ବିକାଶ ସଂଘଟିତ ହେଲା। ତା’ ଭିତରେ ବୁଦ୍ଧି, ବିବେକ, ଚେତନା, ଚିନ୍ତାଶକ୍ତି, ଭାବପ୍ରବଣତା ଇତ୍ୟାଦି କ୍ଷମତାର ସୃଷ୍ଟି ହେଲା। ସେ ବୁଝିପାରିଲା ଯେ, ଜୀବନକ୍ଷେତ୍ରରେ ଏହି ଗୁଣମାନଙ୍କର ସଫଳ ପ୍ରୟୋଗ ମାଧ୍ୟମରେ ଜୀବନ ବଞ୍ଚିବାର ଧାରା ଉନ୍ନତିର ଉଚ୍ଚତର ସୋପାନକୁ ଉତ୍ତରିତ ହୋଇପାରେ। ସୃଷ୍ଟିରେ ନିରନ୍ତର ଘଟୁଥିବା ପରିବର୍ତ୍ତନ/ ବିବର୍ତ୍ତନ ପ୍ରକ୍ରିୟା କ୍ରମରେ ଧୀରେଧୀରେ ମଣିଷ ଏସବୁ ବୁଝି ପାରିଥିବା ସହଜରେ ଅନୁମେୟ। ଗୋଷ୍ଠୀ ଗଠନ, ସମାଜ ପ୍ରତିଷ୍ଠା, ସାମୂହିକ ଜୀବନଯାପନ ପ୍ରଣାଳୀର ପ୍ରବର୍ତ୍ତନ ଇତ୍ୟାଦି ଆହୁରି ଅନେକ କାଳ ଅତିକ୍ରାନ୍ତ ହେବାପରେ ଆରମ୍ଭ ହୋଇଥିବା ନିଶ୍ଚିତ।

ଆନୁଷ୍ଠାନିକ ଧର୍ମଧାରା- ଉପଧାରାମାନଙ୍କର ସୃଷ୍ଟି ଅନ୍ତରାଳରେ ଏକ ନିଶ୍ଚିତ ଉଦ୍ଦେଶ୍ୟ ଥିଲା। ଭୌଗୋଳିକ ଦୃଷ୍ଟିରୁ ଦୂର ଦୂରାନ୍ତରେ ରହୁଥିବା ଅଣସଂଗଠିତ ସଂପ୍ରଦାୟର ସଦସ୍ୟମାନଙ୍କୁ ସାମୂହିକ ସୁରକ୍ଷା ଓ ସମୃଦ୍ଧି ନିମିତ୍ତ ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଜରିଆରେ ବାନ୍ଧିରଖିବା। ଧର୍ମଧାରଣା ଏକ ଅଲଙ୍ଘନୀୟ ଆମୋଘ ପ୍ରଥା ଭାବରେ ଉପସ୍ଥାପିତ କରାଯାଇଥିଲା। ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଚିନ୍ତନରେ ଐକ୍ୟ ସ୍ଥାପନ ସମର୍ଥନ ଗ୍ରହଣ ଇତ୍ୟାଦି ଏକ ନିର୍ଦ୍ଦିଷ୍ଟ ଧର୍ମଧାରଣାରେ ଅନୁବନ୍ଧିତ ଲୋକମାନଙ୍କଠାରୁ ସହଜରେ ମିଳିପାରିବାର ଆଶ୍ବାସନା ବିବାଦ ରହିତ ଥିବା ସୁନିଶ୍ଚିତ ଏବଂ ଏହି ନିୟମର ଅବମାନନା ଅଥବା ସଂାପ୍ରଦାୟିକ ବିରୁଦ୍ଧତା, ସ୍ବାଧୀନ ମତପୋଷଣର ଅଧିକାର ସାବ୍ୟସ୍ତ କରି ବସିଲେ କଠିନ ଦଣ୍ଡ ପାଇବାର ବ୍ୟବସ୍ଥା ସର୍ବଶକ୍ତିମାନ ଈଶ୍ବର କରିପାରିବାର ଭୟ, ଗୋଷ୍ଠୀଗତ ଏକତା ରକ୍ଷା କରିବାରେ ସହାୟକ ଓ ନିୟାମକ ହୋଇଥିବା ବିଶ୍ବାସ କରାଯାଏ। ସେଥିଲାଗି ଭିନ୍ନଭିନ୍ନ ଧର୍ମଧାରାରେ ସର୍ବଶକ୍ତିମାନ ‘ଈଶ୍ବର’ରଙ୍କର ସ୍ବରୂପ ଓ ପରିପ୍ରକାଶର ପରିକଳ୍ପନା, ବଜ୍ର, ବିଦ୍ୟୁତ୍‌, ଭୂକମ୍ପ, ଝଡ଼ବର୍ଷା, ଭୂସ୍ଖଳନ, ଅକାଳ, ମଡ଼କ, ମହାମାରୀ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ପ୍ରଚଣ୍ଡ ଶକ୍ତି ସମ୍ପନ୍ନ, ବିଧ୍ବଂସକାରୀ, ପ୍ରାକୃତିକ, ଅନିୟନ୍ତ୍ରିତ ଶକ୍ତି ଉତ୍ସ-ଭାବରେ କରାଯାଇଛି। ଈଶ୍ବରଙ୍କର ପ୍ରଦତ୍ତ ପୁରସ୍କାର ଓ ଦଣ୍ଡପ୍ରଦାନ ଉଭୟ କାର୍ଯ୍ୟ ଏକ ଓ ଅଭିନ୍ନ ବୋଲି ଗ୍ରହଣ କରାଯାଉଥିଲା। ‘ଈଶ୍ବର’ଙ୍କର ପରିକଳ୍ପନା ଜଣେ କଠୋର ପନ୍ଥୀ, କ୍ଷମାହୀନ, ଦଣ୍ଡବିଧାନକାରୀ ମହାଶକ୍ତି ଭାବରେ କରାଯିବା ଫଳରେ ଭୟ ମାଧ୍ୟମରେ, ଯାଯାବର ଭାବରେ ବିକ୍ଷିପ୍ତ ଜୀବନଯାପନ କରୁଥିବା ସଂପ୍ରଦାୟ ସବୁକୁ ଏକତ୍ରିତ କରିବାର ସଫଳ ଉଦ୍ୟମ କରାଯାଇଥିବା ଅନୁମେୟ। ଏହା ଫଳରେ ଏକତ୍ରୀକରଣ ପ୍ରକ୍ରିୟା ସହ, ଅପରାଧ ପ୍ରବଣତା, ବି‌େ‌ଦ୍ବଷ, ପରଶ୍ରୀକାତରତା ଅବିଗୁଣମାନଙ୍କର ପ୍ରାଦୁର୍ଭାବ ହ୍ରାସ ହୋଇଥିବା ନିଶ୍ଚିତ। ଏଥିସହ ଶ୍ରଦ୍ଧା, ସଦିଚ୍ଛା, ଭ୍ରାତୃତ୍ବଭାବ, ପରୋପକାର ଇତ୍ୟାଦି ସଦ୍‌ଗୁଣମାନ- ଯାହାକି ସେମାନଙ୍କର ଭାଗ୍ୟନିୟନ୍ତା କଠୋରପନ୍ଥୀ ‘ଈଶ୍ବର’ଙ୍କୁ ସନ୍ତୁଷ୍ଟ କରିପାରିବାର ଉପାୟ ବୋଲି କୁହାଯାଇଥିଲା। ଆଦିମ ମଣିଷକୁ ଅଜ୍ଞାନ ଅନ୍ଧକାର ମଧ୍ୟରୁ କ୍ରମଶଃ ଆଲୋକିତ ପଥକୁ ଆଣିବାରେ ସହାୟକ ହୋଇପାରିଲା।

- Advertisement -

