www.samajalive.in
Monday, December 8, 2025
27.1 C
Bhubaneswar

ସୋରଡ଼ା ବିଧାୟକଙ୍କ ଅଡୁଆ ବଢ଼ିଲା: ହାତେଇଛନ୍ତି ଜଙ୍ଗଲ ଓ ସରକାରୀ ଜମି; ସହଯୋଗ କରିଛନ୍ତି ଗୋପାଳପୁର ବିଧାୟକ

ବ୍ରହ୍ମପୁର: ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅତ୍ୟନ୍ତ ଘନିଷ୍ଠ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ପାଇଁ ଏବେ ବିପଦ ବଢ଼ିବାରେ ଲାଗିଛି । ସୋରଡ଼ା ଅଞ୍ଚଳର ଶତାଧିକ ଆଦିବାସୀ ଏବଂ ଦଳିତ ଚାଷୀ ଗୁରୁବାର ପୂର୍ଣ୍ଣଚନ୍ଦ୍ରଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍ସ ଅଧିକ୍ଷକଙ୍କ ପାଖରେ ଫେରାଦ୍‌ ହୋଇଛନ୍ତି ।

- Advertisement -

ପ୍ରଦୀପଙ୍କ କ୍ଷମତାର ବ୍ୟବହାର କରି ପୂର୍ଣ୍ଣଚନ୍ଦ୍ର ବେଆଇନ୍‌ ଭାବେ ବହୁ ଏକର ଜମି ହାତେଇଛନ୍ତି । ବାଦୁଆପଲ୍ଲୀ, ଗୋଛା ଏବଂ ଲବଣୀଶର ଠାରେ ଆଦିବାସୀ ଓ ଦଳିତଙ୍କ ଜମିକୁ ବେଆଇନ ଦଖଲ କରିବା ସହ ଅନେକ ସରକାରୀ ଓ ଜଙ୍ଗଲ ଜମି ବି ଜବରଦଖଲ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏଭଳି ଗୁରୁତର ଅଭିଯୋଗ ପୂର୍ଣ୍ଣଚନ୍ଦ୍ରଙ୍କ ପାଇଁ ମହା ଅଡ଼ୁଆ ସୃଷ୍ଟି କରିଛି । ପୂର୍ବରୁ ପ୍ରଦୀପଙ୍କ ପାଖକୁ ଟଙ୍କା ପଠାଇ ପୂର୍ଣ୍ଣଚନ୍ଦ୍ର କ୍ରାଇମ୍‌ବ୍ରାଞ୍ଚର ସ୍କାନର୍‌କୁ ଆସିଯାଇଛନ୍ତି । ଏପରିକି ପ୍ରଦୀପ ଗିରଫ ପରଠୁ ପୂର୍ଣ୍ଣଚନ୍ଦ୍ର ଏକ ପ୍ରକାର ଉଭାନ୍‌ ହୋଇଯାଇଥିଲେ ହେଁ ଆଜି ବାହାରକୁ ବାହାରିଛନ୍ତି।

ପ୍ରଦୀପ ପାଣିଗ୍ରାହୀ ଓ ଦଳର ଅନ୍ୟ ନେତାଙ୍କ ସହ ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ବାଇଁ

ଆଦିବାସୀ ଏବଂ ଦଳିତ ଚାଷୀମାନେ ସେମାନଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ପୂର୍ଣ୍ଣଚନ୍ଦ୍ର ତିନି ଥର ବିଧାୟକ ହୋଇଛନ୍ତି । ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ମିଶି ଗତ କିଛିବର୍ଷ ମଧ୍ୟରେ ବିପୁଳ ବେନାମୀ ସଂପତ୍ତିର ଅଧିକାରୀ ହୋଇପାରିଛନ୍ତି । ନିଜର ରାଜନୈତିକ ପ୍ରଭାବକୁ ବ୍ୟବହାର କରି କଳା ଟଙ୍କା ଜରିଆରେ ଏହି ଦୁଇ ବିଧାୟକ ସୋରଡ଼ା ତହସିଲରେ ଶତାଧିକ ଏକର ଜମିକୁ ହାତେଇବାର ଷଡ଼ଯନ୍ତ୍ର କରିଛନ୍ତି । ସୋରଡ଼ା ତହସିଲର ପାଲକାଟୁ ପଞ୍ଚାୟତର ବାଦୁଆପଲ୍ଲୀ ଠାରେ ବିଧାୟକ ସ୍ବାଇଁ ନିଜ ପତ୍ନୀ ଓ ଅନ୍ୟ ସମର୍ଥକଙ୍କ ନାଁରେ ସାତୋଟି ବିଶାଳକାୟ ପୋଖରୀ ନିର୍ମାଣ କରିଛନ୍ତି । ସେଥିରେ ମାଛ ଚାଷ କରୁଥିବା ବେଳେ ଆହୁରି ଗୋଟିଏ ପୋଖରୀ ଖୋଳୁଛନ୍ତି ଏବଂ ସେଥିରେ ସରକାରୀ ଅର୍ଥ ବିନିଯୋଗ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୫୦ ଏକରରୁ ଅଧିକ ଜାଗାରେ ନିଜ ପତ୍ନୀଙ୍କ ନାମରେ ସିମେଣ୍ଟ ଇଟା କାରଖାନା ନିର୍ମାଣ କରିଛନ୍ତି। ଏଥିରେ ଉଭୟ ସରକାରୀ ଏବଂ ଜଙ୍ଗଲ ଜମି ମଧ୍ୟ ରହିଛି । ଯାହାକୁ ସେ ସ୍ଥାନୀୟ ଶାସନ କଳ ଉପରେ ପ୍ରଭାବ ବିସ୍ତାର କରି କବ୍‌ଜା କରିଛନ୍ତି । ପୂର୍ବରୁ ସେଠାରେ ଚାଷ କରୁଥିବା ଆଦିବାସୀ ପରିବାରଙ୍କୁ ସ୍ଥାନୀୟ ପୁଲିସ ଓ ଗୁଣ୍ଡାଙ୍କ ଜରିଆରେ ଧମକଚମକ ଦେଇ ସେଠାରୁ ହଟେଇ ଦେଇଛନ୍ତି। ନିଜର ବ୍ୟକ୍ତିଗତ ଲାଭ ପାଇଁ ବିଧାୟକ ଉନ୍ନୟନ ପାଣ୍ଠିରୁ ଅନୁଦାନ ଅର୍ଥ ଲଗାଇ ସରକାରୀ ପାଣ୍ଠିର ଦୁରୁପଯୋଗ କରିଛନ୍ତି ।

ଏକ କାର୍ଯ୍ୟକ୍ରମରେ ଯୋଗଦାନ ଅବସରରେ ସୋରଡ଼ା ବିଧାୟକ (ଫାଇଲ୍ ଫଟୋ)

ସୋରଡ଼ା ତହସିଲର ଅମୃତୁଲୁ ରାଜସ୍ୱ ସର୍କଲରେ ଥିବା ଲବଣୀଶର ମୌଜାରେ ଆସିକା ନିକଟସ୍ଥ ପଢ଼ାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ପ୍ରାୟ ୨ଶହ ଏକର ଜମି ରହିଥିଲା । ଏଥିରୁ କିଛି ଏକର ପଟ୍ଟା ଜମି ହୋଇଥିବା ବେଳେ ଅଧିକାଂଶ ସିଲିଂ ବର୍ହିଭୁତ ଜମି । ଏସବୁ ଜମି ବ୍ୟତୀତ ସେହି ମୌଜାରେ ଶତାଧିକ ଏକର ସରକାରୀ ଜମି ଏବଂ ଜଙ୍ଗଲ ଜମି ମଧ୍ୟ ରହିଛି। ଗତ ତିନି ଚାରି ପୁରୁଷ ହେଲା ଦଳିତ ଏବଂ ଆଦିବାସୀମାନେ ସେଠାରେ ଚାଷ କରୁଥିଲେ । ପଟ୍ଟା ପାଇଁ ପୂର୍ବରୁ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । କିନ୍ତୁ ଇତି ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସେ ସବୁ ଜମିକୁ କିଣିନେଇଛନ୍ତି । କିଛି ସପ୍ତାହ ପୂର୍ବେ ବିଧାୟକ ସ୍ୱାଇଁ ଲୋକ ପଠାଇ ଏସବୁ ଜମିକୁ ସେ କିଣି ସାରିଛନ୍ତି, ତେଣୁ ଧାନ ଫସଲ ପରେ ତୁରନ୍ତ ଜମି ଖାଲି କରିବାକୁ ଧମକଚମକ ଦେଇଛନ୍ତି । କେବଳ ସେତିକି ନୁହେଁ, ସୋରଡ଼ା ସହରରେ ଅନେକ ସରକାରୀ ଜମିକୁ ନିଜ କବ୍‌ଜାରେ ରଖିଥିବା ବେଳେ ଏକ ମୋଟରସାଇକେଲ ସୋ’ରୁମ୍ ମଧ୍ୟ କରିଛନ୍ତି । ଏଣୁ ବିଧାୟକ ସ୍ବାଇଁଙ୍କ ଆୟ ବହିର୍ଭୁତ ସଂପତ୍ତିର ଯାଞ୍ଚ ପାଇଁ ଆଦିବାସୀ ଏବଂ ଦଳିତମାନେ ଦାବି ରଖିଛନ୍ତି । ଏଥି ସହ ତାଙ୍କ ରାଜନୈତିକ ଗୁରୁ ଗୋପାଳପୁର ବିଧାୟକ ପ୍ରଦୀପଙ୍କ ସଂପତ୍ତିର ମଧ୍ୟ ଯାଞ୍ଚ କରିବାକୁ ଦାବି କରିଛନ୍ତି । ସୁରେନ୍ଦ୍ର ମଳିକ, ଭାଗିରଥୀ ନାୟକ, ମୋହନ ନାୟକଙ୍କ ନେତୃତ୍ବରେ ଏଆଇକେଏମଏସ୍ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ସାମାଜିକ କର୍ମୀ ମଧୂସୁଦନ, ଶିବରାମ ସାହୁ, ଲକ୍ଷ୍ମୀ ନୃସିଂହ ରଥ, ଶ୍ରୀନିବାସ ରାଓ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

ଏକ ପ୍ରକଳ୍ପ ଉଦ୍ଘାଟନ ଅବସରରେ ବିଧାୟକ ପୂଣ୍ଣଚନ୍ଦ୍ର ସ୍ବାଇଁ (ଫାଇଲ୍ ଫଟୋ)

ଏନେଇ ଭିଜିଲାନ୍ସ ଏସ୍‌ପି ଅନିଲ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲା । ତାଙ୍କ କହିବାନୁଯାୟୀ, ପୂର୍ବରୁ ଏସ୍‌ଆଇଟି ଏହାର ତଦନ୍ତ କରୁଛି । ଏହି ଅଭିଯୋଗ ମଧ୍ୟ ସେମାନଙ୍କ ଦୃଷ୍ଟିକୁ ଅଣାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ମତାମତ ସଂଗ୍ରହ ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ବିଧାୟକ ସ୍ବାଇଁ ଫୋନ ଉଠାଇନଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories