ଚହଲ, ଯଶସ୍ବୀଙ୍କ କୀର୍ତ୍ତିମାନ ; ରାଜସ୍ଥାନର ବିପୁଳ ବିଜୟ
କଲକାତା : ରାଜସ୍ଥାନ ରୟାଲ୍ସର ୟୁଜବେନ୍ଦ୍ର ଚହଲ ଓ ଯଶସ୍ବୀ ଜୟସୱାଲ ଗୋଟିଏ ମ୍ୟାଚ୍ରେ ନୂତନ ଆଇପିଏଲ୍ କୀର୍ତ୍ତିମାନ ହାସଲ କରିଛନ୍ତି । ଉଭୟଙ୍କ କୃତିତ୍ବ ବଳରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପୁଳ ବିଜୟ ହାସଲ କରିଛି। ଚହଲଙ୍କ ୪ ୱିକେଟ ଓ ଯଶସ୍ବୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ କଲକାତା ନାଇଟ ରାଇଡର୍ସ (କେକେଆର୍)କୁ ୯ ୱିକେଟରେ ରାଜସ୍ଥାନ ପରାସ୍ତ କରିଛି । ଭେଙ୍କଟେଶ ଆୟରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି କେକେଆର୍ ୮ ୱିକେଟରେ ୧୪୯ ରନ୍ କରିଥିଲା। ପରେ ଯଶସ୍ବୀ ଜୟସୱାଲ୍ ଓ ସଞ୍ଜୁ ସାମ୍ସନଙ୍କ ବିସ୍ଫୋରକ ତଥା ଅପରାଜିତ ଇନିଂସ ବଳରେ ୪୧ ବଲ୍ ବାକିଥାଇ ୧ ୱିକେଟ ହରାଇ ରାଜସ୍ଥାନ ଜିତି ନେଇଥିଲେ। ୧୨ଶ ମ୍ୟାଚ୍ରେ ୬ଷ୍ଠ ବିଜୟ ପରେ ୧୨ ପଏଣ୍ଟ ସହ ରାଜସ୍ଥାନ ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। କେକେଆର୍ ୧୨ଶ ମ୍ୟାଚ୍ରେ ୭ମ ପରାଜୟ ଭୋଗିଛି।
ଗତ ୬ଟି ମ୍ୟାଚ୍ରୁ ମାତ୍ର ଗୋଟିଏ ଜିତିଥିବା ରାଜସ୍ଥାନ ରୟାଲ୍ସ ୧୫୦ ରନ୍ର ପିଛା କରିଥିବା ବେଳେ ନୀତୀଶ ରାଣା ବୋଲିଂ କରିଥିବା ପ୍ରଥମ ଓଭରରୁ ୬, ୬, ୪, ୪, ୨, ୪- ଏହିପରି ୨୬ ରନ୍ ମାରିଥିଲେ ଯଶସ୍ବୀ ଜୟସୱାଲ। ଖାତା ଖୋଲିବା ପୂର୍ବରୁ ଜୋସ୍ ବଟ୍ଲର ରନ୍ଆଉଟ୍ ହୋଇ ଯାଇଥିଲେ। ୩ୟ ଓଭରରେ ମାତ୍ର ୧୩ ବଲ୍ରୁ ଯଶସ୍ବୀ ଅର୍ଦ୍ଧଶତକ ପୂରଣ କରିଥିଲେ। ଯଶସ୍ବୀ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବା ବେଳେ ଅଧିନାୟକ ସଞ୍ଜୁ ସାମ୍ସନ ମଧ୍ୟ ଅନୁରୂପ ବିସ୍ଫୋରକ ବ୍ୟାଟିଂକରି ରାଜସ୍ଥାନ ରୟାଲ୍ସକୁ ବିପୁଳ ବିଜୟ ଦେଇଥିଲେ। ୬ ଓଭର ପାୱରପ୍ଲେରେ ରାଜସ୍ଥାନ ରୟାଲ୍ସ ୭୮ ରନ୍ କରିଥିଲା। ଏହାପରେ ମଧ୍ୟ ଯଶସ୍ବୀ ଓ ସାମ୍ସନ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ଦୁହେଁ ଅବିଭାଜିତ ୨ୟ ୱିକେଟ ପାଇଁ ୬୯ ବଲ୍ରୁ ୧୨୧ ରନ୍ କରିଥିଲେ। ବାମହାତି ଓପ୍ନର ଯଶସ୍ବୀ ଜୟସୱାଲ ୪୭ ବଲ୍ରୁ ୫ଟି ଛକା ଓ ୧୨ଟି ଚୌକା ସହ ୯୮ ରନ୍କରି ଅପରାଜିତ ଥିଲେ। ସାମ୍ସନ ୨୯ ବଲ୍ରୁ ୫ଟି ଛକା ଓ ୨ଟି ଚୌକା ସହ ୪୮ ରନ୍କରି ଅପରାଜିତ ରହିଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ସିମ୍ରନ୍ ହେତ୍ମେୟରଙ୍କ ଦର୍ଶନୀୟ କ୍ୟାଟ୍ରେ ଜେସନ୍ ରୟ ୧୦ ରନ୍କରି ଆଉଟ୍ ହୋଇଥିଲେ। ରହମନୁଲ୍ଲା ଗୁର୍ବାଜ ୧୨ ବଲ୍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୮ ରନ୍କରି ବିଦାୟ ନେଇଥିଲେ। ପରେ ଦୁଇ ବାମହାତି ଭେଙ୍କଟେଶ ଆୟର ଓ ନୀତୀଶ ରାଣା ୩ୟ ୱିକେଟ୍ ପାଇଁ ୪୮ ରନ୍ ଯୋଗ କରିଥିଲେ। ଅଧିନାୟକ ନୀତୀଶ ରାଣା ୧୭ ବଲ୍ରୁ ୨ଟି ଚୌକା ସହ ୨୨ ରନ୍କରି ବିଦାୟ ନେଇଥିଲେ। ଆେନ୍ଦ୍ର ରସେଲ ୧୦ ରନ୍ କରି ପାରିଥିଲେ। ରିଙ୍କୁ ସିଂହ ୧୮ ବଲ୍ରୁ ୧୬ ରନ୍କରି ଆଉଟ୍ ହୋଇଥିଲେ। ୟୁଜବେନ୍ଦ୍ର ଚହଲ ୨ୟ ସ୍ପେଲ୍ରେ ୩ଟି ୱିକେଟ ନେବାରୁ କଲକାତା ଦେଢ଼ଶହ ରନ୍ରେ ମଧ୍ୟ କରି ପାରିନଥିଲା। ଶେଷ ୬ ଓଭରରୁ କେକେଆର୍ ମାତ୍ର ୩୯ ରନ୍ କରି ପାରିଥିଲା। ୪୨ ରନ୍ରେ କେକେଆର୍ ୫ଟି ୱିକେଟ ହରାଇଥିଲା। ୟୁଜବେନ୍ଦ୍ର ଚହଲ ୪ ଓଭରରୁ ମାତ୍ର ୨୫ ରନ୍ନେଇ ୪ଟି ୱିକେଟ ନେଇଥିଲେ। ଟ୍ରେଣ୍ଟ୍ ବୋଲ୍ଟ ୨ଟି ୱିକେଟ ନେଇଥିଲେ। ଯଶସ୍ବୀ ଜୟସୱାଲ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Comments are closed.