ପରବର୍ତ୍ତୀ କାଳରେ, ଚିନ୍ତା ଓ ଚେତନାର ପ୍ରଭୂତ ବିକାଶ ଓ ଅଭ୍ୟୁଦୟ ଅବସରରେ ମଣିଷ ଅସଲ ଈଶ୍ବରଙ୍କର ଉଦାରତା, ମହାନତା, ବିଶାଳତା, କ୍ଷମା କରିବାର ଅସୀମ ସାମର୍ଥ୍ୟ ପ୍ରତି ସଚେତନ ହେବାକୁ ଲାଗିଥିବା ଏକ ବିଶ୍ବାସଯୋଗ୍ୟ ସତ୍ୟ। ଲକ୍ଷ୍ୟ କରିବାର କଥା ଯେ ପ୍ରତ୍ୟେକ ଧର୍ମଧାରା- ଉପଧାରାରେ, ଈଶ୍ବରଙ୍କ ସ୍ବରୂପ ସମ୍ବନ୍ଧରେ, ପ୍ରାଥମିକ ପର୍ଯ୍ୟାୟରେ ସୃଷ୍ଟି ହୋଇଥିବା, ପ୍ରଚଣ୍ଡ ଭୟ ଉଦ୍ରେକକାରୀ ଚିତ୍ର ଓ ଚରିତ୍ର, ପରବର୍ତ୍ତୀ ଅବସ୍ଥାରେ ସଂପୂର୍ଣ୍ଣରୂପେ ପରିବର୍ତ୍ତିତ ହୋଇଯାଇଛି। ସର୍ବଶକ୍ତିମାନ ଈଶ୍ବର, କରୁଣାମୟ, ମହାନୁଭବ ଏବଂ ମଣିଷର ଉଦ୍ଧାରକର୍ତ୍ତା ଭାବରେ ପ୍ରାୟ ସବୁ ଧର୍ମଧାରା ଉପଧାରାର ପ୍ରାଣକେନ୍ଦ୍ର ରୂପେ ପ୍ରତିଷ୍ଠିତ ହୋଇଛନ୍ତି। ଭାରତର ସନାତନ ଧର୍ମ ମଣିଷ ସଭ୍ୟତାର ସର୍ବପୁରାତନ ଧର୍ମର ମାନ୍ୟତା ବହନ କରେ; କିନ୍ତୁ ଏହା ବୃହତ୍ତର ଅର୍ଥରେ ଏକ ଆନୁଷ୍ଠାନିକ ଧର୍ମଧାରା ଅପେକ୍ଷା ଏକ ମୁକ୍ତ, ଅଭିନବ, ଉନ୍ନତ ଜୀବନ ବଞ୍ଚିବାର ସର୍ବ ଶ୍ରେଷ୍ଠ ମାର୍ଗଦର୍ଶିକା ରୂପେ ଅଧିକ ଗ୍ରହଣଯୋଗ୍ୟ। ଏଠାରେ ପ୍ରତ୍ୟେକ ବ୍ୟକ୍ତିକୁ ନିଜର ଆସ୍ଥା, ବିଶ୍ବାସ, ଉପାସନା ପଦ୍ଧତି, ପ୍ରାର୍ଥନାର ଭାବ ଓ ଭାଷା ନିଜେ ସ୍ଥିର କରିବାର ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ଜଣେ ଶୂନ୍ୟକୁ ଈଶ୍ବର ମାନିପାରେ, ଅନ୍ୟ ଜଣେ ଦେବସ୍ଥାନରେ ମୂର୍ତ୍ତିପୂଜା କରିପାରେ, ପଥରକୁ, ପ୍ରକୃତିକୁ, ମଣିଷକୁ, କାହାରିକୁ ମଧ୍ୟ ଈଶ୍ବର ବୋଲି ସ୍ବୀକାର କରି ନିଜ ମୁକ୍ତି ଅବା ଦିବ୍ୟଜ୍ଞାନ ଲାଭର ପଥ ଅନୁସନ୍ଧାନ କରିପାରେ। ଜଣେ ନିଜକୁ ନାସ୍ତିକ ବୋଲି ଘୋଷଣା କରି ଈଶ୍ବରଙ୍କର ଅସ୍ତିତ୍ବକୁ ଅସ୍ବୀକାର କରି ଜୀବନ ବଞ୍ଚିପାରେ। ସନାତନ ଧର୍ମର ଅସ୍ବୀକାର ମଧ୍ୟ ଏକ ପ୍ରକାରର ସ୍ବୀକାରୋକ୍ତି ଏବଂ ନିରୀଶ୍ବରବାଦ ମଧ୍ୟ ଏକ ପ୍ରକାରର ଈଶ୍ବର ଉପାସନା। ଏପରି ଉଦାରତା ଅନ୍ୟ କୌଣସି ଧର୍ମଧାରାରେ ଉପଲବ୍ଧ ହେଉଥିବା ମନକୁ ଆସୁନାହିଁ। ସନାତନ ଧର୍ମକୁ ବାଦ ଦେଲେ, ବିଶ୍ବର ପ୍ରାୟ ଅନ୍ୟସବୁ ଧର୍ମଧାରା- ଉପଧାରା ରହିଛି, ସେ ସବୁ ଏକେଶ୍ବରବାଦୀ, ହେବାସହ ବହୁଧା ବ୍ୟକ୍ତି କୈନ୍ଦ୍ରିକ ଏବଂ ଏକତାନ୍ତ୍ରିକ ବ୍ୟବସ୍ଥା। ଅବଶ୍ୟ ଏହାଦ୍ବାରା ସେହି ଧର୍ମଧାରାରେ ବିଶ୍ବାସୀ ଅନୁଗାମୀମାନଙ୍କ ମଧ୍ୟରେ ଅଧିକ ସଂହତି, ଏକାତ୍ମୀୟତାର ଭାବନା ଏବଂ ପ୍ରତିବଦ୍ଧତା ସୃଷ୍ଟି ହେବାସହ ସହଜ ଓ ଶୃଙ୍ଖଳିତ ଜୀବନ ଧାରଣର ପଥ ସୁଗମ କରିପାରେ।

ଏବେ ଟଲଷ୍ଟୟଙ୍କ କାହାଣୀକୁ ଫେରିଗଲେ ସହଜରେ ବୁଝିହେବ ଯେ ତାଙ୍କ ଗଳ୍ପର ଅଠରଜଣ ଚରିତ୍ରଙ୍କ ଦ୍ବାରା ନିର୍ମିତ ଅଠରଜଣ ‘ଈଶ୍ବର’ ପ୍ରକୃତରେ ବିଭାଜିତ ବା ବିଭିନ୍ନ ଈଶ୍ବର ହୋଇ ନ’ପାରନ୍ତି। କାରଣ ଈଶ୍ବର ଭଗ୍ନାଂଶ ଶୂନ୍ୟ ପୂର୍ଣ୍ଣସଂଖ୍ୟା ଏବଂ ସେ କୌଣସ ନିର୍ଦିଷ୍ଟ ସଂପ୍ରଦାୟ, ଧର୍ମଧାରା-ଉପଧାରାର ନିଜସ୍ବ ସମ୍ପତ୍ତି ବା ପୃଷ୍ଠପୋଷକ ନୁହନ୍ତି। ସେ ସର୍ବତ୍ର ବିଦ୍ୟମାନ ଏବଂ ସୂକ୍ଷ୍ମ ଦୃଷ୍ଟିରେ ପ୍ରତ୍ୟେକ ମଣିଷର ହୃଦୟରେ ବିଦ୍ୟମାନ। ଭକ୍ତିପୂତ, ସମର୍ପିତ, ନିରାଜନା ମାଧ୍ୟମରେ ତାଙ୍କୁ ଅନୁଭବ କରାଯାଇପାରେ। ତାଙ୍କ ସୃଷ୍ଟିର ସବୁ ସଂପଦ, ସବୁ ସୌନ୍ଦର୍ଯ୍ୟ, ସମୁଦାୟ ବିଶ୍ବର ସୀମାହୀନ ପରିସର ସବୁକିଛି, ସମସ୍ତଙ୍କ ଲାଗି, ସମପରିମାଣରେ ସେ ସମର୍ପି ଦେଇଛନ୍ତି, ମଣିଷର ସୁଖ, ସମୃଦ୍ଧି ଲାଗି। ତେଣୁ ମଣିଷ ବୁଝିପାରିବା ଉଚିତ ଯେ କେବଳ ଈଶ୍ବର ହିଁ ଧର୍ମ ନିରପେକ୍ଷ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories