ପିପିଲି : ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଖୋଜା ସାଙ୍ଗକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଏହି ଉପନିର୍ବାଚନରେ ଜାତୀୟ ଦଳିତ, ଆଦିବାସୀ, ମାଇନରିଟି ମହାସଂଘ ସହ ମେଣ୍ଟ କରି ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଆର୍ପିଆଇ) ନିର୍ବାଚନ ଲଢିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଘୋଷଣା କରାଯାଇଛି ।
ସ୍ଥାନୀୟ ପଣ୍ଡାବଜାର ସ୍ଥିତ ତାରା କଲ୍ୟାଣ ମଣ୍ଡପ ଠାରେ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଆର୍ପିଆଇ)ର ରାଜ୍ୟ ଅଧ୍ୟକ୍ଷ ଶେଖ୍ ଅବଦୁଲ ୱାଲି ଓ ଜାତୀୟ ଦଳିତ, ଆଦିବାସୀ, ମାଇନରିଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଏହା ଘୋଷଣା କରିଛନ୍ତି । ଆର୍ପିଆଇ ଓ ମହାସଂଘ ମେଣ୍ଟ ପକ୍ଷରୁ ଏହି ଉପନିର୍ବାଚନରେ ଜଣେ ଶିକ୍ଷିତ, ଭଦ୍ର ବ୍ୟକ୍ତି ତଥା ଆଇନଜୀବୀଙ୍କୁ ପ୍ରାର୍ଥୀ କରାଯିବ । ଗରୀବ ଓ ଅସହାୟଙ୍କ ସମସ୍ୟା, ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ନାରୀ ସୁରକ୍ଷାକୁ ଏହି ଉପନିର୍ବାଚନରେ ଦଳ ପକ୍ଷରୁ ପ୍ରମୁଖ ପ୍ରସଙ୍ଗ କରାଯିବ । ପଞ୍ଚାୟତସ୍ତରରେ ସଂଗଠନକୁ ଅଧିକ ମଜବୁତ କରାଯିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିବା ବେଳେ ଖୁବ୍ କମ୍ ଦିନ ମଧ୍ୟରେ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ପୁରୀ ଜିଲା ନେତା ଆଡ୍ଭୋକେଟ୍ ମହମ୍ମଦ ଇମାମୁଦ୍ଦିନ, ମହାସଂଘର ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସୋନିଲତା ସେଠୀ, ପୁରୀ ଜିଲା ସଭାପତି ଭାଗୀରଥି ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନା ଥାଉକି, ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଜାତୀୟ ଦଳିତ, ଆଦିବାସୀ, ମାଇନରିଟି ମହାସଂଘର ୧୦ହଜାରରୁ ଉର୍ଦ୍ଧ୍ବ ସଭ୍ୟ ଓ ସଭ୍ୟା ଅଛନ୍ତି ।



