୬୨ ତମ ରାଜ୍ୟସ୍ତରୀୟ ପୁଲିସ ଶହୀଦ ଦିବସ ପାଳିତ
କଟକ : ଆଜି ପୂର୍ବାହ୍ନରେ ପୁଲିସ ମୁଖ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ୬୨ ତମ ରାଜ୍ୟସ୍ତରୀୟ ପୁଲିସ ଶହୀଦ ଦିବସ ପାଳନ କରାଯାଇଅଛି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରି ଦେଶର ବିଭିନ୍ନ ଆରକ୍ଷୀ ବିଭାଗରେ ଶହୀଦ ହୋଇଥିବା ଯବାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶହୀଦ ଯବାନଙ୍କ ପରିବାରବର୍ଗଙ୍କ ପ୍ରତି ମଧ୍ୟ ଶ୍ରୀ ଅଭୟ ଏହି ଅବସରରେ ସମବେଦନା ଜଣାଇଛନ୍ତି । ବୀର ଶହୀଦ ମାନଙ୍କ ପାଇଁ ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ ସହ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ସୂଚନାଯୋଗ୍ୟ, ୧୯୫୯ ମସିହା ଆଜିର ଦିନରେ ଚୀନ ସୈନ୍ୟଙ୍କ ଆକ୍ରମଣରେ ଲଦାଖ୍ ଅଞ୍ଚଳରେ କର୍ତ୍ତବ୍ୟରତ ୧୦ ଜଣ ଭାରତୀୟ ସିଆରପିଏଫ ଯବାନ ପ୍ରାଣବଳି ଦେଇଥିଲେ । ସେମାନଙ୍କ ସ୍ମୃତିରେ ସାରା ଭାରତ ବର୍ଷରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଆସୁଅଛି । ଆଜି ସମଗ୍ର ଦେଶରେ ୬୨ତମ “ପୁଲିସ ଶହୀଦ ସ୍ମୃତି ଦିବସ” ପାଳନ କରାଯାଉଅଛି ।
୧୯୬୦ ମସିହାରୁ ଏଯାବତ୍ ଦେଶର ବିଭିନ୍ନ ଆରକ୍ଷୀ ବିଭାଗରେ ପ୍ରାୟ ୩୫୦୦୦ ରୁ ଉର୍ଦ୍ଧ୍ୱ ଆରକ୍ଷୀ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଚଳିତ ବର୍ଷ ତା ୦୧.୦୯.୨୦୨୦ ରିଖରୁ ୩୧.୦୮.୨୦୨୧ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୁଲିସ ବଳ ଓ ରାଜ୍ୟ ପୁଲିସର ୩୭୭ ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ୱିତ କରିଛନ୍ତି ।
ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ୧୧, ଅରୁଣାଞ୍ଚଳପ୍ରଦେଶରୁ ୩, ଆସାମରୁ ୭,ବିହାରରୁ ୬, ଛତିଶିଗଡରୁ ୩୨, ହିମାଚଳପ୍ରଦେଶରୁ ୪, ଝାଡଖଣ୍ଡରୁ ୪, କର୍ଣ୍ଣାଟକରୁ ୧୬, କେରଳରୁ ୨, ମଧ୍ୟପ୍ରଦେଶରୁ ୧୫, ମଣିପୁରରୁ ୩, ମେଘାଳୟରୁ ୧, ପଞ୍ଜାବରୁ ୨, ରାଜସ୍ଥାନରୁ ୨, ତାମିଲନାଡୁରୁ ୧, ଉତ୍ତରପ୍ରଦେଶରୁ ୪, ଉତ୍ତରାଖଣ୍ଡରୁ ୩,ପଶ୍ଚିମବଙ୍ଗରୁ ୧୭, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ୨, ଚଣ୍ଡିଗଡରୁ ୨, ଦିଲ୍ଲୀରୁ ୬, ଜମ୍ମୁ-କାଶ୍ମୀରରୁ ୧୭, ଲଦାଖରୁ ୧, ଆସାମ ଆଇଫଲରୁ ୩, ବିଏସଏଫରୁ ୪୭, ସିଆଇଏସଏଫରୁ ୮, ସିଆରପିଏଫରୁ ୮୨, ଆଇଟିବିପିରୁ ୫୪, ଏନଏସଜିରୁ ୧,ଏସଏସବିରୁ ୫, ଏଫଏସ,ସିଡି ଓ ଏଚଜିରୁ ୩, ଏନଡିଆରଏଫରୁ ୧, ଆରପିଏଫରୁ ୮ ଜଣ।
ଓଡିଶାରୁ ୪ ଜଣ ଶହୀଦ ହୋଇଛନ୍ତି । ଓଡିଶାରୁ ଶହୀଦ ହୋଇଥିବା ବୀର ଯବାନଙ୍କ ନାମ ୧) ସି. ଆଇ ହାବିଲଦାର – ୬୨୫ ସୁନୀଲ କୁମାର ନାୟକ, ସୁନ୍ଦରଗଡ ଜିଲ୍ଲା ୨) କମାଣ୍ଡୋ – ୩୨୬ ଦେବାଶୀଷ ସେଠୀ, ଏସ୍.ଓ.ଜି., ଭୁବନେଶ୍ୱର ୩) କମାଣ୍ଡୋ – ୧୮୨୩ ସୁଧୀର କୁମାର ଟୁଡୁ, ଏସ୍.ଓ.ଜି., ଭୁବନେଶ୍ୱର ୪) ଓ.ଏ.ପି.ଏଫ୍-୪୯ ଅନୀଲ ଏକ୍କା, ସୁନ୍ଦରଗଡ ଜିଲ୍ଲା।
୧୭.୧୦.୨୦୨୦ ରୁ ୧୬.୧୦.୨୦୨୧ ସୁଦ୍ଧା ଓଡିଶା ପୁଲିସର ୨୨ ଜଣ ଯୋଦ୍ଧା କରୋନାରେ ଶହୀଦ ହୋଇଛନ୍ତି । ସେ ସମସ୍ତ କରୋନା ଯୋଦ୍ଧାଙ୍କୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳିଅର୍ପଣ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଓଡିଶା ପୁଲିସର ସବୁ ପଦବୀର ବହୁ ଅଧିକାରୀ ଶହୀଦ ସ୍ମାରକ ଠାରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
Comments are closed.