ବଦଳିବ ‘ଆସ୍କା-୪୦’ ଚେହେରା

0

ଭୁବନେଶ୍ୱର  : ‘ଆସ୍କା ଫଟି’ ଜୀବନ ମାଟି । ଏହି କଥାକୁ ନେଇ ଗାଁ ଗଣ୍ଡାରେ ଲୋକେ ନିଶା ସେବନକାରୀଙ୍କୁ ସଚେତନ କରାଇଥାନ୍ତି। ମାତ୍ର ନିଶାସକ୍ତମାନେ ଏହାକୁ ତିଳେ ହେଲେ ଖାତିର କରି ନଥାନ୍ତି। ଯାହାଫଳରେ ଗରିବ ଗୁରୁବାମାନେ ଆସ୍କାଫଟି କବଳରେ ପଡ଼ି କେବଳ ଯେ ଆର୍ଥିକ କ୍ଷତିଗ୍ରସ୍ତ ହୋଇଥାନ୍ତି ତାହା ନୁହେଁ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିଥାନ୍ତି। ଏଥିପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକ ଅନେକ ସମୟରେ ସରକାରଙ୍କୁ ସମାଲୋଚନା କରିଥାନ୍ତି।
ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ୨୦୧୮-୧୯ବର୍ଷ ପାଇଁ ନୂତନ ଅବକାରୀ ନୀତିରେ କେତେକ ପରିବର୍ତ୍ତନ କରାଯାଇଛି। ଏହାର ମାନ ସହିତ ରଙ୍ଗ ଓ ରୂପ ବଦଳାଇଛନ୍ତି। ପୂର୍ବରୁ ଆସ୍କାଫଟି କଣ୍ଟ୍ରି ସ୍ପିରିଟ୍‍ ଭାବେ ବିବେଚନା ହେଉଥିବାବେଳେ ଏବେ ଏହା ‘କଣ୍ଟ୍ରି ଲିକ୍‍ର’ରେ ନାମକରଣ କରାଯାଇଛି। ଯେଉଁଥିରେ ଏକ୍ସଟ୍ରା ନିଉଟ୍ରାଲ ଆଲକହଲ(ଇଏନ୍‍ଏ)ର ପରିମାଣ ଅଧିକ ରହିବ। ପୂର୍ବରୁ ଏଥିରେ ପ୍ରାୟ ୬୦ ପ୍ରତିଶତ ଆଲକହଲ ରହୁଥିବାବେଳେ ଏବେ ଏହା ୫୦ ପ୍ରତିଶତରୁ ୬୦ ପ୍ରତିଶତକୁ ଇଏନ୍‍ଏ ରହିବ। ଆସ୍କାସ୍ଥିତ କୋପରେଟିଭ ସୁଗାର ଇଣ୍ଡଷ୍ଟ୍ରିଜ୍‍ ଲି କେବଳ ପ୍ୟାକିଂ ସାଇଜ୍‍ ୨୦୦ଏମ୍‍ଏଲ୍‍ କରିପାରିବ। ଅନ୍ୟ ଉତ୍ପାଦନକାରୀ କମ୍ପାନୀ ୩୦୦ ଏମ୍‍ଏଲ ଏବଂ ୬୦୦ ଏମ୍‍ଏଲ୍‍ର ପ୍ୟାକିଂ କରିପାରିବେ। ପ୍ୟାକିଂ ଉପରେ ସ୍ୱାସ୍ଥ୍ୟ ସଚେତନତା ସ୍ପଷ୍ଟ ଉଲ୍ଲେଖ ରହିବ। ସେହିପରି ପ୍ୟାକିଂରେ ଲେଖାଯାଇଥିବା ଦାମଠାରୁ କେହି ଅଧିକ ଦର ନେଇ ପାରିବେ ନାହିଁ ଏବଂ ପ୍ରତ୍ୟେକ କ୍ରେତାଙ୍କୁ ମନି ରସିଦ୍‍ ଦିଆଯିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଆସନ୍ତା ଜୁଲାଇ ବେଳକୁ ପୁରୁଣା ଆସ୍କାଫଟି ଆଉ ବଜାରରେ ଉପଲବ୍ଧ ହେବନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଆସ୍କାଫଟିର ମାନରେ ପରିବର୍ତ୍ତନ କରାଯାଇଥିବା ବେଳେ ଏହାର ଦର ବଢ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ନୂତନ ଅବକାରୀ ନୀତିରେ ସରକାରଙ୍କ ପକ୍ଷରୁ କୌଣସି ଭାଙ୍ଗ, ତାଡ଼ି ଓ ପୋଚ ଦୋକାନକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ରାଜସ୍ୱବୃଦ୍ଧି ଲାଗି ସବୁ ବାର,ଅଫ୍‍ସପ୍‍ ଓ ବଟଲିଂ ପ୍ଲାଣ୍ଟଗୁଡିକଠାରୁ ୩ମାସର ଅଗ୍ରୀମ ଅର୍ଥ ସହିତ ୧ମାସ ସିକ୍ୟୁରିଟ୍‍ ଡିପୋଜିଟ୍‍ ଆଦାୟ କରାଯିବ। ଯାହାଫଳରେ କି ଆସନ୍ତା ମାସକ ମଧ୍ୟରେ ପ୍ରାୟ ୫୦୦କୋଟି ଟଙ୍କାର ରାଜସ୍ୱ ସରକାରଙ୍କ ନିକଟକୁ ଆସିବ ବୋଲି ବିଭାଗ ଲକ୍ଷ୍ୟ ରଖିଛି। ଏବେ ରାଜ୍ୟରେ ଥିବା ୧୪୬୦ଟି ଅଫ୍‍ସପ୍‍ ଦୋକାନ ଓ ଅନ୍ୟାନ୍ୟ ବାର, ବଟଲିଂ ଜରିଆରେ ସରକାର ୩୦୦୦କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି। ଏପ୍ରିଲରୁ ଏହି ଅବକାରୀ ନୀତି ଲାଗୁ ହେବା ପରେ ସମସ୍ତଙ୍କଠାରୁ ୪ମାସର ଅଗ୍ରୀମ ଆଦାୟ କରାଯିବ। ଫଳରେ ରାଜସ୍ୱ ବୃଦ୍ଧି ପାଇବ। ୨୯୧୬-୧୭ ବର୍ଷରେ ଅବକାରୀ ବିଭାଗକୁ ୩୩୦୦କୋଟି ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ଦିଆଯାଇଥିବାବେଳେ ବିଭାଗ ୨୭୮୬କୋଟି ଟଙ୍କାର ରାଜସ୍ୱ ଆଦାୟ କରିଥିଲା। ଚଳିତ ଆର୍ଥିକବର୍ଷ ୩୬୦୦କୋଟି ଟଙ୍କା ରହିଥିବାବେଳେ ଏବେ ସୁଦ୍ଧା ୩୦୦୦କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଆସନ୍ତା ମାସକ ମଧ୍ୟରେ ପ୍ରାୟ ୬୦୦କୋଟି ଟଙ୍କା ଆଦାୟ ହେବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି। ତେବେ ପୂର୍ବରୁ ବିଭିନ୍ନ ପ୍ରକାର ବାର୍‍,ରେଷ୍ଟୁରାଣ୍ଟ ଓ ଅଫ୍‍ସପ୍‍ ଦୋକାନକୁ ଅନୁମତି ଦେବାବେଳେ ବିଭିନ୍ନ ନୀତି ଅନୁଯାୟୀ ଲାଇସେନ୍‍ସ ଫି ଦେବାକୁ ପଡୁଥିବାବେଳେ ଏବେ ଏହାକୁ ମହାନଗର ନିଗମ, ବିଜ୍ଞାପିତ ଅଞ୍ଚଳ, ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭକ୍ତ କରାଯାଇଛି। ମହାନଗର ନିଗମ ମଧ୍ୟରେ ପୁରୀକୁ ସାମିଲ କରାଯାଇଛି। ‘ଥ୍ରୀ’ଷ୍ଟାର ଓ ଏହାଠାରୁ ଅଧିକ ବର୍ଗର ହୋଟେଲ ପାଇଁ ନିଗମ ଅଞ୍ଚଳରେ ୧୨ଲକ୍ଷ ଟଙ୍କା ରଖାଯାଇଥିବାବେଳେ ପୌରାଞ୍ଚଳରେ ୧୦ଲକ୍ଷ ଟଙ୍କା, ଏନ୍‍ଏସିରେ ୮ଲକ୍ଷ ଏବଂ ଗ୍ରାମାଞ୍ଚଳରେ ୮ଲକ୍ଷ ଟଙ୍କା ରଖାଯାଇଛି। ସେହିପରି ଅନ୍ୟାନ୍ୟ ହୋଟେଲ ପାଇଁ ନିଗମ ଓ ପୌରାଞ୍ଚଳରେ ୧୦ଲକ୍ଷ ଟଙ୍କା ରଖାଯାଇଥିବାବେଳେ ଏନ୍‍ଏସି ଓ ଗ୍ରାମାଞ୍ଚଳରେ ୧୦ଲକ୍ଷ ଟଙ୍କା ରଖାଯାଇଛି। ହୋଟେଲ ଓ ରେଷ୍ଟୁରାଣ୍ଟ ଲାଗି ନିଗମ ଓ ପୌରାଞ୍ଚଳରେ ୧୨ଲକ୍ଷ ଟଙ୍କାର ଲାଇସେନ୍ସ ଫି ରଖାଯାଇଥିବାବେଳେ ଏନ୍‍ଏସି ଓ ଗ୍ରାମାଞ୍ଚଳରେ ୧୧ଲକ୍ଷ ଟଙ୍କା ରହିଛି। କ୍ଲବ ଓ ବିଅର ପାର୍ଲର ପାଇଁ ୭.୫ ଲକ୍ଷ ଟଙ୍କା ନିଗମରେ ରହିଥିବାବେଳେ ପୌରାଞ୍ଚଳରେ ୬ଲକ୍ଷ ଟଙ୍କା ଏବଂ ଏନ୍‍ଏନ୍‍ସି ଓ ଗ୍ରାମାଞ୍ଚଳରେ ୫ଲକ୍ଷରୁ ୫.୫ଲକ୍ଷ ଟଙ୍କା ମଧ୍ୟରେ ରଖାଯାଇଛି। ଏହାସହିତ ଲାଇସେନ୍‍ସରେ କେତେକ କଟକଣା ଲାଗୁ ହୋଇଛି। ଗ୍ରାମ୍ୟସଭାର ବିନା ଅନୁମତିରେ ନୂତନ ଦୋକାନକୁ ଲାଇସେନ୍‍ସ ମିଳିପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିବାବେଳେ ନିୟମିତ ତଦାରଖ ପାଇଁ ନିର୍ଦେଶ ରହିଛି।

Leave A Reply