www.samajalive.in
Monday, December 8, 2025
27.1 C
Bhubaneswar

ରୋହିତ ରଚିଲେ ଇତିହାସ

ଲିଡ୍‌ସ : ଚଳିତ ବିଶ୍ବକପ୍‌​‌ରେ ସେମିଫାଇନାଲ ଖେଳିବା ପୂର୍ବରୁ ଅନ୍ତିମ ଲିଗ୍ ମ୍ୟାଚ୍‌ରେ ସହଜ ବିଜୟ ହାସଲକରି ମନୋବଳ ଦୃଢ଼କରିଛି ଭାରତ। ଶନିବାର ଦୁଇ ଓପ୍‌ନର ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲଙ୍କ ଶତକ ବଳରେ ଶ୍ରୀଲଙ୍କାକୁ ୭ ୱିକେଟରେ ଭାରତ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୭ ୱିକେଟରେ ୨୬୪ ରନ୍ କରିଥିଲା। ଆଞ୍ଜେଲୋ ମାଥ୍ୟୁସ୍ ଶତକ ମାରିଥିବା ବେଳେ ଲାହିରୁ ଥିରିମାନେ ଅର୍ଦ୍ଧଶତକ ହାସଲ କରିଥିଲେ। ପରେ ରୋହିତ ଓ ରାହୁଲଙ୍କ ଶତକ ବଳରେ ୪୩.୩ ଓଭରରେ ୩ ୱିକେଟ ହରାଇ ଭାରତ ଜିତିଥିଲା। ୯ମ ଲିଗ୍ ମ୍ୟାଚ୍‌ରେ ୭ମ ବିଜୟ ସହ ଭାରତ ୧୫ ପଏଣ୍ଟରେ ପହଞ୍ଚିଛି। ଶ୍ରୀଲଙ୍କା ପୂର୍ବରୁ ସେମିଫାଇନାଲରୁ ବିଦାୟ ନେଇ ସାରିଥିଲା।
ଚଳିତ ବିଶ୍ବକପ୍‌ରେ ରୋହିତ ୫ଟି ଶତକ ହାସଲକରି ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କୁ ଅତିକ୍ରମ କରିଛନ୍ତି ରୋହିତ। କୁମାର ସାଙ୍ଗାକାରା ୨୦୧୫ ବିଶ୍ବକପ୍‌ରେ ୪ଟି ଶତକ ମାରିଥିଲେ। ଏହା ହେଉଛି ରୋହିତଙ୍କ ୬ଷ୍ଠ ବିଶ୍ବକପ୍ ଶତକ। ଏପରିକରି ସଚିନ ତେନ୍ଦୁଲକରଙ୍କ ବିଶ୍ବରେକର୍ଡ ୬ଟି ବିଶ୍ବକପ୍ ଶତକ ସହ ରୋହିତ ସମକକ୍ଷ ହୋଇଛନ୍ତି।
ଭାରତୀୟ ଓପ୍‌ନର ଅତି ସହଜରେ ୨୬୫ ରନ୍ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲେ। ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲ ୩୦ ଓଭରରେ ୧୮୯ ରନ୍ ଯୋଗକରିବା ପରେ ଭାରତର ବିଜୟ ନିଶ୍ଚିତ ହୋଇ ଯାଇଥିଲା। ୨୭ତମ ଦିନିକିଆ ଶତକ ହାସଲ କରିଥିବା ରୋହିତ ଶର୍ମା ୩୧ତମ ଓଭରରେ ଆଉଟ ହୋଇଥିଲେ। ଏହା ପୂର୍ବରୁ ରୋହିତ ୯୪ ବଲ୍‌ରୁ ୨ଟି ଛକା ଓ ୧୪ଟି ଚୌକା ସହ ୧୦୩ ରନ୍ କରିଥିଲେ। ପରେ ୧୦୯ ବଲ୍‌ରେ ରାହୁଲ ମଧ୍ୟ ଶତକ ପୂରଣ କରିଥିଲେ। ଅଧିନାୟକ ବିରାଟ କୋହଲିଙ୍କ ସହ ରାହୁଲ ଦଳକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ବିଜୟ ପାଇଁ ଆଉ ୨୧ ରନ୍ ବାକିଥିବା ବେଳେ ରାହୁଲ ଆଉଟ ହୋଇଥିଲେ। ରାହୁଲ ୧୧୮ ଥିଲେ। ବିଜୟ ପାଇଁ ଆଉ ୨୧ ରନ୍ ବାକିଥିବା ବେଳେ ରାହୁଲ ଆଉଟ ହୋଇଥିଲେ। ରାହୁଲ ୧୧୮ ବଲ୍‌ରୁ ଗୋଟିଏ ଛକା ଓ ୧୧ଟି ଚୌକା ସହ ୧୧୧ ରନ୍‌ କରିଥିଲେ। ବିରାଟ କୋହଲି ୩୩ ଓ ହାର୍ଦିକ ପାଣ୍ଡ୍ୟା ୭ ରନ୍‌କରି ଅପରାଜିତ ଥିଲେ। ରୋହିତ ଶର୍ମା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ତେବେ ଯଶପ୍ରୀତ୍ ବୁମ୍‌ରା ଅଳ୍ପ ବ୍ୟବଧାନ​‌େ​‌ର ଶ୍ରୀଲଙ୍କାର ଦୁଇ ଓପ୍‌ନର ଦିମୁଥ୍ କରୁଣାରତ୍ନେ ଓ କୁଶଳ ପରେରାଙ୍କୁ ଆଉଟ କରିଦେବାରୁ ଶ୍ରୀଲଙ୍କା ପ୍ରାରମ୍ଭିକ ବିପର୍ଯ୍ୟୟ ଭୋଗିଥିଲା। ୧୨ ଓଭରରେ ମାତ୍ର ୫୫ ରନ୍ ସ୍କୋର୍‌ରେ ଶ୍ରୀଲଙ୍କା ୪ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ପହଞ୍ଚି ଯାଇଥିଲା। ଅଧିନାୟକ କରୁଣାରତ୍ନେ ୨ଟି ଚୌକା ସହ ୧୦ ରନ୍ କରିଥିବା ବେଳେ ଅନ୍ୟ ଓପ୍‌ନର କୁଶଳ ପରେରା ୧୪ ବଲ୍‌ରୁ ୩ଟି ଚୌକା ସହ ୧୮ ରନ୍ କରିଥିଲେ। ଉଭୟଙ୍କୁ ବୁମ୍‌ରା କଟ୍‌ ବିହାଇଣ୍ଡ କରିଥିଲେ। ପ୍ରତିଭାବାନ ଯୁବ ବ୍ୟାଟ୍‌ସମ୍ୟାନ୍ ଅଭିକ୍ଷା ଫର୍ଣ୍ଣାଣ୍ଡୋ କିଛି ଦର୍ଶନୀୟ ସଟ୍‌ ଖେଳିଥିଲେ ହେଁ ଏକ ଭୁଲ୍‌ ସଟ୍‌ମାରି ଆଉଟ ହୋଇ ଯାଇଥିଲେ।
ଫର୍ଣ୍ଣାଣ୍ଡୋ ୨୧ ବଲ୍‌ ଖେଳି ୪ଟି ଚୌକା ସହ ୨୦ ରନ୍ କରିଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍ କୁଶଳ ମେଣ୍ଡିସ୍ ସେଟ୍‌ ହେବା ପୂର୍ବରୁ ରବୀନ୍ଦ୍ର ଜାଡ଼େଜାଙ୍କ ପ୍ରଥମ ବଲ୍‌କୁ ଛକାମାରିବା ପ୍ରୟାସରେ ଷ୍ଟମ୍ପ୍‌ଡ ଆଉଟ ହୋଇଥିଲେ। ଏହିପରି ଭାରତ ନେଇଥିବା ପ୍ରଥମ ୪ଟିଯାକ ୱିକେଟରେ ଧୋନିଙ୍କ ହାତ ଥିଲା। ୫୫ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ଆଞ୍ଜେଲୋ ମାଥ୍ୟୁସ୍ ଓ ଲାହିରୁ ଥିରିମାନେ ୨୬ ଓଭରର ମାରାଥନ୍ ଭାଗିଦାରୀ କରି ୫ମ ୱିକେଟ ପାଇଁ ୧୨୪ ରନ୍‌ ଯୋଡ଼ିଥିଲେ। ଥିରିମାନେ ୬୮ ବଲ୍‌ରୁ ୪ଟି ଚୌକା ସହ ୫୩ ରନ୍ କରିଥିଲେ। ପରେ ଧନଞ୍ଜୟ ଡି ସିଲ୍‌ଭାଙ୍କ ସହ ମାଥ୍ୟୁସ୍ ୭୪ ରନ୍ ଯୋଗ କରିିଥିଲେ। ୨୧୧ତମ ଦିନିକିଆରେ ୩ୟ ଶତକ ହାସଲ କରିଥିବା ମାଥ୍ୟୁସ୍ ୧୨୮ ବଲ୍‌ ଖେଳି ୨ଟି ଛକା ଓ ୧୦ଟି ଚୌକା ସହ ୧୧୩ ରନ୍ କରିଥିଲେ। ଧନଞ୍ଜୟ ଗୋଟିଏ ଚୌକା ସହ ୨୯ ରନ୍‌କରି ଅପରାଜିତ ରହିଥିଲେ। ଯଶପ୍ରୀତ୍‌ ବୁମ୍‌ରା ୩ଟି ୱିକେଟ ନେଇଥିଲେ। ପ୍ରଥମ ମ୍ୟାଚ୍ ଖେଳି ରବୀନ୍ଦ୍ର ଜାଡ଼େଜା ୪୦ ରନ୍‌ଦେଇ ଗୋଟିଏ ୱିକେଟ ପାଇଥିଲେ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories