ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ସ୍ନାନଯାତ୍ରା ସମାରୋହରେ ସଂପନ୍ନ ହୋଇଥିବା ବେଳେ ଠାକୁରଙ୍କୁ ଅଣସର ଘରେ ବିଜେ କରାଯାଇଛି।
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ମଙ୍ଗଳବାର ସକାଳୁ ଠାକୁରଙ୍କର କେତେକ ସ୍ୱତନ୍ତ୍ର ନିତୀ କରାଯାଇଥିଲା। ପରେ ପୂର୍ବାହ୍ନ ୯ଟାରେ ଠାକୁରଙ୍କୁ ପହଣ୍ଡିରେ ଅଣାଯାଇ ସ୍ନାନମଣ୍ଡପରେ ବିଜେ କରାଯିବା ପରେ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ଠାକୁରଙ୍କ ନିକଟରେ ବାଳଭୋଗ ଓ ମଧ୍ୟାହ୍ନରେ ଅନ୍ନଧୂପ କରାଯିବା ପରେ ଅପରାହ୍ନ ୫ଟାରେ ଠାକୁର ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ। ସନ୍ଧ୍ୟା ସାଢେ ୬ଟାରେ ସଂନ୍ଧ୍ୟାଆଳତି କରାଯାଇଥିବା ବେଳେ ଠାକୁରଙ୍କୁ ଦର୍ଶନ କରିବାକୁ ମନ୍ଦିର ପରିସରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ପରେ ରାତି ୯ଟାରେ ଠାକୁରଙ୍କର କେତେକ ସ୍ୱତନ୍ତ୍ର ନିତୀ କରାଯିବା ପରେ ଅଣସର ଘରକୁ ନିଆଯାଇଥିଲା। ମନ୍ଦିରର ମୁଖ୍ୟପୂଜକ ଲକ୍ଷ୍ମୀଧର ପଣ୍ଡା, ଦଇତାସେବକ ଜୟଦେବ ମହାପାତ୍ର, ଅକ୍ଷୟ ମହାପାତ୍ର, ଚନ୍ଦନ ମହାପାତ୍ର ପ୍ରମୁଖ ଠାକୁରଙ୍କର ସମସ୍ତ ନିତୀକୁ ତୁଳାଇଥିବା ବେଳେ ମନ୍ଦିରର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମହାପାତ୍ର, ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଉପଦେଷ୍ଠା ନୃସିଂହ ମହାପାତ୍ର, ନନ୍ଦ କିଶୋର ମହାପାତ୍ର, ସୁରେନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ମହାପାତ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ବବୁଲ ମହାପାତ୍ର, ଉପସଭାପତି ଦେବବ୍ରତ ମହାପାତ୍ର, ସଂପାଦକ ଦେବାଶିଷ ମହାପାତ୍ର, ସହସଂପାଦକ ବଳଭଦ୍ର ମହାପାତ୍ର, ସନ୍ତୋଷ ମହାପାତ୍ର, କୋଷାଧ୍ୟକ୍ଷ ରାକେଶ ମହାପାତ୍ର, ସୋମନାଥ ମହାପାତ୍ର, ଅନୀଲ ମହାରଣା, ଟିକ ମହାପାତ୍ର, ରଥଯାତ୍ରା ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ଶତପଥୀ, ସଂପାଦକ ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ମନ୍ଦିରରେ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା।



