ମହାନଗର ନିଗମ ଅଞ୍ଚଳର ନଦୀ ଓ ନାଳ ପ୍ରଦୂଷିତ: ଦୂଷିତ ପାଣିରୁ ବ୍ୟାପୁଛି ସଂକ୍ରମଣ, ଉତ୍ପାଦିତ ପରିବାରେ ବିଷାକ୍ତ ଧାତବ

ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ୫ଟି ମହାନଗର ନିଗମ ତଥା ସହରାଞ୍ଚଳରେ ଥିବା ନାଳଗୁଡ଼ିକର ଦୂଷିତ ପାଣି ସିଧାସଳଖ ନଦୀ ନାଳରେ ନିଷ୍କାସିତ ହେବା କାରଣରୁ ପାନୀୟ ଜଳ ବିଷାକ୍ତ ହଉଛି। ଏଥିଯୋଗୁଁ ବିଭିନ୍ନ ସମୟରେ ଝାଡ଼ାବାନ୍ତି, କାମଳ, ଚର୍ମରୋଗ ଓ ଅନ୍ୟାନ୍ୟ ସଂକ୍ରମଣ ବଢୁଛି। ଜଳ ପ୍ରଦୂଷଣ ଜନସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ବିପଦ ସାଜିଛି। ରାଜ୍ୟରେ ୨୦୧୭ ରୁ ୨୦୨୨ ମଧ୍ୟରେ ଏହି କାରଣରୁ ୪୨.୨୪ ଲକ୍ଷ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ୪.୬୩ଲକ୍ଷ ଆନ୍ତ୍ରିକ ଜ୍ଵର, ୧୨ ହଜାର ହେପାଟାଇଟିସ ଏବଂ ୧୨ ହଜାର ବୃକକ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ପ୍ରଦୂଷିତ ପାଣି ଯୋଗୁଁ ମଣିଷ ଓ ଜଳଚର ପ୍ରାଣୀଙ୍କ ଜୀବନ ବିପଦରେ ଥିବାବେଳେ ମାଟି ବିଷାକ୍ତ ହେବା ସହିତ ଏଥିରେ ଚାଷ ହେଉଥ‌ିବା ପନିପରିବା ମଧ୍ୟ ପ୍ରଭାବିତ ହେଉଛି। ସବୁଠୁ ଅଧିକ ଲକ୍ଷ୍ୟ କରାଯାଉଥିଲେ ହେଁ ସେଠାରେ ସ୍ୱେରେଜ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ଏଥିପାଇଁ ଗଞ୍ଜାମରେ ସର୍ବାଧ‌ିକ ୨୮୪୮୦୫ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଓ ସମ୍ବଲପୁରରେ ମଧ୍ୟ ସ୍ୱେରେଜ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ କାରଣରୁ ଜଳ ପ୍ରଦୁଷିତ ହେଉଥ‌ିବା ଲକ୍ଷ୍ୟ କରାଯାଇଛି। ଜଳ ପ୍ରଦୂଷଣ କାରଣରୁ ହେପାଟାଇଟିସ ବ୍ୟାପୁଛି।

କଟକ ମହାନଗର ନିଗମର କାଠଯୋଡ଼ି ଓ ମହାନଦୀ, ଭୁବନେଶ୍ଵର ମହାନଗର ନିଗମ ଦୟା ଓ ଗଙ୍ଗୁଆ, ରାଉରକେଲା ମହାନଗର ନିଗମ ବ୍ରାହ୍ମଣୀ ଓ ଗୁରାଡ଼ିହ ନାଳ ସହରାଞ୍ଚଳରୁ ନିଷ୍କାସିତ ବର୍ଜ୍ୟ ଜଳ ପ୍ରଭାବରେ ପ୍ରଦୂଷିତ ହେଉଛି। ବ୍ରହ୍ମପୁର ମହାନଗର ନିଗମ ସମେତ ଗଞ୍ଜାମରେ ଝାଡାବାନ୍ତି ସଂକ୍ରମଣ ସମ୍ବଲପୁରରେ ସର୍ବାଧ‌ିକ ୧୦୧୯ ଏବଂ ତା’ ପଛକୁ କଟକରେ ୧୦୧୦ ଲୋକ ଏଥିରେ ଆକ୍ରାନ୍ତ ହୋଇଥିଲେ। ତୃତୀୟ ସର୍ବାଧ‌ିକ ୧୮୧୬୪ ଲୋକ ଖୋର୍ଦ୍ଧାରେ ଆନ୍ତ୍ରିକ ଜ୍ଵର ବା ଟାଇଫଏଡ଼ରେ ଆକ୍ରାନ୍ତ ହୋଇଥିବାବେଳେ ସୁନ୍ଦରଗଡ଼ରେ ୧୭୫୬୩, ଗଞ୍ଜାମରେ ୧୩୦୬୬, କଟକରେ ୧୨୧୦୯ ଓ ସମ୍ବଲପୁରରେ ୫୯୦୨ ଆକ୍ରାନ୍ତ ହୋଇଥିଲେ। ସେହିପରି ଖୋର୍ଦ୍ଧାରେ ସର୍ବାଧ‌ିକ ୨୫୫ ଏବଂ କଟକରେ ୨୪୦ ବୃକକ୍‌ରେ ଆକ୍ରାନ୍ତ ହୋଇଥିଲେ।
ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଦ୍ଵାରା ହୋଇଥିବା ଜଳର ଗଣାତ୍ମକ

ମାନ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଭୁବନେଶ୍ୱରର ୧୦ଟି ଖୋଲା ନାଳ ଗଙ୍ଗୁଆ ଓ ଦୟାରେ ମିଶିଛନ୍ତି। ଗଙ୍ଗୁଆ ନାଳ ଦ୍ୱାରା ଜଳସେଚିତ ଅଞ୍ଚଳର ପରିବାରେ ଅନ୍ୟ ଅଞ୍ଚଳର ଜଳସେଚିତ ପରିବା ତୁଳନାରେ ଅତ୍ୟଧିକ ମାତ୍ରାରେ ଧାତବ ପଦାର୍ଥ ରହିଛି। ଗଙ୍ଗୁଆ ପାଣି ବ୍ୟବହାର ଦ୍ବାରା ଉତ୍ପାଦିତ ପରିବାରେ ମାତ୍ରାଧୂକ ବିଷାକ୍ତ ପଦାର୍ଥ ରହୁଥ‌ିବାରୁ ଏହାର ବ୍ୟବହାର ମଣିଷ ପାଇଁ ବିପଜ୍ଜନକ । ତେଣୁ ଗଙ୍ଗୁଆର ବର୍ଜ୍ୟଜଳ ପରିଚାଳନା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ଏଥିରେ ବିଷାକ୍ତ ଧାତବ ପଦାର୍ଥ ଠାବ କରାଯାଇଥିଲା। ସ‌ହରାଞ୍ଚଳର ଉପାନ୍ତ ଅଞ୍ଚଳର ମାଟି, ପାଣି ଓ ଶସ୍ୟ ଉପରେ ସ୍ୱେରେଜ ବର୍ଜ୍ୟ ଜଳର ପ୍ରଭାବ ପଡ଼ୁଥିବାରୁ ସ‌ହରର ନଦୀ ଓ ନାଳରେ ଆବର୍ଜନା ଓ ବର୍ଜ୍ୟ ଜଳ ଛାଡ଼ିବା ଉଚିତ ନୁହେଁ ବୋଲି ଓୟୁଏଟି ରିପୋର୍ଟରେ କୁହାଯାଇଥିଲା । ନିର୍ଗତ ଜଳରେ ବହୁ ମାତ୍ରାରେ ଧାତବ ପଦାର୍ଥ ରହୁଥ‌ିବାରୁ ଏହାକୁ ଜଳସେଚନରେ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ମଧ୍ୟ କୁହାଯାଇଥିଲା।

କେବଳ ମହାନଗର ନିଗମ ଅଞ୍ଚଳ ନୁହେଁ ଚିଲିକାକୁ ଶିଳ୍ପାଞ୍ଚଳ ଏବଂ ଅନ୍ୟାନ୍ୟ ସ୍ଥାନରୁ ବର୍ଜ୍ୟ ଜଳ ଛଡ଼ାଯାଉଥିବାରୁ ଏହାର ପାଣି ଏବଂ ବିଭିନ୍ନ ପ୍ରଜାତିର ମାଛଙ୍କଠାରେ ମାତ୍ରାକ ଧାତବ ଉପାଦାନ ଥିବା ସେଞ୍ଚୁରିଅନ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ପକ୍ଷରୁ ୨୦୨୦ରେ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଥିଲା। ଭାରତ ସରକାରଙ୍କ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟଚାଷ ଗବେଷଣା କେନ୍ଦ୍ର (ସିଫା) ଏବଂ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ପକ୍ଷରୁ କୁହାଯାଇଥିଲା ଯେ ପ୍ରବଳ ମାତ୍ରାରେ ବିଷାକ୍ତ ଉପାଦାନ ଯୋଗୁଁ ମାଛଗୁଡ଼ିକ ମରିଯାଉଛନ୍ତି। ତେବେ ଏସବୁ ରିପୋର୍ଟ ସତ୍ତ୍ୱେ ମହାନଗର ନିଗମ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ପାଣି ନମୁନା ପରୀକ୍ଷା କିମ୍ ପ୍ରତିକାର ମୂଳକ ପଦକ୍ଷେପ ପାଇଁ ଓଡ଼ିଶା ପ୍ରଦୂଷଣ ନିଯନ୍ତ୍ରଣ ବୋର୍ଡ଼କୁ ମଧ୍ୟ ଏଥିରେ ସମ୍ପୃକ୍ତ କରାଯାଇନଥିଲା।

ପ୍ରଦୂଷିତ ପାଣିରେ ଜଳସେଚନ ଦ୍ଵାରା ମୃରିକା ଉପରେ ଏହାର ପ୍ରଭାବ ଓ ଉତ୍ପାଦିତ ଶସ୍ୟର ଗୁଣାତ୍ମକ ମାନ ଉପରେ ଆକଳନ ପାଇଁ ଓୟୁଏଟି ଏବଂ ଆକାଉଟାଣ୍ଟ ଜେନେରାଲଙ୍କ ଅଡ଼ିଟ ଟିମ୍ ଦ୍ୱାରା କ୍ଷେତ୍ରସ୍ଥଳ ଓ ପରୀକ୍ଷାଗାରରେ ୨୦୨୩ରେ ଏକ ଅନୁଧ୍ୟାନ କରାଯାଇଥିଲା । ଗଙ୍ଗୁଆ ନାଳ କୂଳରୁ ସଂଗୃହୀତ ମୃରିକା ନମୂନା, ଦୟାରୁ ସଂଗୃହୀତ ପାଣି ନମୂନା ସହିତ ଇଟିପୁର ଅଞ୍ଚଳର କୃଷକଙ୍କଠାରୁ ପରିବା ସଂଗ୍ରହ କରାଯାଇଥିଲା। ପରିବାରେ ରହୁଥ‌ିବା ଧାତବ ଉପାଦାନର ମାତ୍ରା ଜାଣିବା ପାଇଁ ଶାଗ, ବାଇଗଣ, ହଳଦୀ ପତ୍ର, ବନ୍ଧା କୋବି ଓ ଫୁଲକୋବି ଓ ମୂଳା ଆଦି ୬ଟି ପରିବା ସଂଗ୍ରହ କରାଯାଇଥିଲା।

Comments are closed.