ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିଶ କ୍ରମେ ଜଳଦ କୁମାର ତ୍ରିପାଠୀଙ୍କୁ ରାଜ୍ୟ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତିକୁ ରାଜ୍ୟପାଳ ଅନୁମୋଦନ କରିଛନ୍ତି । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନା ଯୋଗ୍ୟ ଯେ ତାମିଲନାଡ଼ୁ କ୍ୟାଡରର ୧୯୮୫ ବ୍ୟାଚ୍ର ଭାରତୀୟ ପୁଲିସ୍ ସେବା ଅଧିକାରୀ ଶ୍ରୀ ତ୍ରିପାଠୀ ତାମିଲନାଡ଼ୁର ପୁଲିସ ଡିଜି ପଦବୀରୁ ଅବସର ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ସେ ତିରୁଚିରାପଲ୍ଲୀ ଓ ଚେନ୍ନାଇ ମହାନଗରର ପୁଲିସ୍ କମିଶନର ଭାବେ କାର୍ଯ୍ୟ କରିଥିଲେ । ଶ୍ରୀ ତ୍ରିପାଠୀ ୨୦୦୮ ମସିହାରେ ପ୍ରଥମ ଆଇପିଏସ୍ ଭାବେ ପବ୍ଲିକ୍ ଆଡ୍ମିନିଷ୍ଟ୍ରେସନ୍ରେ ଉଲ୍ଲେଖନୀୟ ସେବା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସଡ଼କ ସୁରକ୍ଷା ଦିଗରେ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ୨୦୧୯ ମସିହାରେ ସର୍ବୋତ୍କୃଷ୍ଟ ରାଜ୍ୟ ଭାବେ ତାମିଲନାଡ଼ୁକୁ ଭାରତ ସରକାର ପୁରସ୍କୃତ କରିଥିଲେ। ଆଇନଶୃଙ୍ଖଳା ପରିଚାଳନାରେ ତାଙ୍କର ଦକ୍ଷତା ପାଇଁ ତାମିଲନାଡ଼ୁ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ବିବେଚିତ ହୋଇଥିଲା। ପୁଲିସ୍ ପ୍ରଶାସନରେ ଶୃଙ୍ଖଳିତ ସେବା ପ୍ରଦାନ ଓ ଜନତା-ପୋଲିସ୍ ମଧ୍ୟରେ ଅପୂର୍ବ ସମନ୍ୱୟ ପରିଚାଳନା କରି ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି ।



