www.samajalive.in
Tuesday, December 9, 2025
26.1 C
Bhubaneswar

ସାରୁଅ ଜମି ଦୁର୍ନୀତି ମାମଲା : ବେଆଇନ ଅର୍ଥ କାରବାର ତଦନ୍ତ କରିବ ଆୟକର ବିଭାଗ

ଭୁବନେଶ୍ବର : ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ୍‍ ଅଧୀନ ସାରୁଅ ଜମି ଦୁର୍ନୀତି ମାମଲାରେ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର କାରବାର ଅଭିଯୋଗର ତଦନ୍ତ ଆୟକର ବିଭାଗ କରିବାକୁ ଅନୁରୋଧ କରି ଚିଠି ଲେଖିଛି କ୍ରାଇମ୍‍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁୁ)। ଏହି ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ ବ୍ରାଞ୍ଚ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। କ୍ରାଇମ୍‌ବ୍ରାଞ୍ଚ ଅତିରିକ୍ତ ମହାନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଏହି ଜମି ଦୁର୍ନୀତି ଘଟଣାର ତଦନ୍ତ ଇଓଡବ୍ଲ୍ୟୁ କରୁଛି। ଆଇପିସିର ଧାରା ୪୨୦, ୪୨୩, ୪୬୭, ୪୬୮, ୪୭୧ ଓ ୧୨୦(ଖ) ଓ ଏସ୍‌ସି ଏସ୍‌ଟି ପ୍ରିଭେନସନ୍ ଆକ୍ଟ ଧାରାରେ ଇଓଡବ୍ଲ୍ୟୁ ଏକ ମାମଲା ନଂ-୮ ରୁଜୁ କରିଥିଲା। ତଦନ୍ତ ସମୟ‌େ‌ର ଓଡ଼ିଶା ଇନ୍‍ଫ୍ରାଟେକ୍‍ ପ୍ରାଇଭେଟ୍‍ ଲିମିଟେଡର ନିର୍ଦେଶକ ମନୋରଞ୍ଜନ ଷଡଙ୍ଗୀ ଏବଂ ଭାରପ୍ରାପ୍ତ ସ୍ବାକ୍ଷର ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅତିରିକ୍ତ ମହାନିର୍ଦେଶକ ଶ୍ରୀ ପ୍ରିୟଦର୍ଶୀଙ୍କ ସୂଚନା ମୁତାବକ ଓଡ଼ିଶା ଇନ୍‍ଫ୍ରାଟେକ୍‍ ପ୍ରାଇଭେଟ୍‍ ଲିମିଟେଡ(ଓଆଇପିଏଲ୍‍)ରେ ମୁଖ୍ୟ ଭାବେ ବୈଜୟନ୍ତ ପଣ୍ଡା ଏବଂ ଜାଗିମଙ୍ଗତ ପଣ୍ଡା ଥିଲେ। ଓଆଇପିଏଲ୍‌ ରିଅଲ୍‌ ଇଷ୍ଟେଟ୍‌ କାରବାର ଲାଗି ବେଗୁନିଆ ସାରୁଅ ଅଞ୍ଚଳ ଅନୁସୂଚିତ ଜାତିର ଗରିବ ଓ ନାମମାତ୍ର ଚାଷୀଙ୍କ ଜମିକୁ କିଣିବା ଲାଗି ଏକ ଷଡଯନ୍ତ୍ର କରିଥିଲା। ୨୦୧୦ରୁ ୨୦୧୩ ମଧ୍ୟରେ ସାରୁଅ ଅଞ୍ଚଳରେ ଓଆଇପିଏଲ୍‍ କେତେକ ଜମି କିଣି ଥିଲା। ଅନୁସୂଚିତ ଜାତିର ଲୋକଙ୍କୁ ଭୂମିହୀନ ନ କରାଇଦେବା ଲାଗି ସରକାରଙ୍କର ଏକ ଆଇନ ରହିଛି। ସେମାନଙ୍କଠାରୁ ସାଧାରଣ ବର୍ଗର ଲୋକେ ଜମି କ୍ରୟ କରିପାରିବେନାହିଁ।

- Advertisement -

ଏଥିପାଇଁ ସରକାରଙ୍କଠାରୁ ଅନୁମତି ନେବା ଦରକାର। ତେବେ ଉକ୍ତ ଅଞ୍ଚଳର ଅନୁସୂଚିତ ଜାତିର ଲୋକଙ୍କଠାରୁ ରବି ସେଠୀ ନାମକ ଜଣେ ବ୍ୟକ୍ତି ଜମି କିଣିଥିଲେ। ରବି ଓଆଇପିଏଲ୍‌ର ଜଣେ ଗାଡ଼ି ଚାଳକ ଥିଲେ। ଚାକିରି ହରାଇବାର ଭୟ ଦେଖାଇ ତାଙ୍କ ନାମରେ ଏହି ୭.୨୯୪ ଏକର ଜମି କ୍ରୟ କରାଯାଇଥିଲା। ପରବର୍ତ୍ତୀ ସମୟରେ ରବିଙ୍କଠାରୁ ଏସବୁ ଜମି ଓଆଇପିଏଲ୍‌ କ୍ରୟ କରିଥିଲା। ତେବେ ରବି ସେଠୀ ଏବଂ ଓଆଇପିଏଲ୍‍ର ଠିକଣା ସି-୧ ଚନ୍ଦ୍ରଶେଖରପୁର ବୋଲି କବଲାରେ ଦର୍ଶାଯାଇଛି। ଜମି ଖର୍ଦିବିକ୍ରି ବାବଦରେ ରବିଙ୍କୁ କୌଣସି ଅର୍ଥ ମିଳି ନ ଥିଲା। ଏହି ଜମି ଖର୍ଦିବିକ୍ରି ଲାଗି ବେଆଇନ୍ ଭାବେ ଟଙ୍କା କାରବାର ହୋଇଥିଲା। ରବି ଏ ସମ୍ପର୍କରେ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିବା ପରେ ପଦାକୁ ଆସିଥିଲା। ଏସବୁ ଜାଲିଆତି ନେଇ ଇଓଡବ୍ଲ୍ୟୁ ତଦନ୍ତ କରି ଜାଣିବା ପରେ ବେଆଇନ୍ ଅର୍ଥ କାରବାର ନେଇ ତଦନ୍ତ କରିବାକୁ ଆୟକର ବିଭାଗକୁ ଚିଠି ଲେଖିଥିବା ଅତିରିକ୍ତ ମହାନିର୍ଦେଶକ ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

ଅନ୍ୟପକ୍ଷରେ ସାରୁଅ ଜମି କିଣାବିକା ମାମଲାର ତଦନ୍ତଭାର ଆୟକର ବିଭାଗକୁ ହସ୍ତାନ୍ତର ଲାଗି କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯିବାକୁ ସ୍ବାଗତ କରିଛି ଓଡ଼ିଶା ଟେଲିଭିଜନ୍ ଲିଭିଟେଡ୍‌ (ଓଟିଭି)। କମ୍ପାନୀ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି, ଆମେ ଆରମ୍ଭରୁ କହିଆସୁଛୁ, ଏହି ବେନାମୀ ଜମି କାରବାର ଅଭିଯୋଗର ମାମଲା ରାଜ୍ୟ ପୁଲିସର ତଦନ୍ତ ପରିସରଭୁକ୍ତ ନୁହେଁ। ଏହାସତ୍ତ୍ବେ ଓଟିଭି ଓ ଏହାର ଗ୍ରୁପ୍‌ କମ୍ପାନୀ ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍‌ ଲିମିଟେଡ୍‌ ବିରୋଧରେ ଅନେକ ମିଥ୍ୟା ମାମଲା ରୁଜୁ କରାଯିବା ସହ ଆମ ଲୋକମାନଙ୍କୁ ହଇରାଣ, ହରକତ କରାଯାଉଛି। ଆଜି ହାଇକୋର୍ଟଙ୍କ ନିକଟରେ ମଧ୍ୟ ଆମେ ଏହି ମାମଲା ଆୟକର ବିଭାଗକୁ ହସ୍ତାନ୍ତର କରିବାକୁ ଆବେଦନ କରିଛୁ। ତେଣୁ ଏହି କ୍ରାଇମ୍‌ ବ୍ରାଞ୍ଚର ଆଜିର ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories