www.samajalive.in
Monday, December 8, 2025
27.1 C
Bhubaneswar

ୟୁକ୍ରେନୀୟ ସାହିତ୍ୟ ଓ ଯୁଦ୍ଧ

ୟୁକ୍ରେନ ସାହିତ୍ୟରେ ଚହଳ ସୃଷ୍ଟି କରିଥିବା କବି ସର୍ହିୟ ହାଦାନଙ୍କ ପୁସ୍ତକ ‘ଗନ୍‌ଶଟ୍‌ ଏଣ୍ଡ୍‌ ନାଇଫ୍‌’ ବିଶେଷ ଲୋକପ୍ରିୟ। ତା’ ପରେ ୨୦୨୧ରେ କବୟିତ୍ରୀ ଲ୍ୟୁବା ୟାକିମଚୁକଙ୍କ ଏକ ପୁସ୍ତକ ପ୍ରକାଶ ପାଇଲା ‘ଏପ୍ରିକୋଟ୍‌ସ ଅଫ ଡୋନବାସ’। ଏହି ଦୁଇଟି ପୁସ୍ତକ ଯୁଦ୍ଧଗ୍ରସ୍ତ ୟୁକ୍ରେନ ଉପରେ ଲେଖାଯାଇଥିବା କବିତା ସଙ୍କଳନ। ଲ୍ୟୁବା ୟାକିମଚୁକ ଡୋନବାସରେ ଜନ୍ମ ଗ୍ରହଣ କରିଥିଲେ, ଯାହାକୁ ପୁତିନ ଗତ ସପ୍ତାହରେ ଲୁହାଂସ୍କ ପିପୁଲ୍‌ସ ରିପବ୍ଲିକ୍‍ ରୂପେ ମାନ୍ୟତା ଦେଲେ। ଷ୍ଟୋରି ବିଲ୍‍କସରେ ଜନ୍ମ ନେଇଥିବା ସର୍ହିୟ ଜ୍ୟହଦାନ ମଧ୍ୟ ଲୁହାଂସ୍କର ଅଟନ୍ତି। ତେବେ କ’ଣ ସାହିତ୍ୟିକମାନଙ୍କୁ ଜଣାଥିଲା, ଏହି ଇଲାକା ୨୦୨୨ର ଦ୍ୱିତୀୟ ମାସରେ ଡିପିଆର ଆଉ ଏଲ୍‌ପିଆର୍‌ ନାମରେ ସ୍ୱାଧୀନ ହୋଇ ଦୁଇଟି ଦେଶରେ ଭାଗ ହୋଇଯିବ।
ଗତ ତିନି ଦଶକର କାଳଖଣ୍ଡରେ ୟୁକ୍ରେନୀ ସାହିତ୍ୟକୁ ଓଲଟାଇଲେ ରୋମାଣ୍ଟିକ ଚେତନା କମ୍‍, ଯୁଦ୍ଧରତ ଉନ୍ମାଦୀଙ୍କ ପୀଡ଼ା ଆଉ ଯନ୍ତ୍ରଣାକୁ ଅଧିକଭାବେ ଲେଖାଯାଇଛି। ବାସିଲ ହୋଲୋ ବୋରୋଟକ, ସର୍ହିୟ ଜାଦାନ, ମେସ୍କ ରୋସୋଚିନ୍‍କ୍ସି, କବୟିତ୍ରୀ ହାଲ୍ୟନା କ୍ରୁକ, କେତେରୀନା କାଲ୍ୟତ୍କ, ମରିଆନା କିୟାନା ବସ୍କା, ଲ୍ୟୁବା ୟାକିମ୍‍ଚ ଭଳି ପ୍ରସିଦ୍ଧ ଲେଖକମାନଙ୍କୁ ପାଠ କଲେ ୟୁକ୍ରେନ ସାହିତ୍ୟର ଦିଗକୁ ବୁଝିହେବ। ଏମାନଙ୍କ ଲେଖା ଏହାଙ୍କ ଦର୍ପଣ ରୂପେ ପ୍ରତିବିମ୍ବିତ। ୟୁକ୍ରେନର ସମକାଳୀନ ରାଜନୀତି ଆଉ ସମାଜର ଚିତ୍ରକୁ ବେଶ ବୁଝିହେବ। ମସ୍କୋରେ ବସିଥିବା ଅନେକ ଲୋକ ମନେ କରନ୍ତି ଏହା ସବୁ ପାଶ୍ଚାତ୍ୟ ଦେଶର ଅପପ୍ରଚାରର ଅଂଶବିଶେଷ ଅଟେ। ସେମାନେ କହନ୍ତି ୟୁକ୍ରେନୀ ପୋଲାଣ୍ଡ ଆଉ ରୁଷର ମିଶ୍ରିତ ଭାଷା ଅଟେ। ବାସ୍ତବରେ ଏହା ପ୍ରାଚୀନ ପୋଲାଣ୍ଡରେ ସ୍ଳାଭିକ ଚେକ ଓ ସ୍ଳୋଭାକ ବୋଲିରୁ ମିଶ୍ରିତ ଭାଷା କୁହାଯାଉଥିଲା। ପରେ ସେଥିରେ ଜର୍ମାନ ଭାଷାର ଅଳ୍ପ ସମାବେଶ ହୋଇଛି। ୟୁକ୍ରେନୀ ଲିପି ‘ସରିଲିକ’ ବର୍ଣ୍ଣମାଳାର ଅଂଶ, ଯାହା ୯ମ ୧୦ମ ଶତାବ୍ଦୀରେ ସ୍ଲାବ ଭାଷୀ ବିକଶିତ କରିଛନ୍ତି।
ରୁଷଭାଷା ଆଉ ସାହିତ୍ୟର ମୂଳରୁ ଯଦି ସନ୍ଧାନ କରାଯାଏ, ତେବେ କୋବିୟନ ପିରିୟଡ଼ (୯୮୮ ରୁ ୧୨୪୦)ରୁ ଆରମ୍ଭ କରିବାକୁ ହେବ। ସେହି ସମୟରେ କୀଉ ସାହିତ୍ୟ ଓ ସଂସ୍କୃତିର ପ୍ରଚଳନ ଥିଲା। ବ୍ଲାଦମିୟର ମୋନମାଖ ଦ୍ୱିତୀୟଙ୍କ ସମୟରେ କୀଉରେ ବାଇଜେଂଟାଇନ ଖ୍ରୀଷ୍ଟିୟାନ ଆଉ ଲାଟିନ ସଭ୍ୟତା ପ୍ରସାର ହୋଇଥିଲା।
୧୧ଶ ଖ୍ରୀଷ୍ଟାବ୍ଦରେ ନିର୍ମିତ କୀଭ୍‌ର ସେଂଟ ସୋଫିଆ କୈଥଡ୍ରଲ ଏହାର ସାକ୍ଷାତ ସାକ୍ଷୀ ଅଛନ୍ତି। ସେଠାରେ ମଙ୍ଗୋଲ ସମ୍ରାଜ୍ୟର ଶାସକ (ଯାହାଙ୍କୁ ତାତାର କୁହାଯାଉଛି) ୧୨୪୦ରେ ଆସିଥିଲେ। ସେତେବେଳେ କିବନ ଗଣରାଜ୍ୟର ପତନ ହୋଇଥିଲା। ଜାର ଶାସକମାନେ ତାକୁ ‘କୀବିୟନ ରୁଷ’ କହିବା ଆରମ୍ଭ କଲେ। ଚେଙ୍ଗିଜଖାନ ବୋଗ୍ଲା-ୟୁରାଲର ତାତାର, କ୍ରୀମିୟାଇ ତାତାର, ସାଇବେରିୟାନ ତାତାରକୁ ଏକୀକୃତ କରିବା ଆରମ୍ଭ କଲେ। ତାତାରିୟାମାନଙ୍କ ଭାଷା ତୁର୍କୀଠାରୁ ଭିନ୍ନ ଥିଲା।
ରାଜନୈତିକ ଉତ୍‍ଥାନ ପତନ ସତ୍ତ୍ବେ ୟୁକ୍ରେନୀ ସାହିତ୍ୟର ସୃଜନଶୀଳତା ଅଟକିଲା ନାହିଁ। ୧୬ଶହ ଶତାବ୍ଦୀରେ ସେଠାରେ ନାଟକଗୁଡ଼ିକର ବିକାଶ ହୋଇଥିଲା। ବ୍ୟଙ୍ଗ ଲେଖନରେ ସ୍କୋବୋରୋଟା (୧୭୨୨ରୁ ୧୭୯୪) ପ୍ରସିଦ୍ଧ ହୋଇଥିଲେ। କୋତୋଲାଖେକ୍ସି (୧୭୬୯ ରୁ ୧୮୩୮) କବି ଆଉ କଥାକାର ରୂପେ ପ୍ରତିଷ୍ଠିତ ହୋଇଥିଲେ। ତରାସ ଗ୍ରିଗୋୟୋବିଚ ଶେବେଚକୋ (୧୮୧୪-୧୮୬୪) ୟୁକ୍ରେନର ଜୀବନ ଉପରେ ନିରନ୍ତର ଲେଖୁଥିଲେ। କବୟିତ୍ରୀ ଲେସ୍ୟା ଉକ୍ରାଇନ୍‍କା (୧୮୭୧ ରୁ ୧୯୧୩), ତାଙ୍କ ସମକାଳୀନ କୋତସ୍ୟୁ ବିଂସ୍କି ୟୁକ୍ରେନୀ ଜନତାଙ୍କ କ୍ରାନ୍ତିକାରୀ ସଂଘର୍ଷକୁ କ୍ରମାଗତ କବିତା ମାଧ୍ୟମରେ ଭାବନାର ରୂପ ଦେଉଥିଲେ। ୟୁକ୍ରେନୀ ସାହିତ୍ୟ ରଚନା ଯେ ପର୍ଯ୍ୟନ୍ତ ମସ୍କୋକୁ ସୁହାଇଲା, ସେ ପର୍ଯ୍ୟନ୍ତ ତାକୁ ମାନ୍ୟତା ଦିଆଗଲା। ଯେଉଁଦିନ ରୁଷକୁ ଲାଗିଲା ଏମାନେ ଆମର ବିରୋଧୀ, ସେଦିନଠାରୁ ଅଗ୍ରାହ୍ୟ ହୋଇଗଲା।
ମସ୍କବାର ଭାଗ୍ୟ ଉଦୟ ହେଲା ୧୪୮୦ ରୁ ୧୫୯୮ ମଧ୍ୟରେ, ଯାହାକୁ ମାସ୍କୋ-ବାଇଟ ପିରିୟଡ଼ ମଧ୍ୟ କୁହାଯାଏ। ଏହାଙ୍କ କିଛି ଶତାବ୍ଦୀ ପରେ ସେଂଟ୍‍ ପିଟର୍ସବର୍ଗ ରୁଷୀୟ ସାହିତ୍ୟର ମୁଖ୍ୟ ନାୟକ ରୂପେ ଆସିଲେ। ତାହା ୧୭୦୩ ରୁ ୧୯୧୭ ଦୀର୍ଘ କାଳଖଣ୍ଡ ଥିଲା। ରୁଷୀୟ ସାହିତ୍ୟ ୟୁରୋପରେ ସମୃଦ୍ଧ ହୋଇଥିଲା। ୧୭୦୩ରୁ ୧୮୦୯କୁ ରୁଷ ସାହିତ୍ୟର ସୁବର୍ଣ୍ଣ ଯୁଗ କୁହାଯାଉଥିଲା। ତାରସ ଶ୍ୱେଚେଂକୋ ୟୁକ୍ରେନର ରାଷ୍ଟ୍ରକବି ଥିଲେ। ତାଙ୍କ କୃତି କୋବଜାରଙ୍କ ଯୋଗୁଁ କୋବଜାର ତାରସ ରୂପେ ଖ୍ୟାତି ମିଳିଥିଲା। ତାରସ ଶ୍ୱେଚେଂକୋ ୟୁକ୍ରେନୀ ରାଷ୍ଟ୍ରବାଦର ପ୍ରତୀକ ହୋଇସାରିଥିଲେ। ପ୍ରଥମରୁ ଦ୍ୱିତୀୟ ବିଶ୍ବଯୁଦ୍ଧର କାଳଖଣ୍ଡରେ ଯାହା କିଛି ରାଜନୈତିକ ଚହଳ ସୃଷ୍ଟି ହୋଇଥିଲା, ସେଥିରେ ୟୁକ୍ରେନୀ ସାହିତ୍ୟିକମାନଙ୍କର ବଡ଼ ଭୂମିକା ରହିଥିଲା।
ମସ୍କୋର ବୈଚାରିକ ଧରାତଳ ଉପରେ ଦୁଇଟି କଥା ଆସୁଛି, ପ୍ରଥମ: ୟୁକ୍ରେନର ନିଜର ମୌଳିକ ବୋଲି କିଛିନାହିଁ। ତାହାକୁ ସୁଦୃଢ଼ କରିବା ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକର ଗଣମାଧ୍ୟମରେ, ବୈଚାରିକ ମଞ୍ଚ ଉପରେ ସହାୟତା ନେବାକୁ ପଡ଼ୁଛି। ସେଠାରେ କୁହାଯାଉଛି ଯେ ୟୁକ୍ରେନର ମୂଳଲୋକ ବଡ଼ ମୁସ୍କିଲରେ ଶତକଡ଼ା ୫ଭାଗ ଅଛନ୍ତି। ୧୯୨୦ ପର୍ଯ୍ୟନ୍ତ ଉକ୍ରାଇନା ଭଳି କିଛି ଦେଶ ନଥିଲା। ଏହାର କୌଣସି ପ୍ରାଚୀନ ଭାଷା ନାହିଁ କି ପ୍ରାଚୀନ ସଂସ୍କୃତି ନାହିଁ। ଦ୍ୱିତୀୟରେ ପୁତିନ ଗତ କିଛି ବର୍ଷ ହେଲା କହିଆସୁଛନ୍ତି ଯେ ଆଧୁନିକ ୟୁକ୍ରେନର ଅଭ୍ୟୁଦୟ ଲେଲିନଙ୍କ ଯୋଗୁଁ ହୋଇଛି। ମାର୍ଚ୍ଚ ୨୦୧୪ରେ ପୁତିନ କ୍ରିମିୟା ରାଜ୍ୟ ହରଣ କରିବା ସମୟରେ ଭାଷଣ ଦେଇ କହିଥିଲେ ରୁଷୀୟ ଆଉ କ୍ରିମିୟାଇ ଗୋଟିଏ ମୂଳର ଲୋକ ଅଟନ୍ତି; ଆଉ କୀଭ୍‌ ରୁଷ ସହରମାନଙ୍କ ମାତୃସ୍ଥଳ ଅଟେ। ଜୁଲାଇ ୨୦୨୧ରେ ୫ ହଜାର ଶବ୍ଦର ଗୋଟିଏ ଲେଖା ‘ଅନ ଦି ହିଷ୍ଟୋରିକଲ ୟୁନିଟ୍‍ ଅଫ୍‍ ରଷିୟନସ୍‍ ଏଣ୍ଡ ୟୁକ୍ରେନିୟନ୍‌ସ’ ପୁତିନ ଲେଖିଥିଲେ। ସେଥିରେ ସେ ଦର୍ଶାଇଥିଲେ ଭ୍ଲାଦିମିର ଲେନିନ ୟୁକ୍ରେନର ଅଟନ୍ତି। ଆଉ ଯେଉଁ ୟୁକ୍ରେନକୁ ଜାଣିଛୁ, ତାହା ବଲ୍‌ସେଭିକ୍‌ର ୟୁକ୍ରେନ ଅଛି।
ଏ କଥା ଧ୍ୟାନରେ ରଖିବାକୁ ହେବ ୭ ନଭେମ୍ବର ୧୯୧୭ର ଅକ୍ଟୋବର କ୍ରାନ୍ତିପରେ ରୁଷୀୟ ସୋଭିଏତ ଗଣରାଜ୍ୟ ହୋଇଥିଲା। ୧୯୧୮ରୁ ୧୯୩୬ ରୁଷ ସୋଭିଏତ୍‍ ସମାଜବାଦୀ ଗଣରାଜ୍ୟ, ଆଉ ୧୯୩୬ରୁ ୮ ଡିସେମ୍ବର ୧୯୯୧ ପର୍ଯ୍ୟନ୍ତ ସୋଭିଏତ ରୁଷ ବା ସୋଭିଏତ ସଂଘ ଅସ୍ତିତ୍ୱରେ ଥିଲା। ପଶ୍ଚିମ ୟୁକ୍ରେନର ଭୂଭାଗ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପୋଲାଣ୍ଡ, ରୋମାନିଆ, ​‌େ​‌ଚକୋସ୍ଳୋଭାକିଆର ଅଧୀନରେ ରହିଥିଲା। ୟୁକ୍ରେନରେ ରୁଷୀୟ, ବେଲାରୁଷୀୟ, ମାଲଦୋବିୟନ, କ୍ରିମିୟାଇ ତାତାରର ମୂଳବାସିନ୍ଦା ରହିଛନ୍ତି।
ଅତୀତରେ ୟୁକ୍ରେନର ଦ୍ୱନୀପର ନଦୀର ତଟଦେଶରେ ପୋଲାଣ୍ଡ ଆଉ ୟୁହୁଦୀର ମୂଳଲୋକ ବହୁ ସଂଖ୍ୟାରେ ବାସ କରୁଥିଲେ। ୨୨ ଜୁନ ୧୯୪୧ରେ ନାଜୀମାନେ ୟୁକ୍ରେନ ଉପରେ ଅଧିକାର ଜମାଇ ଅକ୍ତିଆରକୁ ନେଲେ। ୧୯୪୪ରେ ନାଜୀମାନେ ୟୁହୁଦୀ ଆଉ ପୋଲାଣ୍ଡର ଦେଢ଼ଲକ୍ଷ ଲୋକଙ୍କୁ ମାରି ଦେଇଥିଲେ। ବବିନୟାର ଆଠ ଲକ୍ଷ ଲୋକ ବାସହୀନ ହୋଇ ଯାଇଥିଲେ। ଅକ୍ଟୋବର ୧୯୪୪ରେ ୟୁକ୍ରେନ ପୁଣି ଥରେ ସୋଭିଏତ ସଂଘର ନିୟନ୍ତ୍ରଣକୁ ଆସିଥିଲା। ସେତେବେଳେ ଷ୍ଟାଲିନ କ୍ଷମତାରେ ଥିଲେ। ରୋମାନିଆର କିଛି ଅଂଶକୁ ‘ନର୍ଦନ ବୁକୋବିନା’ କୁହାଯାଏ। ୧୯୪୭ରେ ପ୍ୟାରିସ ଶାନ୍ତି ବୁଝାମଣା ପରେ ୟୁକ୍ରେନକୁ ମିଶାଯାଇଥିଲା। ପୋଲାଣ୍ଡ ମଧ୍ୟ ବୋଲନିଆ ଆଉ ଗେଲିଶିଆ ଅଞ୍ଚଳକୁ ୟୁକ୍ରେନକୁ ଦେବାପାଇଁ ବିବ୍ରତ ହୋଇଥିଲା।
ସାତଗୋଟି ଦେଶ ଦ୍ୱାରା ଘେରା ୪ କୋଟି ୩୪ ଲକ୍ଷ ଲୋକସଂଖ୍ୟାବିଶିଷ୍ଟ ୟୁକ୍ରେନର ପଶ୍ଚିମରେ ପୋଲାଣ୍ଡ, ହଙ୍ଗେରୀ, ଉତ୍ତରରେ ବେଲାରୁଷ, ଦକ୍ଷିଣ ପଶ୍ଚିମରେ ମୋଲଡୋଭା ଆଉ ରୋମାନିଆ ଏବଂ ପୂର୍ବ ସୀମାରେ ରୁଷ ଅଛି। ୟୁକ୍ରେନର ଏହି ସାତ ପଡ଼ୋଶୀ ଦେଶ ମଧ୍ୟରୁ ୪ ଗୋଟିଙ୍କୁ ‘ନାଟୋ’ର ସଦସ୍ୟତା ମିଳିଛି। ହଙ୍ଗେରୀ, ପୋଲାଣ୍ଡ ୧୯୯୯ରେ ଓ ସ୍ଳୋଭାକିଆ, ରୋମାନିଆ ୨୦୦୪ ନାଟୋର ସଦସ୍ୟ ହୋଇଛନ୍ତି। ରୁଷ କୌଣସି ପ୍ରକାର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଏହି ପଡ଼ୋଶୀ ଦେଶ ବିରୁଦ୍ଧରେ କରିନାହିଁ। ଚୀନ୍‍ ଯେତେବେଳେ କହୁଛି ରୁଷର ପଡ଼ୋଶୀ ନାଟୋରେ ମିଶିବାକୁ ହେବନାହିଁ, ସେତେବେଳେ ସେ ପୂର୍ବ ୟୁରୋପରେ ଭୂ-ସାମରିକ ସ୍ଥିତିକୁ ଭୁଲି ଯାଉଛି। ଏହାଠାରୁ ଅଧିକ ମଜାଦାର କଥା ହେଉଛି କି ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ ବା ନାଟୋ ୧୪ ବର୍ଷରେ ମଧ୍ୟ ନିଷ୍ପତ୍ତି ନେଇ ପାରିନାହିଁ ଯେ ୟୁକ୍ରେନ୍‍କୁ ସଦସ୍ୟ କରାଯିବ ନା ନାହିଁ। ୧୯୯୧ରେ ୟୁକ୍ରେନ୍‍, ନାଟୋ ଆନୁଷଙ୍ଗିକ ସଂସ୍ଥା ‘ନର୍ଥ ଆଟଲାଣ୍ଟିକା କର୍ପୋରେସନ୍‍ କାଉନସିଲ’ର ସଦସ୍ୟ ହେଲା। ୨୦୦୮ରେ ‘ନାଟୋ ମେମ୍ବରଶିପ ଏକ୍ସନପ୍ଳାନ’ରେ ୟୁକ୍ରେନ ଆବେଦନ ମଧ୍ୟ କରିଥିଲା। ନାଟୋ ୟୁକ୍ରେନକୁ ସୈନ୍ୟ ପ୍ରଶିକ୍ଷଣ ଦେବ, ଆଉ ଲୁଚାଚୋରାରେ କ୍ଷେପଣାସ୍ତ୍ର ତଥା ଅନ୍ୟ ଯନ୍ତ୍ରପାତି ଯୋଗାଇବ; କିନ୍ତୁ ସଭ୍ୟ ପଦ ଦେବନାହିଁ- ଏହି ପ୍ରକାର ପ୍ରହେଳିକାରୁ ନାଟୋର ରଣନୀତିର ଅସଲ ରୂପ ଜଣା ପଡ଼ିଛି।
ଏବେ ସବୁଠାରୁ ଅଧିକ ଚିନ୍ତା ବିସ୍ଥାପନ। ଶରଣାର୍ଥୀମାନଙ୍କ ବଡ଼ଭାଗ ପୋଲାଣ୍ଡ ଆଡ଼କୁ ଯାଉଛି। ୟୁକ୍ରେନ ବାୟୁସୀମା ବନ୍ଦ ହୋଇଯିବା ପରେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରମାନଙ୍କୁ ସଡ଼କ ପଥରେ ପ୍ରଥମେ ହ​ଙ୍ଗେ‌ରି ଏବଂ ରୋମାନିଆରେ ପହଞ୍ଚା ଯାଉଛି। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଉଛି। ଯଥାଶୀଘ୍ର ଏହି କାର୍ଯ୍ୟ ସମ୍ପନ୍ନ ହେବା ଉଚିତ।

ପଞ୍ଚାନନ ଅଗ୍ରୱାଲ
ରାଧିକା ଟାୱାର, ଟଙ୍କପାଣି ରୋଡ଼
ଭୁବନେଶ୍ବର,ଦୂରଭାଷ: ୯୭୭୭୭୪୪୦୭୧

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories